ବାମରା: ସମ୍ବଲପୁର ଜିଲ୍ଲାରେ ପୁଣି ଜଣେ ଅପରାଧୀକୁ ଏନ୍କାଉଣ୍ଟର୍ କରିଛି ପୁଲିସ। ତେବେ ଏଥର ସହର ନୁହେଁ, ବଣଜଙ୍ଗଲଘେରା ବାମରା ବ୍ଲକ୍ର ରଙ୍ଗିଆଟିକ୍ରା ନିକଟରେ ଅପରାଧୀକୁ ଜଖମ କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀ (୩୪) ଗୁରୁତର ଆହତ ହୋଇଛି। ସୀତାରାମର ବାମ ଆଣ୍ଠୁରେ ଗୁଳି ବାଜିଛି। କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବୁର୍ଲା ଭିମ୍ସାରକୁ ସ୍ଥାନାନ୍ତର କରାଯାଇଛି। ସୀତାରାମର ଘର ସର୍ଗିଡ଼ିହି ଗ୍ରାମରେ ହୋଇଥିବା ବେଳେ ତା’ ନାଁରେ ବହୁ ଆପରାଧିକ ମାମଲା ରହିଛି।
୩ ଜିଲ୍ଲାରେ ଖେଳାଇଥିଲା ଆତଙ୍କ
୨୫ରୁ ଅଧିକ ସଙ୍ଗିନ ଅପରାଧରେ ସଂପୃକ୍ତ
ବାମରା ଥାନା କେସ୍ ସଂଖ୍ୟା ୪୬/୨୫ରେ ଅଭିଯୁକ୍ତ ସୀତାରାମକୁ ଧରିବା ପାଇଁ କିଛି ଦିନ ତଳୁ ଯୋଜନା କରାଯାଇଥିଲା। ହେଲେ ପୁଲିସକୁ ବାରମ୍ବାର ଚକମା ଦେଇ ସେ ଖସିଯାଉଥିଲା। ତେବେ ଶନିବାର ତା’ର ଉପସ୍ଥିତି ସଂପର୍କରେ ଖବର ପାଇ ପୁଲିସ କଡ଼ା ନଜର ରଖିଥିଲା। ରବିବାର ଭୋର ୫ଟା ୧୫ରେ ସୀତାରାମ ଏକ ବାଇକ୍ରେ କୁଚିଣ୍ଡା ପଟୁ ବାମରା ଆଡ଼କୁ ଯିବାବେଳେ ରଙ୍ଗିଆଟିକ୍ରା ପଞ୍ଚାୟତ ଘୁନଘୁଟି ଘାଟି ତଳେ ଛକି ରହିଥିବା ପୁଲିସ ଟିମ୍ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ତା’ ବନ୍ଧୁକରୁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇବାରୁ ସୀତାରାମ ଜଖମ ହୋଇଥିଲା। ତା’ଠାରୁ ଗୋଟିଏ ଦେଶୀ ପିସ୍ତଲ, ଅଫୁଟା ଗୁଳି, ନଗଦ ୧ ଲକ୍ଷ ଟଙ୍କା ଏବଂ ନମ୍ବରବିହୀନ ବାଇକ୍ ଜବତ କରାଯାଇଛି। ଘଟଣାସ୍ଥଳରୁ ସୀତାରାମ ଓ ପୁଲିସ ଦ୍ୱାରା ବ୍ୟବହୃତ ୨ଟି ଲେଖାଏଁ ଗୁଳିର ଖୋକା ମଧ୍ୟ ଜବତ ହୋଇଛି।
ସୀତାରାମ ନାଁରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା, ଲୁଟ୍, ଡକାୟତି, ଦାଦାବଟି ଆଦାୟ ଭଳି ୨୫ରୁ ଅଧିକ ସଙ୍ଗିନ ମାମଲା ରହିଛି। ପୂର୍ବରୁ ସେ ଏନ୍ଏସ୍ଏରେ ଅଟକ ରହିଥିଲା। ସମ୍ବଲପୁର ଏସ୍ପି ମୁକେଶ ଭାମୁଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ସୀତାରାମ ବାମରାର ବହୁଚର୍ଚ୍ଚିତ ଗୋଲୁ ଖଣ୍ଡେଲୱାଲଙ୍କ ଘରେ ଡକାୟତି ମାମଲାରେ ସଂପୃକ୍ତ। କିଛିଦିନ ପୂର୍ବରୁ ସେ ଝାରସୁଗୁଡ଼ା ଜେଲ୍ରୁ ବାହାରିଥିଲା। ଝାଡ଼ଖଣ୍ଡର ଅପରାଧୀମାନଙ୍କ ସହିତ ମଧ୍ୟ ସୀତାରାମର ସଂପୃକ୍ତି ରହିଛି। ତା’ର ସହଯୋଗୀମାନଙ୍କୁ ଖୁବ୍ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଏସ୍ପି କହିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୧ରେ ସମ୍ବଲପୁର ସିଟି ଷ୍ଟେସନ୍ରେ ଦୁଇଜଣ ଗୋରୁ ବେପାରୀଙ୍କୁ ସମ୍ବଲପୁର ପୁଲିସ ଏନ୍କାଉଣ୍ଟର୍ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/14/1EGmhF3vUSGbaI7EgWMu.jpg)