ଚମ୍ପୁଆ/ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନର ନିଶ୍ଚିନ୍ତପୁର ଗ୍ରାମ ମୁଣ୍ଡାସାହିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଭୀମ ମୁଣ୍ଡା (୫୦)। ଗତକାଲି ସନ୍ଧ୍ୟାରେ ହାତୀ ପାଇଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ କାଟ ହୋଇଥିଲା। ରାତି ପ୍ରାୟ ୯ଟାବେଳେ ଭୀମ ଏବଂ ତାଙ୍କ ସ୍ତ୍ରୀ ସୁଷମା ଘର ଆଗରେ ବସିଥିଲେ। ସ୍ଥାନୀୟ ଜଙ୍ଗଲରେ ରହୁଥିବା ଏକ ୨୩ଟିକିଆ ହାତୀପଲ ଗାଁ ଭିତରକୁ ପଶି ଆସିଥିଲେ। ହାତୀପଲକୁ ଦେଖି ପତ୍ନୀ ସୁଷମା ଦୌଡ଼ି ପଳାଇଥିଲେ। ଭୀମଙ୍କୁ ଏକ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେବା ପରେ ଚାଲିଯାଇଥିଲା।
ହାତୀପଲ ଯିବା ପରେ ସ୍ଥାନୀୟ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ଭୀମଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ମାସେ ତଳେ ହାତୀ ଆକ୍ରମଣରେ ମିରିଗିଶିଙ୍ଗାର ଜଣେ ଗଜସାଥୀଙ୍କ ମୃତ୍ୟୁ ଘଟିଥିଲା। ହାତୀ ପାଇଁ ସନ୍ଧ୍ୟା ହେଲେ ବିଦ୍ୟୁତ୍ କାଟ କରାଯାଉଛି। ଅନ୍ଧାରର ସୁଯୋଗ ନେଇ ଜଙ୍ଗଲରେ ରହୁଥିବା ହାତୀପଲ ନିକଟସ୍ଥ ଜନବସତିକୁ ପଶି ଆସୁଛନ୍ତି। ଅନ୍ଧାରରେ ହାତୀଙ୍କୁ ଦେଖିବା ସମ୍ଭବ ହେଉନି। ଫଳରେ ବିଭିନ୍ନ ସମୟରେ ଲୋକେ ଅଚାନକ ହାତୀ ହାବୁଡ଼ରେ ପଡ଼ିଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।