ନଗର ପରିକ୍ରମାରେ ଦେବଦମ୍ପତି, ସମ୍ବଲପୁରରେ କଳାକାରଙ୍କ ମହାସମାବେଶ

ସମ୍ବଲପୁର: ସମ୍ବଲପୁରର ମହାପର୍ବ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ପର୍ଯ୍ୟାୟ ଦେବଦମ୍ପତିଙ୍କ ନଗର ପରିକ୍ରମା ଧୁମ୍‌ଧାମ୍‌ରେ ଆରମ୍ଭ ହୋଇଛି। ମହାଦେବ-ପାର୍ବତୀଙ୍କ ଯୁଗଳ ବେଶ ଦର୍ଶନ ପାଇଁ ସମ୍ବଲପୁର ସହର ଲୋକାରଣ୍ୟ ହୋଇଛି। ଶନିବାର ରାତିରେ ଆରମ୍ଭ ହୋଇଥିବା ଶିବ-ପାର୍ବତୀଙ୍କ ବିବାହ ବିଧି ରବିବାର ସକାଳ ଯାଏ ଚାଲିଥିଲା। ଏହାପରେ ଦେବଦେବ ମହାଦେବ ରବିବାର ସ˚ଧୢାରେ ନବବଧୁ ମାତା ପାର୍ବତୀଙ୍କୁ ସାଥୀରେ ନେଇ ମନ୍ଦିର ଫେରିଥିଲେ। ମନ୍ଦିର ସମ୍ମୁଖରେ ନବବିବାହିତ ଦେବଦମ୍ପତିଙ୍କ ବିଶେଷ ପୂଜାର୍ଚ୍ଚନା ପରେ ସେମାନଙ୍କୁ ସ୍ବର୍ଣ୍ଣ ରୌପ୍ୟ ଆଭୂଷଣରେ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଥିଲା। ରାତିରେ ମହାଆଳତି ପରେ ଭକ୍ତମାନଙ୍କୁ ଯୁଗଳ ଦର୍ଶନ ଦେବା ପାଇଁ ଦେବଦମ୍ପତି ପାଟପଟୁଆରରେ ନଗର ପରିକ୍ରମାରେ ବାହାରିଛନ୍ତି। ବିଭିନ୍ନ ପଡ଼ାର ଶୋଭାଯାତ୍ରାରେ ଦେଶର କୋଣ, ଅନୁକୋଣରୁ ଆସିଥିବା ପ୍ରାୟ ୧୦ ହଜାର କଳାକାରଙ୍କ ସମାଗମ ହୋଇଛି। ସହରର ଭିନ୍ନଭିନ୍ନ ମାର୍ଗରେ ବିଭିନ୍ନ ପଡ଼ାର ଶୋଭାଯାତ୍ରା ବାହାରିଛି। ସବୁ ପଡ଼ାର ଶୋଭାଯାତ୍ରା ସୋମବାର ଭୋର ଯାଏ ଆଗକୁ ବଢ଼ିବା ପରେ କିଛି ଘଣ୍ଟା ବିରତି ନେବ। ବିଶ୍ରାମ ପରେ ପୁଣି ସକାଳ ୯ଟାରୁ ନଗର ପରିକ୍ରମା ଆରମ୍ଭ ହୋଇ ସ˚ଧୢା ସୁଦ୍ଧା ଶେଷ ହେବ। ଦେବଦମ୍ପତି ମନ୍ଦିରରେ ପହଞ୍ଚିବା ପରେ ଶୀତଳଷଷ୍ଠୀ ଯାତ୍ରା ସମାପ୍ତ ହେବ।

ନନ୍ଦପଡ଼ାର ବମ୍‌ବରାଡ୍‌ ବାଲୁ˚କେଶ୍ବର ବାବା ରବିବାର ମଧୢରାତ୍ରିରେ ମାତା ପାର୍ବତୀଙ୍କ ସହ ଭବ୍ୟ ଶୋଭାଯାତ୍ରାରେ ବାହାରିଛନ୍ତି। ସୁନାରୁପା ଅଳଙ୍କାର ପିନ୍ଧି ବୃଷଭ ପିଠିରେ ବସି ବିଶାଳ ଆକର୍ଷଣୀୟ ପରଭାରେ ସଜ୍ଜିତ ବାବା ବାଲୁ˚କେଶ୍ବର ସି˚ହବାହିନୀ ମାତା ପାର୍ବତୀଙ୍କ ସହ ଏକ କିଲୋମିଟର ବ୍ୟାପୀ ଶୋଭାଯାତ୍ରାର ପଛ ଭାଗରେ ରହିଛନ୍ତି। ଚଳିତ ବର୍ଷ ପ୍ରଥମ କରି ବାଲୁଂକେଶ୍ବର ବାବାଙ୍କ ରଥରେ ଦେଢ଼ କୁଇଣ୍ଟାଲ୍ ରୁପାରେ ନିର୍ମିତ ଭବ୍ୟ ‌ପରଭା ଶୋଭା ପାଇଛି। ଯୁଗଳ ମୂର୍ତ୍ତିଙ୍କ ସମ୍ମୁଖରେ ଘଣ୍ଟ, ଶ˚ଖ, କୀର୍ତନ, ସ˚ପ୍ରଦା ଦଳ ଗୁଡ଼ିକ ଭକ୍ତିଭାବରେ ବିଭୋର ହୋଇ ନୃତ୍ୟ, ବାଦ୍ୟ ପରିବେଷଣ କରୁଛନ୍ତି। ଶୋଭାଯାତ୍ରାର ଆରମ୍ଭ ବେଳକୁ ନନ୍ଦପଡ଼ାର ସ୍ବାଗତ ତୋରଣ ଦଲେଇପଡ଼ା ପୁଲିସ କ୍ଲବ ଗଳି ସମ୍ମୁଖରେ ରହିଥିଲାବେଳେ ସବା ପଛରେ ଥିବା ବାଲୁଂକେଶ୍ବରବାବାଙ୍କ ମୁଖ୍ୟ ରଥ ଯଜ୍ଞବରାହ ମନ୍ଦିର ସମ୍ମୁଖରେ ରହିଥିଲା।

ନୃସିଂହ ନିଜ ସୁସଜ୍ଜିତ ରଥରେ ବିରାଜମାନ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲାବେଳେ ପଞ୍ଚବକ୍ତ୍ର ମଧ୍ୟ ନିଜ ସ୍ବତନ୍ତ୍ର ରଥରେ ନଗର ପରିକ୍ରମା କରିଛନ୍ତି। ସବା ଶେଷରେ ସାକ୍ଷୀ ଗୋପୀନାଥ ନିଜ ବିମାନରେ ଉପସ୍ଥିତ ରହି ଦେବ ବିବାହର ପ୍ରତିଟି ଘଟଣାର ସାକ୍ଷୀ ହୋଇଛନ୍ତି। ଶୋଭାଯାତ୍ରାରେ ଦୁଲଦୁଲି, ମେଢ଼ ନାଚ, ଛତିଶଗଡ଼ର ଆଦିବାସୀ ନାଚ, ଅାନ୍ଧ୍ରର ବ୍ଲାକ୍‌ କୋବ୍ରା ନାଚ, ପନ୍ଥି ନାଚ, ପୁରୁଲିଆ ଛଉ ନାଚ, କାଠି ନାଚ, ଆସାମର ବିହୁ ନୃତ୍ୟ, ରାଧାକୃଷ୍ଣ ନାଚ, ଅଘୋରି ନାଚ, ଡମ୍ବରୁ ନାଚ, କୋଲକାତା, ରାୟପୁର, ନାଗପୁରର ରେକର୍ଡ ଡ୍ୟାନ୍‌ସ ଓ ହାର୍ଟବିଟ୍ ଗ୍ରୁପ୍‌ର ଆଧୁନିକ ନୃତ୍ୟ ଆଦି ସାଂସ୍କୃତିକ ଦଳ ସାମିଲ ହୋଇଛନ୍ତି।  ପ୍ରଜ୍ଞାପନ ମେଢ଼ରେ ଜଗନ୍ନାଥଙ୍କ ମୂର୍ତ୍ତି, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଓ ଭାରତର ଶାନ୍ତିବାର୍ତ୍ତା, ନନ୍ଦୀ ମହାରାଜ, କେଜିଏଫ୍ ମୂର୍ତ୍ତି, ବାଳ ହନୁମାନ, କ୍ରିଷ୍ଣା ଓ ଗଣେଶା ଆଦି ମୂର୍ତ୍ତି ସ୍ଥାନ ପାଇଛି। ସୋମବାର ପାହାନ୍ତି ପ୍ରହର ସୁଦ୍ଧା ଦେବଦମ୍ପତି ନନ୍ଦପଡ଼ା, ହାଟପଡ଼ା, ମାରବାଡ଼ି ପଡ଼ା, ଦଲେଇପଡ଼ା ଅତିକ୍ରମ କରି ବାଟମଙ୍ଗଳା ଗଳି ନିକଟରେ ଅଟକିବେ।

ସେହିପରି ନବବିବାହିତା ମାତା ପାର୍ବତୀଙ୍କୁ ନେଇ ଝାଡ଼ୁଆପଡ଼ାର ଲୋକନାଥ ବାବା ସଂଧ୍ୟାରେ ମନ୍ଦିର ଫେରିଥିଲେ। ମାତା ପାର୍ବତୀଙ୍କୁ କେବଳ ମହିଳା ମାନେ ବୋହି ଆଣିଥିଲେ। ମହାଆଳତି ପରେ  ରବିବାର ବିଳମ୍ବିତ ରାତିରେ ଦେବଦମ୍ପତି ନଗର ପରିକ୍ରମାରେ ବାହାରିଛନ୍ତି। ପୂର୍ବ ଭଳି ଲୋକନାଥ ବାବାଙ୍କ ଭବ୍ୟ ଚାନ୍ଦି ପରଭା (ମେଢ଼) ଏଥର ବି ଯାତ୍ରାର ଆକର୍ଷଣରେ ରହିଛି। ବହୁବିଧ ଅଳଙ୍କାରରେ ସୁସଜ୍ଜିତ  ଲୋକନାଥ ବାବା ନନ୍ଦୀଭୃଙ୍ଗୀଙ୍କ ସହ ସୁଶୋଭିତ ରୁପା ପରଭା ଯୁକ୍ତ ରଥରେ ମାତା ପାର୍ବତୀଙ୍କୁ ସାଥୀରେ ନେଇ ଶୋଭାଯାତ୍ରାର ଶେଷ ମୁଣ୍ତ ବାଲିବନ୍ଧାଠାରେ ରହିଛନ୍ତି। ତାଙ୍କ ସମ୍ମୁଖରେ ଘଣ୍ଟ, ଶ˚ଖ ଧ୍ବନିରେ ପଥ ପ୍ରକମ୍ପିତ ହେଉଥିଲାବେଳେ ଉଜ୍ଜେନର ଭଷ୍ମରମୈୟା ଭକ୍ତ ମଣ୍ଡଳ ବିଭୋର ହୋଇ ନାଚୁଛନ୍ତି।

ଏହା ଆଗରେ ହନୁମାନଙ୍କ ମେଢ, ରାଧାକୃଷ୍ଣଙ୍କ ମେଢ, ସ˚ପ୍ରଦା, ପୁରୀର ଓଡ଼ିଶୀ ନୃତ୍ୟ, ପାଇକ ଆଖଡ଼ା ଓ କଣ୍ଢେଇ ନାଚ, ଦିଲ୍ଲୀର ଆଧୁନିକ ନାଚ, କଳାହାଣ୍ଡିର ଘୁମୁରା ଓ ଆଦିବାସୀ ନାଚ, ଛତିଶଗଡ଼ ଓ ହିମ୍‌ଗିରର କରମା ନାଚ, ଭଞ୍ଜନଗର ନୃତ୍ୟ, ଆସାମର ବିହୁ, ଛତିଶଗଡ଼ର ମୟୂରଝାଲ, ପଞ୍ଜାବର ଭାଙ୍ଗଡ଼ା ଓ ଗିଦ୍ଦା, କୁଚିଣ୍ଡାର ଗୌରବାଡ଼ି ସହ କୋଲକାତାର ୪ ଓ ଦିଲ୍ଲୀର ଗୋଟିଏ ଆଧୁନିକ ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ବାଳ ହନୁମାନ, ପୁଷ୍ପା, କୋଭିଡ୍ ଟିକା, ଡୋନାଲ୍‌ଡ ଡକ୍, ଗରୁଡ଼ ଆଦି ଝାଁକି ଦର୍ଶକଙ୍କୁ ଆକର୍ଷିତ କରୁଛି। ଶୋଭାଯାତ୍ରା ଆରମ୍ଭ ବେଳକୁ ମୁଖ୍ୟ ତୋରଣ ମହାନ୍ତିପଡ଼ା ମାତାମଠ ସମ୍ମୁଖରେ ରହିଥିଲା। ଏକ କିଲୋମିଟର ବ୍ୟାପୀ ଶୋଭାଯାତ୍ରା ବାଲିବନ୍ଧାରୁ ଆରମ୍ଭ ହୋଇ ବ୍ରହ୍ମପୁରା ମନ୍ଦିର, ଗଉର ମଠ ଗଳି ଦେଇ ସାନ ସଡ଼କରେ ପହଞ୍ଚିବା ପରେ ଗୁରୁପଡ଼ା, ମହାନ୍ତିପଡ଼ା, କ˚ସାରି ପଡ଼ା ଦେଇ ସୋମବାର ଭୋର ସୁଦ୍ଧା ବୈଦ୍ୟନାଥ ଛକରେ ପହଞ୍ଚିବାର ଧାର୍ଯ୍ୟ ହୋଇଛି।

ମୁଦିପଡ଼ାର ଜାଗେଶ୍ବର ବାବା ମାତା ପାର୍ବତୀଙ୍କ ସହ ମଧୢରାତ୍ରୀରେ ନଗର ପରିକ୍ରମାରେ ବାହାରିଛନ୍ତି। ସ୍ବର୍ଣ, ରୌପ୍ୟ, ରତ୍ନ ଅଳଙ୍କାର ପରିହିତ ଦେବଦମ୍ପତି ନିଜ ନିଜ ବାହନରେ ବସି ଆକର୍ଷଣୀୟ ପରଭାରେ ଶୋଭିତ ରଥରେ ବିଜେ ହୋଇଛନ୍ତି। ଶୋଭାଯାତ୍ରାର ଶେଷ ଭାଗରେ ଦେବଦମ୍ପତିଙ୍କ ରଥ ଥିଲାବେଳେ ଏହା ସମ୍ମୁଖରେ ଘଣ୍ଟ, ଶ˚ଖ, ସ˚ପ୍ରଦା ଦଳ ଗୁଡ଼ିକ ନୃତ୍ୟ, ବାଦ୍ୟରେ ପରିବେଶକୁ ଭକ୍ତିମୟ କରୁଛନ୍ତି। ଶୋଭାଯାତ୍ରାର ଆରମ୍ଭରେ ରହିଛି ମୁଦିପଡ଼ାର ସ୍ବାଗତ ତୋରଣ। ଏହା ପଛକୁ ଦୁଲଦୁଲି ବାଦ୍ୟ ରହିଛି।

ଏହା ପଛରେ ସୁସଜ୍ଜିତ ରଥରେ ମହାବୀର ହନୁମାନ ଶୋଭାଯାତ୍ରାର ପଥ ପ୍ରଦର୍ଶନ କରୁଛନ୍ତି। ପଛକୁ ଦୁଲଦୁଲି ବାଜା, କରୋନା ସଚେତନତା ଷ୍ଟାଚ୍ୟୁ, କୋଇ ମିଲ୍‌ ଗୟାର ଯାଦୁ, ଗଂଜାମର ଦଶାବତାର ନାଚ, ସମୁଦ୍ର ପ୍ରଦୂଷଣ ମୂର୍ତ୍ତି, ମଣିଷ-ବାଘ ନାଚ, ବାଘ-ଷଣ୍ଢ ଓ ଘୋଡ଼ା ନାଚ, କେରଳର ଛେଣ୍ଡା ସିଂଗାରି ବାଦ୍ୟ, ରାମ-ସୀତା ରଥ, କେଜିଏଫ ମୂର୍ତ୍ତି, ଛଉ ନାଚ, ଆସାମର ବିହୁ ଆଦି ନୃତ୍ୟ ରହିଛି। ୧୦ଟି ରଥରେ ଭୁବନେଶ୍ବର ଓ କଟକର ଆଲ୍‌ବମ ନାଚ, ଆସାମର ୨ ଦଳ ବିହୁ ନୃତ୍ୟ, କୋଲକାତାର ୩ ଦଳ ରେକର୍ଡ ଡ୍ୟାନ୍‌ସ, ଲକ୍ଷ୍ନୌର ଓ ଔରଂଗାବାଦର ଭୋଜପୁରୀ ନାଚ, ସମ୍ବଲପୁରୀ ନୃତ୍ୟ ଦଳ ଦର୍ଶକଙ୍କ ମନୋରଂଜନ କରିଥିଲେ। ଶୋଭାଯାତ୍ରା ମୁଦିପଡ଼ା ଛକ, ସୁଇମି˚ ପୁଲ, ଲକ୍ଷ୍ମୀ ଟକିଜ୍‌ ଛକ ଦେଇ ସକାଳ ସୁଦ୍ଧା ଟାଉନ୍‌ ଥାନା ପର୍ଯ୍ୟନ୍ତ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ବଡ଼ବଜାରର ଶୀତଳେଶ୍ବର ବାବା ଓ ମାତା ପାର୍ବତୀଙ୍କ ନଗର ପରିକ୍ରମା ଶୋଭଯାତ୍ରା ରବିବାର ରାତିରେ କମଲିବଜାର ରଘୁନାଥ ମନ୍ଦିର ନିକଟରୁ ଆରମ୍ଭ ହୋଇଛି। ସବା ଆଗରେ ମୁଖ୍ୟ ସ୍ବାଗତ ତୋରଣ ରହିଥିବାବେଳେ ଶୋଭାଯାତ୍ରାରେ ଦୁଲଦୁଲି ବାଜା, ସଂପ୍ରଦା, ଡଣା, କଳଙ୍ଗୀ, ଭାଙ୍ଗଡ଼ା, ଘଣ୍ଟ, ପୁରୀ ମେଢ଼, ଆଦିବାସୀ ଓ ଘୁମୁରା ନାଚ, ଆଧୁନିକ ନାଚ ଓ ରେକର୍ଡ ଡ୍ୟାନ୍ସ ରଥ ଆଦି ରହିଛି। ହନୁମାନଙ୍କ ରଥ, ରାଧାକୃଷ୍ଣ ରଥ ସମେତ ବିଭିନ୍ନ ପ୍ରଜ୍ଞାପନ ମେଢ଼ ଓ ସବା ଶେଷରେ ଶିବ ପାର୍ବତୀଙ୍କ ମୁଖ୍ୟ ପରଭା ରହିଛି। ଭୋର ସୁଦ୍ଧା ମହାଦେବଙ୍କ ପରଭା ସମଲେଶ୍ବରୀ ମନ୍ଦିର ଛକ ଯାଏଁ ପହଞ୍ଚିବା ନିର୍ଧାରିତ ହୋଇଛି।

ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ଶୋଭାଯାତ୍ରା ଅଇଁଠାପାଲି ଆଦର୍ଶ ମାର୍ଗ ଛକରୁ ବାହାରିଛି। ଏହି ଶୋଭାଯାତ୍ରାରେ ମୁଖ୍ୟ ତୋରଣ ପଛକୁ ଦୁଲଦୁଲି ବାଜା, ରଥାରୁଢ ହନୁମାନ, ରାମସୀତା, ଛତିଶଗଡ଼ର ରାବତ, ଦଶାବତାର, ମୟୂରଭଞ୍ଜର କଳିଙ୍ଗ ନାଚ, ଘୁମୁରା, ସପ୍ତଫେଣି, ସଂପ୍ରଦା, ବାଘ ନାଚ, ଘଣ୍ଟ, ପୁରୀର ଓଡ଼ିଶୀ ନୃତ୍ୟ, କୋଲକାତା, ବ୍ରହ୍ମପୁର ଓ କଟକର ରେକର୍ଡ ଡ୍ୟାନ୍‌ସ, ବିଛୁ, ପୁଷ୍ପା, ରାକ୍ଷସ, ଚାଷୀ ଓ ବଳଦ, ରାବଣ ଓ ଶିବ ଲିଙ୍ଗ ଆଦି ମୂର୍ତ୍ତି ରହିଛି। ଭୋର ସୁଦ୍ଧା ଶୋଭାଯାତ୍ରା ବୁଢ଼ାରଜା ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ବୁଢ଼ାରଜା ପାହାଡ଼େଶ୍ବର ବାବାଙ୍କ ଯୁଗଳ ଦର୍ଶନ ଶୋଭଯାତ୍ରା ବୁଢ଼ାରଜା ଷ୍ଟେଟ୍‌ବ୍ୟାଙ୍କ ସାମ୍‌ନାରୁ ଆରମ୍ଭ ହୋଇ ଅଇଁଠାପାଲି ପର୍ଯ୍ୟନ୍ତ ଯିବ। ସକାଳେ ପୁଣି ଅଇଁଠାପାଲିରୁ ଫେରି ବୁଢ଼ାରଜା ଷ୍ଟେଟ୍‌ବ୍ୟାଙ୍କ୍‌ ଦେଇ ବୁଲି ପାହାଡ଼େଶ୍ବର ବାବାଙ୍କ ମନ୍ଦିରରେ ପହଞ୍ଚିବ। ଏଥିରେ ଦେବଦମ୍ପତିଙ୍କ ସହ ଶୋଭାଯାତ୍ରାରେ ଘଣ୍ଟ, ଦୁଲଦୁଲି, ସଂପ୍ରଦା, କରମା, ଶଂଖ, ପଶ୍ଚିମବଙ୍ଗର ଛଉ, କଳାହାଣ୍ଡିର ନୃ୍ତ୍ୟ, ମୟୂର ନାଚ, ଆସାମର ବିହୁ ଓ ତିୱା ନାଚ, କୋଲ୍‌କାତା ଓ ଖଡ଼ଗପୁରର ରେକର୍ଡ ଡ୍ୟାନ୍‌ସ ରହିଛି।

ସମ୍ବନ୍ଧିତ ଖବର