ଶୀତଳଷଷ୍ଠୀ ଥାଳ ଉଠିଲା

ସମ୍ବଲପୁର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମଙ୍ଗଳବାର ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠିଛି।

ନନ୍ଦପଡ଼ାର ବ˚ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବା, ବଡ଼ବଜାର ଶୀତଳେଶ୍ବର ବାବା, ଠାକୁରପଡ଼ା ଗୁପ୍ତେଶ୍ବର ବାବା, ବୁଢ଼ାରଜା ବାବା, ଗୋବିନ୍ଦତୋଲାର ସ୍ବପ୍ନେଶ୍ବର ବାବା, ସାକ୍ଷୀପଡ଼ା ଓମ୍‌କାରେଶ୍ବର ବାବା, ଗୋପାଲମାଲ ମହାମାୟା ମନ୍ଦିରର ମହାକାଳେଶ୍ବର ବାବାଙ୍କ ମନ୍ଦିରରେ ବିଧିମତେ ପୂଜାର୍ଚ୍ଚନା ଓ ଆଳତି ପରେ ଥାଳ ଉଠିଛି। ପଡ଼ା ମୁରବିମାନେ ଥାଳ ଧରି ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ନିଜ ପଡ଼ାରୁ ପାଣ୍ଠି ସ˚ଗ୍ରହ କରିଛନ୍ତି। ମାସେ ପରେ ଜୁନ୍‌ ପ୍ରଥମ ସପ୍ତାହରେ ଦେବଦେବ ମହାଦେବ ଏବଂ ଜଗତଜନନୀ ମାତା ପାର୍ବତୀଙ୍କ ଲୌକିକ ପରଂପରାରେ ବିବାହ ସଂପନ୍ନ ହେବ। ବିବାହ ପର ରାତିରେ ଦେବ ଦମ୍ପତି ନଗର ପରିକ୍ରମାରେ ବାହାରିବେ ଓ ତାପରଦିନ ଅପରାହ୍ନରେ ଯାତ୍ରା ଶେଷ ହେବ। ଅକ୍ଷୟ ତୃତୀୟାକୁ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବଭାବେ ବିବେଚନା କରାଯାଉଥିବାବେଳେ ଏହିଦିନ ପ୍ରଚଳିତ ପରମ୍ପରା ଅନୁଯାୟୀ ଯାତ୍ରା କମିଟି ଗୁଡ଼ିକ ପକ୍ଷରୁ ବିଭିନ୍ନ ପଡ଼ାର କନ୍ୟା ପିତାମାତାଙ୍କ ନାମ ମଧୢ ଘୋଷଣା କରାଯାଇଛି। ଗତ ୨ ବର୍ଷ ଧରି କରୋନା କଟକଣା କାରଣରୁ ଶୀତଳଷଷ୍ଠୀ ଯାତ୍ରାକୁ ବିଧିରକ୍ଷା ପୂର୍ବକ ଆୟୋଜନ କରା ଯାଇଥିଲାବେଳେ ଥାଳ ଉଠା ପର୍ବ ମଧ୍ୟ ହାତଗଣତି ଲୋକଙ୍କ ଉପସ୍ଥିତିରେ ନିରାଡ଼ମ୍ବର ଭାବେ ପାଳିତ ହୋଇଥିଲା। ଚଳିତ ବର୍ଷ ଏହି ଯାତ୍ରା ଆଡ଼ମ୍ବର ସହକାରେ ପାଳନ କରିବାକୁ ସବୁ କମିଟି ସ୍ଥିର କରିଛନ୍ତି। ଆଜିଠୁ ଏହି ଧାରା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର