ସମ୍ବଲପୁରରେ ଶୀତଳଷଷ୍ଠୀ ଥାଳ ଉଠିଲା

ସମ୍ବଲପୁର : କରୋନା ଭୟ ଯୋଗୁଁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲେ ବି ଏହାର ଆଦ୍ୟ ପର୍ବ ଥାଳଉଠା ରବିବାର ନିରାଡ଼ମ୍ବରଭାବେ ଶେଷ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ସଂଧ୍ୟାରେ ବିଭିନ୍ନ ପଡ଼ାରେ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନନ୍ଦପଡ଼ାର ବ˚ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ମନ୍ଦିରରେ ବିଧିମତେ ପୂଜାର୍ଚ୍ଚନା ଓ ଆଳତି ପରେ ଥାଳ ଉଠିଥିଲା।

ସେହିପରି ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା ପରେ ଥାଳ ଉଠିଥିଲା। ପଡ଼ା ମୁରବୀମାନେ ଥାଳ ଧରି ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ନିଜ ପଡ଼ାରୁ ପାଣ୍ଠି ସ˚ଗ୍ରହ କରିଥିଲେ। ସମସ୍ତ ପଡ଼ାରେ ଖୁବ୍ କମ୍‌ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଥାଳଉଠା ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଯାତ୍ରା ଆୟୋଜନ କମିଟି ପକ୍ଷରୁ କନ୍ୟା ପିତାମାତା ନାମ ମଧ୍ୟ ଘୋଷଣା ହୋଇଥିଲା। ଆସନ୍ତା ମେ ୨୭ ତାରିଖରେ ଦେବଦେବ ମହାଦେବ ଏବଂ ଜଗତଜନନୀ ମାତା ପାର୍ବତୀଙ୍କ ଲୌକିକ ପରଂପରାରେ ବିବାହ କାର୍ଯ୍ୟକ୍ରମ ରହିଛି। ସେହିପରି ମେ ୨୮ରେ ଦେବ ଦମ୍ପତି ନଗର ପରିକ୍ରମ‌ାରେ ବାହାରିବା ଓ ୨୯ ଅପରାହ୍‌ଣରେ ମନ୍ଦିର ପ୍ରବେଶ କରିବା କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଓ ଯାତ୍ରା ଆୟୋଜନ କମିଟିଗୁଡ଼ିକ ପକ୍ଷରୁ ଦେବ ବିବାହ ଓ ଶୀତଳଷଷ୍ଠୀ ଶୋଭାଯାତ୍ରାର ରୂପରେଖ ସ୍ଥିର ହୋଇ ନାହିଁ।

ସମ୍ବନ୍ଧିତ ଖବର