ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଡକେଇପାଳ ଗ୍ରାମର ମୁକ୍ତାଝରି ସାହିରେ ରବିବାର ଦିନ ଗୋଟାଏବେଳେ ସୀତାରାମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ସମୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ମହାନଦୀରେ ହାତୀ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍ରେ ସାମିଲ ଥାଇ ନଦୀରେ ନିଖୋଜ ହେବାର ଗୋଟିଏଦିନ ପରେ ସୀତାରାମଙ୍କ ମୃତଦେହ ମିଳିଥିଲା। ବ୍ୟବଚ୍ଛେଦ ପରେ ରାତି ଗୋଟାଏ ସୁଦ୍ଧା ଜନ୍ମମାଟି ମୁକ୍ତାଝରିରେ ମୃତଦେହ ପହଞ୍ଚି ଥିଲା। ଏସ୍ପି ହୃଷୀକେଶ ଧ୍ୟାନଦେଓ ଖିଲାରୀ ବାରିପଦାରୁ ଆସି ୧୧ଟା ବେଳକୁ ମୁକ୍ତାଝରିରେ ପହଞ୍ଚିଥିଲେ। ସୀତାରାମଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀଙ୍କ ଶବକୁ ଉଚିତ୍ ସମ୍ମାନ ମିଳିନାହିଁ। ତାଙ୍କୁ ସହିଦ ମାନ୍ୟତା ଦେବା ସହିତ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସଂସ୍କାର କରିବାକୁ ସେ ଦାବି କରିଥିଲେ। ପରିବାରର ଅନ୍ୟ ସଦସ୍ୟମାନେ କ୍ଷତିପୂରଣ ସହ ଚାକିରି ପାଇଁ ମଧ୍ୟ ଦାବି କରିଥିଲେ। ଦାବି ପୂରଣ ନ ହେଲେ ଶବ ସତ୍କାରରେ ସହଯୋଗ ନ କରିବାକୁ ଅଡ଼ି ବସିଥିଲେ। ଏହାପରେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସୀତାରାମଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ତୋପ ସଲାମୀ ଦିଆଯାଇଥିଲା। ଏସ୍ପିଙ୍କ ସମେତ ପୁଲିସ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସୀତାରାମଙ୍କୁ ସମ୍ମାନ ଜଣାଇଥିଲେ। ଏହି ଅବସରରେ ବ୍ୟବସ୍ଥା ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ଏସ୍ପି ଶ୍ରୀ ଖିଲାରୀ ପ୍ରତିଶ୍ରୁତି ଦେଇଥିଲେ।
ବିଧାୟିକା ବାସନ୍ତୀ ହେମ୍ବ୍ରମ, ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ପଦ୍ମଚରଣ ହାଇବ୍ରୁ, ବ୍ଲକ୍ ଉପାଧ୍ୟକ୍ଷା ଜବାମଣି ଟୁଡୁ, ବସନ୍ତ କୁମାର ପଇବର୍ତ୍ତୀ, ବିଡିଓ ଶ୍ୟାମସୁନ୍ଦର ଟୁଡୁ, ତହସିଲଦାର ଜୟକୃଷ୍ଣ ପାତ୍ର, ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ମହୁଲଡିହା ଥାନା ଆଇଆଇସି ରଞ୍ଜୁ ହାସିନା କୁଲୁ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଜଣାଇଥିଲେ। ଶତାଧିକ ଜନସାଧାରଣ ସୀତାରମଙ୍କ ଅନ୍ତିମ ଯାତ୍ରାରେରେ ସାମିଲ ହୋଇଥିଲେ। ସୀତାରାମଙ୍କ ପୁତ୍ର ମୁଖାଗ୍ନି ଦେଇଥିଲେ।