ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଇତିହାସ ୩୪୪ ବର୍ଷ ପୁରୁଣା। ୧୬୭୯ ମସିହାରେ ସମ୍ବଲପୁରରେ ପ୍ରଥମ କରି ଶିବ ବିବାହ ଏବଂ ଶୀତଳଷଷ୍ଠୀ ଆୟୋଜିତ ହୋଇଥିଲା। ଏହାପରେ ନିରବଛିନ୍ନଭାବେ ଏହା ଅନୁଷ୍ଠିତ ହୋଇ ଆସୁଛି। ରଥାଯାତ୍ରା ପରେ ଏହା ହେଉଛି ରାଜ୍ୟର ଦ୍ବିତୀୟ ସର୍ବପୁରାତନ ଆଧ୍ୟାତ୍ମିକ ଯାତ୍ରା। ଏହି ଯାତ୍ରାରେ ପ୍ରତି ବର୍ଷ ଲକ୍ଷାଧିକ ଲୋକ ସାମିଲ ହୁଅନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହା ସବୁବେଳେ ରାଜ୍ୟ ସରକାରଙ୍କ ଦ୍ବାରା ଅବହେଳିତ ହୋଇ ଆସିଛି। ଏହି ବିଶାଳ ଯାତ୍ରାକୁ ସରକାର ଦେଉଥିବା ସାମାନ୍ୟ ଅନୁଦାନ ଠିକ୍ଭାବେ ଓ ନିୟମିତ ମିଳୁ ନଥିବାରୁ ଯାତ୍ରା କମିଟିମାନେ ସବୁବେଳେ ପ୍ରତିକ୍ରିୟା ପ୍ରକାଶ କରି ଆସୁଛନ୍ତି। ତେବେ ଏହାଠୁ ବଡ଼ ବିଡ଼ମ୍ବନା ହେଲା ସାଢ଼େ ତିନିଶହ ବର୍ଷ ପୁରୁଣା ଭକ୍ତି ଓ ସଂସ୍କୃତି ସମନ୍ବିତ ଏହି ଲୋକପର୍ବ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ମାନ୍ୟତା ବି ପାଇ ନାହିଁ।
ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଶୀତଳଷଷ୍ଠୀକୁ ସ୍ଥାନ ମିଳି ନାହିଁ। ଏହି ଯାତ୍ରା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ବି ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରାଯାଇ ନାହିଁ। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ୱେବ୍ସାଇଟ୍ରେ ଶୀତଳଷଷ୍ଠୀକୁ ସ୍ଥାନ ମିଳି ନାହିଁ। ଶୀତଳଷଷ୍ଠୀ ଯାତ୍ରାକୁ ଶହଶହ ବର୍ଷ ଧରି ସ୍ଥାନୀୟ ଲୋକେ ଆୟୋଜନ କରି ଆସୁଛନ୍ତି ଓ ଏହାକୁ ଅଗଣିତ ଜନସାଧାରଣଙ୍କ ପୃଷ୍ଠପୋଷକତା ମିଳିଛି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରାୟ ପ୍ରତି ବର୍ଷ ଏହି ଯାତ୍ରା ପାଇଁ ଅଭିନନ୍ଦନ ବାର୍ତ୍ତା ଦେଉଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ କିଛି ବର୍ଷ ହେଲା ଏହି ଯାତ୍ରା ଆୟୋଜନ ପାଇଁ ହାତଖୋଲା ସାହାଯ୍ୟ କରି ଆସିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରାକୁ ନା ଆଜି ପର୍ଯ୍ୟନ୍ତ ଉପଯୁକ୍ତ ସହଯୋଗ ମିଳିଛି ନା ସ୍ବୀକୃତି। ରାଜ୍ୟ ସରକାର ଶୀତଳଷଷ୍ଠୀ ତୁଳନାରେ ଅନେକ ଛୋଟଛୋଟ ପର୍ବ ଓ ଯାନିଯାତ୍ରାକୁ ସ୍ବୀକୃତି ଓ ପ୍ରୋତ୍ସାହନ ଦେଉଥିବାବେଳେ ଶୀତଳଷଷ୍ଠୀ ପ୍ରତି ଆଖି ବୁଜି ଦେଇଛନ୍ତି। ରାଜ୍ୟ ସଂସ୍କୃତି ବିଭାଗର ୱେବ୍ସାଇଟ୍ରେ ଶୀତଳଷଷ୍ଠୀ ସଂପର୍କରେ କୌଣସି ଉଲ୍ଲେଖ ନାହିଁ କି ଫଟୋ ଟିଏ ନାହିଁ। ସେହିପରି ରାଜ୍ୟ ପର୍ଯ୍ୟଟନ ବିଭାଗ ୱେବ୍ସାଇଟ୍ର ପର୍ବପର୍ବାଣୀ ଆଲେଖ୍ୟରେ କୋଣାର୍କର ମାଘ ସପ୍ତମୀ ମେଳା, ଛଉ ଉତ୍ସବ, ବ୍ରହ୍ମପୁରର ବୁଢ଼ି ଠାକୁରାଣୀ ଯାତ୍ରା ସ୍ଥାନ ପାଇଥିବାବେଳେ ପଶ୍ଚିମ ଓଡ଼ିଶାର ଏକମାତ୍ର ଧନୁଯାତ୍ରା ସଂପର୍କରେ ଉଲ୍ଲେଖ ଅଛି। ଶୀତଳଷଷ୍ଠୀ ସଂପର୍କରେ ଦୁଇପଦ ଲେଖିବା ବା ଫଟୋ ଟିଏ ପୋଷ୍ଟ କରିବା ଏହି ବିଭାଗ ଉଚିତ ମଣି ନାହିଁ।
ଆରମ୍ଭ ସମୟରେ ଶୀତଳଷଷ୍ଠୀ ସମ୍ବଲପୁରରେ କେବଳ ଶିବ ପାର୍ବତୀଙ୍କ ବିବାହ ଓ ରୀତିନୀତିରେ ସୀମିତ ଥିଲା। କିନ୍ତୁ କ୍ରମେ ଏଥିରେ ଯାତ୍ରା, ସଂସ୍କୃତି ଓ ମନୋରଂଜନ ଯୋଡ଼ିହେଲା। ଶହଶହ ବର୍ଷ ଧରି ଚାଲିବା ଭିତରେ ଏହି ଯାତ୍ରା ପରିପୁଷ୍ଟ ହୋଇଛି। ଗୋଟିଏ ପଡ଼ା ଲୋକଙ୍କ ଦ୍ବାରା ଆରମ୍ଭ ହୋଇଥିବା ଯାତ୍ରା ଏବେ ବିଶ୍ବର ସର୍ବବୃହତ ସାଂସ୍କୃତିକ ଶୋଭାଯାତ୍ରାର ରୂପ ନେଇଛି। ସମ୍ବଲପୁର ସହରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଉନବିଂଶ ଶତାବ୍ଦୀରେ ବରପାଲିରେ ଆରମ୍ଭ ହୋଇଥିଲା। ଏବେ ପଶ୍ଚିମ ଓଡ଼ିଶାର ବହୁ ସହର ଓ ଗାଁରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି। ମୂଳପୀଠ ସମ୍ବଲପୁରର ୨୦ରୁ ଅଧିକ ସ୍ଥାନରେ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ କରାଯାଉଛି।
ଶୀତଳଷଷ୍ଠୀ ଅବସରରେ ଶିବ-ପାର୍ବତୀଙ୍କ ବିବାହ ସାରା ରାଜ୍ୟର ବିଭିନ୍ନ ଶିବାଳୟରେ କରା ଯାଉଥିବାବେଳେ ଏହି ଅବସରରେ ହେଉଥିବା ଯାତ୍ରା ସମ୍ବଲପୁରକୁ ପ୍ରସିଦ୍ଧ କରିଛି। ଗୋଟିଏ ସପ୍ତାହ ଧରି ଚାଲୁଥିବା ଶୀତଳଷଷ୍ଠୀ ମୁଖ୍ୟ ଯାତ୍ରାରେ ପ୍ରତି ବର୍ଷ ଦେଶର କୋଣ ଅନୁକୋଣରୁ ଆସୁଥିବା ୧୦ ହଜାରରୁ ଅଧିକ କଳାକାରଙ୍କ ସମାବେଶ ହେଉଛି। ଲକ୍ଷାଧିକ ଲୋକ ଏହି ଯାତ୍ରା ଦେଖୁଛନ୍ତି। ତେବେ ଏହି ଦର୍ଶକ ମାନେ ମୁଖ୍ୟତଃ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ରୁ ଆସିଥାନ୍ତି। ଏହା ଦେଖିବା ପାଇଁ କିଛି ବିଦେଶୀ ଓ ରାଜ୍ୟ ବାହାର ପର୍ଯ୍ୟଟକ ଆସୁଥିଲେ ବି ସେମାନଙ୍କ ସଂଖ୍ୟା ଖୁବ୍ କମ୍। ଏପରିକି ଓଡ଼ିଶାର ଅନ୍ୟ ଭାଗରୁ ବି କମ୍ ସଂଖ୍ୟାରେ ଲୋକ ଶୀତଳଷଷ୍ଠୀ ଦେଖିବାକୁ ଆସନ୍ତି। ପର୍ଯ୍ୟଟନ, ସଂସ୍କୃତି ବିଭାଗର ପ୍ରୋତ୍ସାହନ ନ ମିଳିବା ତଥା ଉପଯୁକ୍ତ ପ୍ରଚାରପ୍ରସାରର ଅଭାବକୁ ଏଥି ପାଇଁ ଦାୟୀ କରାଯାଉଛି।
ଦୂରଦର୍ଶନରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସିଧା ପ୍ରସାରଣ
ସମ୍ବଲପୁର: ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ଚଳିତ ବର୍ଷ ଦୂରଦର୍ଶନ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପକ୍ଷରୁ ସିଧାପ୍ରସାରଣ କରାଯିବ। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ସମ୍ବଲପୁରଠାରେ ଅନୁଷ୍ଠିତ ପବିତ୍ର ଶୀତଳଷଷ୍ଠୀ ଯାତ୍ରାର ସିଧା ପ୍ରସାରଣ ଆସନ୍ତା ଜୁନ ୬ ତାରିଖ ସୋମବାର ସକାଳ ୧୧ଟାରୁ ମଧ୍ୟାହ୍ନ ୧.୩୦ ମିନିଟ ପର୍ଯ୍ୟନ୍ତ କରାଯିବା। ଏହି ପ୍ରସାରଣ ଡି.ଡି. ଓଡ଼ିଆ ଚ୍ୟାନେଲରେ ଉପଲବ୍ଧ ହେବ। ଡ. ସିଦ୍ଧାର୍ଥ ପଣ୍ଡା, ସତ୍ୟରଞ୍ଜନ ବେହେରା ଓ ସୀମତ୍ତିକା ଦାସ ଏଥିରେ ଧାରାବିବରଣୀ ପ୍ରଦାନ କରିବେ।
ସେଭଳି ଆକାଶବାଣୀ ସମ୍ବଲପୁର କେନ୍ଦ୍ର ସମେତ ବଲାଙ୍ଗୀର, ଭବାନୀପାଟଣା ଓ ରାଉରକେଲା କେନ୍ଦ୍ର ଦ୍ଵାରା ଏକ ସଂଗେ ଅସନ୍ତା ଜୁନ୍ ୬ ତାରିଖ ସୋମବାର ସକାଳ ୯ଟା ୩୫ ମିନିଟରୁ ଦିନ ୧ଟା ୫୦ ପର୍ଯ୍ୟନ୍ତ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଧାରାବିବରଣୀ ପ୍ରସାରଣ ହେବ। ଗୋଲବଜାର ଛକରୁ ଡ. ଦ୍ବାରିକାନାଥ ନାୟକ, ଡ. ଅଶୋକ କୁମାର ଦାସ ଓ ଦୀପକ କୁମାର ପଣ୍ଡା ଏବଂ ସଦର ମସଜିଦ, ପୀରବାବା ଛକରୁ ଡ. ଗୌରିଦାସ ପଧାନ, ଡ. ଶ୍ୟାମ ସୁନ୍ଦର ଧର ଓ ଡ. ଶ୍ୟାମ ଭୋଇ ଏହି ଧାରାବିବରଣୀ ପ୍ରଦାନ କରିବେ।