ସମ୍ବଲପୁର : ପବିତ୍ର ଶୀତଳଷଷ୍ଠୀ ଯାତ୍ରା ପାଇଁ ସ˚ସ୍କୃତିର ସହର ସମ୍ବଲପୁର ଉତ୍ସବମୁଖର ହୋଇ ଉଠିଛି। ଜଗତଜନନୀ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ଦେବଦେବ ମହାଦେବ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ବାହାରିଛନ୍ତି। ବରବେଶୀ ମହାଦେବଙ୍କ ଦର୍ଶନ ପାଇଁ ସହରର ସମସ୍ତ ରାସ୍ତାଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ନନ୍ଦପଡ଼ାର ବରାଡ଼ ବାଲୁ˚କେଶ୍ବର ବାବାଙ୍କ ବରାତ ଧୁମ୍‌ଧାମ୍‌ରେ ବାହାରିଥିଲା। ଏହି ବରଯାତ୍ରୀରେ ବରପିତା ରାମଚରଣ ମିଶ୍ର, ପଡ଼ାର ମୁରବି, ଯୁବକ, ଯାତ୍ରା କମିଟି ସଦସ୍ୟଙ୍କ ସମେତ ହଜାର ହଜାର ଭକ୍ତ ଓ କଳାକାର ସାମିଲ ହୋଇଥିଲେ। ଶୋଭାଯାତ୍ରା କନ୍ୟାଳୟରେ ପହଞ୍ଚିବା ପରେ କନ୍ୟା ପିତାମାତା ପ୍ରକାଶ ପାଣ୍ଡେ ଓ କାଦମ୍ବିନୀ ଆଚାର୍ଯ୍ୟଙ୍କ ସମେତ ବନ୍ଧୁବାନ୍ଧବ ଓ ପରିବାର ଲୋକେ ମହାଦେବ ଏବ˚ ବରଯାତ୍ରୀଙ୍କୁ ପାଛୋଟି ନେଇଥିଲେ। ବିଳମ୍ବିତ ରାତିରେ ବିବାହ କାର୍ଯ୍ୟ ସମ୍ପୂର୍ଣ ବୈଦିକ ରୀତିରେ ଆରମ୍ଭ ହୋଇଥିଲା।

Advertisment

ଝାଡୁଆପଡ଼ାର ଶ୍ରୀଶ୍ରୀ ଲୋକନାଥ ବାବାଙ୍କ ବରାତି ଶୋଭାଯାତ୍ରା ଜାକ୍‌ଜମକ୍‌ରେ ବାହାରିଥିଲା। ଶୋଭାଯାତ୍ରାରେ କୁଚିଣ୍ଡାର ଗୌରବାଡ଼ି, ହୀରାକୁଦର ଘଣ୍ଟ, ଗାଇସୀମାର ଶଂଖ, ବିଭିନ୍ନ ସ୍ଥାନର ଦୁଲଦୁଲି, ସଂପ୍ରଦା, କୋଲକାତାର ୪ ଦଳ ଆଧୁନିକ ନାଚ ସମେତ ପ୍ରାୟ ୬୦୦ କଳାକାର ନିଜ କଳା ପ୍ରଦର୍ଶନ କରିଥିଲେ। ଏହି ବରଯାତ୍ରାରେ ବରପିତା ସନ୍ତୋଷ ସୂପକାର, ଯାତ୍ରା କମିଟି ସଦସ୍ୟଙ୍କ ସମେତ ପଡ଼ାବାସୀ, ଅସ˚ଖ୍ୟ ଭକ୍ତ ଓ କଳାକାର ସାମିଲ ହୋଇଥିଲେ। ଶୋଭାଯାତ୍ରା କନ୍ୟାଳୟରେ ପହଞ୍ଚିବା ପରେ କନ୍ୟା ପିତାମାତା ଅମିୟ ମୁଣ୍ଡ ଏବଂ ସମିତା ମୁଣ୍ଡଙ୍କ ସମେତ ବନ୍ଧୁବାନ୍ଧବ ଓ ପରିବାର ଲୋକେ ଲୋକନାଥଙ୍କୁ ପର˚ପରା ଅନୁଯାୟୀ ପୂଜାର୍ଚ୍ଚନା କରି ସ୍ବାଗତ କରିଥିଲେ। ରାତ୍ରୀରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା।

ମୁଦିପଡ଼ା ମନ୍ଦିରରୁ ଜାଗେଶ୍ବର ବାବାଙ୍କ ବରଯାତ୍ରା ଉତ୍ସାହ ଉଦ୍ଦୀପନା ମଧୢରେ ମୁଦିପଡ଼ା ଛକ, ଲସ୍ତଲିଆ ଛକ ଦେଇ ପଟ୍ଟନାୟକପଡ଼ାସ୍ଥିତ କନ୍ୟା ପିତାମାତାଙ୍କ ଘରେ ପହଞ୍ଚିଥିଲା। କନ୍ୟା ପିତାମାତା ରାଜେଶ ଚନ୍ଦ୍ର ବହିଦାର ଏବଂ ଜାଗୃତି ବହିଦାରଙ୍କ ସମେତ କନ୍ୟାପକ୍ଷ ବରବେଶୀ ମହାଦେବ ଏବଂ ବରଯାତ୍ରୀଙ୍କୁ ପାଛୋଟି ନେଇଥିଲେ।

ଠାକୁରପଡ଼ା ଗୁପ୍ତେଶ୍ବର ବାବାଙ୍କ ବରଯାତ୍ରୀ ଶୁକ୍ରବାର ରାତିରେ ମନ୍ଦିରରୁ ବାହାରି ଦାନୀପାଲିସ୍ଥିତ କନ୍ୟାଳୟରେ ପହଞ୍ଚିଥିଲା। ବିଳମ୍ବିତ ରାତ୍ରୀରେ ଲୌକିକ ରୀତିନୀତିରେ ଗୁପ୍ତେଶ୍ବର ବାବାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା। କମିଟି ସଭାପତି ଶିବ ପ୍ରଧାନ, ଅଧ୍ୟକ୍ଷ ଲିଂଗରାଜ ପରିଡ଼ାଙ୍କ ସମେତ ସମସ୍ତ ସଦସ୍ୟ ବରଯାତ୍ରୀ ଦଳରେ ସାମିଲ ହୋଇଥିଲେ।

ବଡ଼ବଜାରର ଶୀତଳେଶ୍ବର ବାବାଙ୍କ ବରଯାତ୍ରୀ ଶୋଭାଯାତ୍ରା ଏଥର ସବୁଠୁ ସଅଳ ଆରମ୍ଭ ହୋଇଥିଲା। ଏହି ଉତ୍ସବରେ ସମ୍ବଲପୁର ସାଂସଦ ନିତେଶ ଗଂଗଦେବ, ତାଙ୍କ ପତ୍ନୀ ଅରୁନ୍ଧତି ଦେବୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ରେଂଗାଲି ବିଧାୟକ ନାଉରୀ ନାୟକ, ବରଗଡ଼ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସାମିଲ ହୋଇ ଶୀତଳେଶ୍ବର ବାବାଙ୍କ ଆଳତି କରିବା ସହ ବାବାଙ୍କ ପାଲିଙ୍କି କାନ୍ଧେଇ ଥିଲେ।

ସେହିପରି ବାଲିବନ୍ଧାର ସୋମନାଥ ବାବା, ବୁଢ଼ାରଜାର ପାହାଡେ଼ଶ୍ବର ବାବା, ଦୁର୍ଗାପାଲିର ଗୁଡେ଼ଶ୍ବର ବାବା, ଭତରାର ଶ˚କର ବାବା, ଗୋବିନ୍ଦତୋଲାର ସ୍ବପ୍ନେଶ୍ବର ବାବା, ସାକ୍ଷୀପଡ଼ାର ଓଁକାରେଶ୍ବର ବାବା, ସିନ୍ଦୁରପଙ୍କର ତାରକେଶ୍ବର ବାବା, କଟରଧୁଆର ମହାକାଳେଶ୍ବର ବାବା ବରବେଶରେ ଯାଇ କନ୍ୟାଳୟରେ ପହଞ୍ଚିଛନ୍ତି। ମାତା ପାର୍ବତୀଙ୍କ ସହ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଛି।