ଶୀତଳଷଷ୍ଠୀ ଯାତ୍ରା ଶାନ୍ତି ଓ ସମନ୍ବୟ ସମିତି ବୈଠକ, ଟ୍ରାଫିକ୍, ଆଇନ୍‌ଶୃଂଖଳା, ନିଶା ବନ୍ଦ ଉପରେ ଗୁରୁତ୍ବ

ରାସ୍ତାଘାଟ, ପରିମଳ, ବିଦ୍ୟୁତ୍‌, ଜଳଯୋଗାଣ ବ୍ୟବସ୍ଥିତ କରିବା ନେଇ ଆଲୋଚନା

ସମ୍ବଲପୁର: ଶୀତଳଷଷ୍ଠୀ ଯାତ୍ରା ପୂର୍ବରୁ ସହରର ପ୍ରମୁଖ ରାସ୍ତା ଗୁଡ଼ିକ ମରାମତି ହେବ। ଅବ୍ୟବସ୍ଥିତ ବିଜୁଳି ତାର ଗୁଡ଼ିକ କଢ଼ାଯାଇ ବିଦ୍ୟୁତ୍‌ ସେବା ବ୍ୟବସ୍ଥିତ କରାଯିବ। ସହରର ପରିମଳ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯିବ। ଯାତ୍ରା ସମୟରେ ସ୍ବାସ୍ଥ୍ୟ, ପାଣି, ଅଗ୍ନି ନିରାପତ୍ତା, ନିଶା ଦ୍ରବ୍ୟ, ଆଇନ୍‌ ଶୃଂଖଳା ଆଦି ନେଇ ଯେମିତି କୌଣସି ସମସ୍ୟା ନ ଉପୁଜେ ସେ ଦିଗରେ ସମସ୍ତ ବିଭାଗ ଓ ଯାତ୍ରା କମିଟି ମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୂତ ଶୀତଳଷଷ୍ଠୀ ଯାତ୍ରା ଶାନ୍ତି ଓ ସମନ୍ବୟ ସମିତି ବୈଠକରେ ସହମତି ହୋଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ‌ଏହି ବୈଠକରେ ସବୁ ବିଭାଗର ଅଧିକାରୀ ତଥା ସମସ୍ତ ଯାତ୍ରା କମିଟିର କର୍ମକର୍ତ୍ତା, ସଦସ୍ୟ, ସହରର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଗଣ ଉପସ୍ଥିତ ଥିଲେ।

ଯାତ୍ରା ପୂର୍ବରୁ ୨୫ ତାରିଖ ସୁଦ୍ଧା ଏସ୍‌ଏମ୍‌ସି ଅଧୀନରେ ଥିବା ରାସ୍ତା ଗୁଡ଼ିକର ମରାମତି ସହ ରାସ୍ତାଘାଟ ଓ ରିଂ ରୋଡ୍‌ ସଫେଇ କରାଯିବ ବୋଲି କମିସନର୍‌ ପ୍ରଦୀପ ସାହୁ କହିଥିଲେ। ଏହା ପର ତିନିଦିନ ମହାନଦୀ ଘାଟ ଗୁଡ଼ିକ ସଫା ହେବ ବୋଲି ସୂଚନା ଦେଇଥିଲେ। ଯାତ୍ରା ସମୟରେ ଏସ୍‌ଏମ୍‌ସି ପକ୍ଷରୁ ନିୟନ୍ତ୍ରଣ କକ୍ଷ, ଅସ୍ଥାୟୀ ଶୌଚାଳୟ, ଯାତ୍ରା ପଥରେ ଥିବା ଜବରଦଖଲ ଉଚ୍ଛେଦ, ଥଣ୍ଡା ପାଣି ଆଦିର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ଫାଷ୍ଟଏଡ୍, ସ୍ବାସ୍ଥ୍ୟ କର୍ମୀ ନିୟୋଜନ ଆଦି ଯୋଜନା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଅଶୋକ ଦାସ ସୂଚନା ଦେଇଥିଲେ।

ପୂର୍ତ୍ତ ବିଭାଗ ତୁରନ୍ତ ସହରର ପ୍ରମୁଖ ଯାତ୍ରା ପଥ ଯଥା ବଡ଼ ସଡ଼କ, ସାନ ସଡ଼କ, ଗୋଲବଜାର-ଲକ୍ଷ୍ମୀ ଟକିଜ୍-ମୁଦିପଡ଼ା-କୁଞ୍ଜେଲପଡ଼ା ରାସ୍ତା, ବଡ଼ବଜାର-କ୍ଷେତରାଜପୁର ରାସ୍ତା ତଥା ଠାକୁରପଡ଼ା-ଗୋପାଲମାଲ, ଫାଟକ-ବୁଢ଼ାରଜା-ଅଇଁଠାପାଲି ରାସ୍ତା ଆଦିର ମରାମତି କରିବାକୁ ବିଭିନ୍ନ ଯାତ୍ରା କମିଟିର ସଦସ୍ୟ ମାନେ ଦାବି କରିଥିଲେ। କ୍ଷେତରାଜପୁର ଓଭର୍ ବ୍ରିଜ୍ ନିର୍ମାଣ ଚାଲିଥିବା ସ୍ଥାନରେ ରାସ୍ତା ଖୋଲି ତାର ମରାମତି କରିବା ପାଇଁ ବଡ଼ବଜାର କମିଟି ପକ୍ଷରୁ କହା ଯାଇଥିଲା। ଯାତ୍ରା ପୂର୍ବରୁ ଯେଉଁ ରାସ୍ତାରେ ସମସ୍ୟା ଥିବ ତାକୁ ମରାମତି/କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସମ୍ବିତ ନାୟକ ପ୍ରତିଶ୍ରୁତି ଦେଇଥିଲେ।

ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ସହାୟକ ଯନ୍ତ୍ରୀ ଉପସ୍ଥିତ ରହି ପୂର୍ବ ବର୍ଷ ଭଳି ଯାତ୍ରା ସମୟରେ ଟ୍ୟାଙ୍କର, ସି‌ନ୍‌ଟେକ୍ସ ଟାଙ୍କି ଆଦିର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସହରରେ ଜଳଯୋଗାଣ ଯେମିତି ବ୍ୟାହତ ନହୁଏ ସେଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାତ୍ରା ସମୟରେ ମହାନଦୀରେ ପାଣି ଛାଡ଼ିବାକୁ କମିଟି ଗୁଡ଼ିକ ପକ୍ଷରୁ ଦାବି କରା ଯାଇଥିଲା। ଅଗ୍ନି ନିରାପତ୍ତା ଅଧିକାରୀ କିନ୍ତୁ ମିନା ବଜାରରେ ଷ୍ଟଲ୍ ଗୁଡ଼ିକ ଛଡ଼ାଛଡ଼ା କରିବାକୁ, ରସାୟନିକ ସ୍ପ୍ରେ’ କରିବାକୁ ପରାମର୍ଶ ଦେଇଥିଲେ ଓ ତା’ପରେ ଯାଇ ଅଗ୍ନିଶମ ବିଭାଗର ଅନୁମତି ମିଳିବ ବୋଲି କହିଥିଲେ। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଯାତ୍ରା ପଥ ଗୁଡ଼ିକର ତାଲିକା ମଗା ଯାଇଥିଲା।

କିନ୍ତୁ ଯାତ୍ରା ସମୟରେ ବା ତା’ପୂର୍ବରୁ ଆଦୌ ବିଦ୍ୟୁତ୍‌କାଟ ନକରିବାକୁ, ଅବ୍ୟବସ୍ଥିତ ବା ବିପଜ୍ଜନକ ଭାବେ ଥିବା ବିଜୁଳି ତା’ର ଗୁଡ଼ିକ ହଟାଇବାକୁ, ବିଦ୍ୟୁତ୍ କର୍ମଚାରୀ ୨୪ ଘଣ୍ଟା ଉପସ୍ଥିତ ରହି କୌଣସି ସମସ୍ୟା ହେଲେ ସମାଧାନ କରିବାକୁ ଯାତ୍ରା କମିଟିର ସଦସ୍ୟ ମାନେ ଦାବି କରିଥିଲେ। ଯାତ୍ରା କରୁଥିବା ପ୍ରତି ପଡ଼ା ପାଇଁ ଗୋଟିଏ ଲେଖାଏଁ ଟିମ୍ ଦେବାକୁ ସେମାନେ ପ୍ରସ୍ତାବ ଦେଇଥିଲେ। ପୂର୍ବ ଭଳି ଯାତ୍ରା କମିଟି ଗୁଡ଼ିକୁ କିରୋସିନ ଓ ଚିନି ଦେବାକୁ କହା ଯାଇଥିଲା। ପୂର୍ବରୁ କାର୍ଡଧାରୀଙ୍କୁ ଶୀତଳଷଷ୍ଠୀ ପାଇଁ ସ୍ବତନ୍ତ୍ର କୋଟା ଦିଆଯାଉଥିବା ବେଳେ କିଛି ବର୍ଷ ହେଲା ବନ୍ଦ ହୋଇ ଯାଇଥିବା ଏହି ବ୍ୟବସ୍ଥା ପୁନଃ ପ୍ରଚଳନ ପାଇଁ ସରକାରଙ୍କୁ ଚିଠି ଲେଖିବାକୁ   ପ୍ରସ୍ତାବ ଦିଆ ଯାଇଥିଲା। ଦୂରଦର୍ଶନର ପ୍ରଚାର ପ୍ରସାର ଓ ସିଧା ପ୍ରସାରଣ ପାଇଁ ଦୂରଦର୍ଶନ ଓ ଆକାଶବାଣୀକୁ କହା ଯାଇଥିଲେ ବି ଉପସ୍ଥିତ ଅଧିକାରୀ ଏ ସଂପର୍କରେ ଆଲୋଚନା କରି ଜଣାଇବେ ବୋଲି କହିଥିଲେ।

ଯାତ୍ରାର କିଛି ଦିନ ପୂର୍ବରୁ ଶେଷ ‌ହେବା ପର୍ଯ୍ୟନ୍ତ ଯେମିତି ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ ରହିବ ଓ ଆଦୌ ‌େଚାରା କାରବାର ନହେବ ତାହା କଡ଼ାକଡ଼ି କରିବାକୁ ଅବକାରୀ ଅଧୀକ୍ଷକଙ୍କୁ କହା ଯାଇଥିଲା। ଏସ୍‌ପି ବି. ଗଂଗାଧର ଆଇନ୍‌ ଶୃଂଖଳା ରକ୍ଷା ଦିଗରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ନିଶା କାରବାର, ବିଶେଷ କରି ଟାବ୍‌ଲେଟ୍‌, କଫ୍‌ ସିରପ୍ ଆଦି ସେବନ କରି ଯେମିତି କେହି ବିଶୃଂଖଳା ସୃଷ୍ଟି ନ କରିବେ ସେଥି ପ୍ରତି ଧ୍ୟାନ ଦେବାକୁ ଯାତ୍ରା କମିଟି ମାନେ ଦାବି କରିଥିଲେ। ସେହିପରି ଯାତ୍ରା ପଥରେ ଟ୍ରାଫିକ୍ ବ୍ୟବସ୍ଥା ଶୃଂଖଳିତ କରିବା ପାଇଁ ସେମାନେ ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। ସେହିପରି ସମସ୍ତ କାମ କରିବାରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପରିଡ଼ା ଯାତ୍ରା କମିଟି କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ। ସଭାକୁ ଅତିରିକ୍ତ ଜିଲ୍ଲାପାଳ ଆଜମ୍ବର ମହାନ୍ତି ସଂଯୋଜନା କରିଥିବାବେଳେ ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆଇପିଏସ୍‌ ପ୍ରବେସନ୍ ବି.ସି. ହରିଶ, ଡିଆର୍‌ଡିଏ ପିଡି ଦିଲୀପ ବଳଙ୍କ ସମେତ ସବୁ ବିଭାଗର ଅଧିକାରୀ, ସମସ୍ତ ପୁଲିସ୍‌ ଅଧିକାରୀଗଣ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର