ବରପାଲି: ବରପାଲି ୧୪୬ତମ ଶୀତଳଷଷ୍ଠୀ ଯାତ୍ରାର ଚତୁର୍ଥ ଦିବସରେ ଆଜି ସକାଳ ୭ଟାରେ ହର-ପାର୍ବତୀ ଓ ଶ୍ରୀ ଶ୍ରୀ ନଟରାଜ ଶିବଙ୍କ ସ୍ନାନ ପରେ ଶତଆରତି ଓ ଅମୃତ ମଣୋହୀ (ଅନ୍ନଭୋଗ) ଲାଗି କରାଯାଇଥିଲା। ବୈବାହିକ କାର୍ଯ୍ୟକ୍ରମ ଗଣ୍ଠିଆଳ ଫିଟା ଶୋଭାଯାତ୍ରା ଆତସବାଜି, ଘଣ୍ଟ ବାଦ୍ୟ, ଦୁଲଦୁଲି ବାଜା ସହ ସକାଳ ୯ଟାରେ ଭଣ୍ତାର ଗୃହରୁ ବାହାରି ରାଜବାଟି, ବ୍ଲକ ଅଫିସ୍‌ ଛକ, ରେଲୱେ ଛକ ଦେଇ ଜଗନ୍ନାଥ ନଗରଠାରେ ପହଂଚିଥିଲେ। ସେଠାରେ ବିଗତ ବର୍ଷର କନ୍ୟାପିତା ମଳୟ ତ୍ରିପାଠୀ, ଜଗନ୍ନାଥ ନଗରବାସୀଙ୍କ ଦ୍ବାରା ବୈଦିକ ରୀତିରେ ଗଣ୍ଠିଆଳ ଫିଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଭଣ୍ତାରଗୃହ ଓ ତହସିଲ ଛକ ହିମାଦ୍ରୀ ନଗର ପାର୍ବତୀ ମଣ୍ତପଠାରେ ମାଙ୍ଗଳିକ ଗଣଷଣ ଓ ତୈଳାଭିଷେକ କାର୍ଯ୍ୟକ୍ରମ ହୋଇଥିଲା।

Advertisment

publive-image

ପବିତ୍ର ତେଲ, ହଳଦୀକୁ ଭକ୍ତମାନଙ୍କୁ ପ୍ରଦାନ କରାଯାଇଥିଲା। ସନ୍ଧ୍ୟା ସମୟରେ ଭଣ୍ତାର ଗୃହରୁ ଅଳଙ୍କାର ଧାରଣ ନିମନ୍ତେ ଶୋଭାଯାତ୍ରାରେ ବାହାରି ହିମାଦ୍ରୀ ନଗର ତହସିଲଛକ ପାର୍ବତୀ ମଣ୍ତପଠାରେ ପହଂଚି ଜଗତ୍‌ଜନନୀ ମା’ ପାର୍ବତୀଙ୍କୁ ଅଳଙ୍କାର ଧାରଣ କରାଯାଇଥିଲା। ସେହିପରି ସନ୍ଧ୍ୟାରେ ବାବା କପିଳେଶ୍ବର ଓ ନଟରାଜ ଶିବଙ୍କୁ ଶତଆରତି, ଭୋଗ ଅର୍ପଣ କରାଯାଇଥିଲା। ରାତି ୯ଟା ସମୟରେ ହିମାଦ୍ରୀ ନଗର ଶୈବ ଭକ୍ତବୃନ୍ଦଙ୍କ ପକ୍ଷରୁ ଭଣ୍ତାର ଗୃହ ସମ୍ମୁଖରେ ନିମନ୍ତ୍ରଣ (ବରଧରା) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତିରେ ଦେବଦେବ ମହାଦେବ ବାବା କପିଳେଶ୍ବରଙ୍କ ବରାନୁଗମନ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ହିମାଦ୍ରୀ ନଗର ପାର୍ବତୀ ମଣ୍ତପଠାରେ ପହଂଚିଥିଲେ।

publive-image

ଏହି ଶୋଭାଯାତ୍ରାରେ ଆତସବାଜୀ ସହ ପିସାଚ, ବେତାଳ, କିନ୍ନର, ଘଣ୍ଟବାଦ୍ୟ, ଦୁଲଦୁଲି ବାଜା, ଘୁମୁରାନାଚ ଆଦି ସାମିଲ ହୋଇଥିଲା। ହିମାଦ୍ରୀ ନଗରରେ କନ୍ୟାପିତା ରାଜଗୋପାଳ ଦାଶଙ୍କ ଦ୍ବାରା ବାବା କପିଳେଶ୍ବରଙ୍କୁ ବାଟବରୁଣ କରାଯାଇ ବିବାହ ମଣ୍ତପକୁ ନିଆଯାଇଥିଲା। ବାବା କପିଳେଶ୍ବରଙ୍କ ବିବାହ ବରାତରେ ହଜାର ହଜାର ସଂଖ୍ୟାରେ ଶୈବଭକ୍ତ ସାମିଲ ହୋଇଥିଲେ। ହିମାଦ୍ରୀ ନଗରଠାରେ ବନ୍ଦିତା ନାଏକ ପାରାୟଣ, ଭୁଗିଭୂଗି ସହ ସହରର ବିଭିନ୍ନ ଛକଗୁଡ଼ିକରେ ମନୋରଞ୍ଜନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।