ଭୁବନେଶ୍ବର : ଜାନୁଆରି ମାସରୁ କେନ୍ଦ୍ର ସରକାର ୯ଲକ୍ଷ ୫୯ହଜାର ୫୧୮ଟି ଘର ଆବଣ୍ଟନ କଲେଣି। ହେଲେ ରାଜ୍ୟ ସରକାର ଘର ବାଣ୍ଟିପାରୁନାହାନ୍ତି। ହିତାଧିକାରୀଙ୍କ ତାଲିକା ଧରି ବସିଛନ୍ତି, କିନ୍ତୁ ଘର ବାଣ୍ଟିବାକୁ ସାହାସ ଜୁଟାଇ ପାରୁନାହାନ୍ତି। କାରଣ ପ୍ରତି ଗାଁରେ ଆବାସ ହିତାଧିକାରୀ ତାଲିକାକୁ ନେଇ ତୀବ୍ର ଅସନ୍ତୋଷ। ଅଭିଯୋଗ ଆଧାରରେ ଯେଉଁ ୫୦,୭୬୩ ଜଣ ହିତାଧିକାରୀଙ୍କୁ କାଟିଛନ୍ତି ସେମାନେ ହିଁ ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ସାଜିଛନ୍ତି। ସ୍ଥିତି ଏପରି ହେଲାଣି ଯେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖୁଥିବା ଲୋକ ଏଥର ବର୍ଷା ଦିନେ କିପରି ଘରେ ରହିବ ତାହା ଭାବି ଭାବି ରାତିର ନିଦ ହଜାଇ ଦେଲାଣି।
ରାଜ୍ୟରେ ଘର ପାଇନଥିବା ୧୨ଲକ୍ଷ ୨୪ହଜାର ୭୨୬ ଜଣ ଲୋକଙ୍କ ତାଲିକା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରସ୍ତୁତ କରିଥିଲା। ଗ୍ରାମୀଣ ଉନ୍ନୟନମନ୍ତ୍ରଣାଳୟ ପକ୍ଷରୁ କୁହାଗଲା ଯେ ମାର୍ଚ୍ଚ, ୨୦୧୯ ସୁଦ୍ଧା ରାଜ୍ୟ ସରକାର ଯେତିକି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିବେ ସେତିକି ଚୂଡ଼ାନ୍ତ। ହେଲେ ୪ବର୍ଷ ପରେ ଆବାସ ଘର ଆବଣ୍ଟନ କରିବା ବେଳକୁ ୯ଲକ୍ଷ ୫୯ହଜାର ୫୧୮ଟି ଘର ଦେଲେ। ବଳକା ୨ଲକ୍ଷ ୬୫ହଜାର ୨୦୬ଜଣ ହିତାଧିକାରୀଙ୍କ ପାଇଁ ଘର ନଥିବାରୁ କାହାକୁ ଘର ଆବଣ୍ଟନ କରିବେ, କାହାକୁ କରିବେନି ସେନେଇ ରାଜ୍ୟ ସରକାର ହରଡ଼ଘଣାରେ ପଡ଼ିଯାଇଛନ୍ତି। ଲୋକ ଘର ପାଇଁ ଆବେଦନ କରିଥିବାରୁ କ’ଣ ହେଲା ସେନେଇ ବ୍ଲକକୁ ଦଉଡ଼ି ଦଉଡ଼ି ଚପଲ ଛିଣ୍ଡି ଯାଇଥିଲେ ବି କେବେ ଘର ମିଳିବ ସେନେଇ କାହାଠାରୁ ବି ସ୍ପଷ୍ଟ ଉତ୍ତର ପାଉନାହାନ୍ତି।
ବିଧାନସଭା ଭିତରେ ଗୋଟିଏ, ବାହାରେ ମନ୍ତ୍ରୀଙ୍କର ଆଉ ଗୋଟିଏ ଉତ୍ତର
ଗାଁ ଗାଁରେ ଅସନ୍ତୁଷ୍ଟଙ୍କୁ ବୁଝାଇବାକୁ ବାଟ ପାଉନାହାନ୍ତି
୫୦,୭୬୩ ହିତାଧିକାରୀ କଣ୍ଟା ସାଜିଛନ୍ତି, ପାଞ୍ଚମାସ ବିତିଗଲାଣି
ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉପଯୁକ୍ତ ହିତାଧିକାରୀ ଚୟନ ହୋଇନାହାନ୍ତି। ତେଣୁ ଆବାସ ଘର ବଣ୍ଟା ହୋଇପାରୁନି। ଖୁବ୍ ଶୀଘ୍ର ପ୍ରକ୍ରିୟା ଶେଷ କରି ଘର ବଣ୍ଟା ହେବ। ହେଲେ କେବେ ସୁଦ୍ଧା ଘର ବଣ୍ଟା ହେବ ସେନେଇ ମନ୍ତ୍ରୀ କିଛି ସ୍ପଷ୍ଟ କରିନାହାନ୍ତି।
ମନ୍ତ୍ରୀ ଆଜି ତାଲିକା ଚୂଡ଼ାନ୍ତ ହୋଇନଥିବା କହିଥିଲେ ହେଁ, ଗତ ଫେବ୍ରୁଆରିରେ ବିଧାସଭାରେ ମନ୍ତ୍ରୀ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବର ଆଲୋଚନାରେ ଭାଗ ନେଇ କହିଥିଲେ ଯେ ତାଲିକା ଚୂଡ଼ାନ୍ତ ହୋଇଗଲାଣି। ଖୁବ୍ ଶୀଘ୍ର ଘର ଆବଣ୍ଟନ ହେବ। ମନ୍ତ୍ରୀ ସେତେବେଳେ କହିଥିଲେ, କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ ଡିସେମ୍ବର ୧୫,୨୦୨୨ରେ ରାଜ୍ୟକୁ ୧,୪୨,୦୦୫ଟି ସ୍ବତନ୍ତ୍ର ଆବାସ ଗୃହ ମଞ୍ଜୁର କରିଥିଲେ। ରାଜ୍ୟ ସରକାର ଆର୍ଏଚ୍ ପୋର୍ଟାଲ ମଧ୍ୟମରେ ୧୨,୨୪,୭୨୬ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ସେହି ସଂଖ୍ୟକ ପ୍ରଧାନମନ୍ତ୍ରୀ ଗୃହକୁ ମଞ୍ଜୁର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଅଗଷ୍ଟ,୨୦୨୨ରେ ମନ୍ତ୍ରୀ ନିଜେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଏହି ଦାବି ଉପସ୍ଥାପନ କରିଥିଲେ। ଏହାପରେ କେନ୍ଦ୍ର ସରକାର ୨୦୨୧-୨୨, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯,୫୯,୫୧୮ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଗୃହ ମଞ୍ଜୁର କରିଥିଲେ।
ଏଥିପାଇଁ ସ୍ବଚ୍ଛତା ଆଧାରରେ ହିତାଧିକାରୀ ଚୟନ କରାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ୧,୦୮,୨୪୩ଟି ଅଭିଯୋଗ ହସ୍ତଗତ ହୋଇଥିଲା। ସମସ୍ତ ଅଭିଯୋଗକୁ ବ୍ଲକସ୍ତରରେ ୩ଜଣିଆ କମିଟି ଜରିଆରେ ସରଜମିନ୍ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ୫୦,୭୬୩ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ଏହାପରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ସଂପୃକ୍ତ ଗ୍ରାମପଞ୍ଚାୟତର ଅନୁମୋଦନ ନିମନ୍ତେ ଦାଖଲ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୬୭୨୨ ପଞ୍ଚାୟତ ଏହି ତାଲିକାକୁ ଅନୁମୋଦନ କରିଛନ୍ତି। ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା େଶଷ ପରେ ରାଜ୍ୟ ସରକାର କାର୍ଯ୍ୟାଦେଶ ଆବଣ୍ଟନ କରିବେ।
ଯଦି ପଞ୍ଚାୟତ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଲାଣି ତେବେ ରାଜ୍ୟ ସରକାର କାହିଁକି ୩ମାସ ହେଲା ତାଲିକାକୁ ଚାପିକି ବସିଛନ୍ତି? କାହିଁକି ଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଣ୍ଟନରେ ଟାଳଟୁଳ ନୀତି ଆପଣା ଯାଉଛି ସେନେଇ ଏବେ ପ୍ରଶ୍ନ ଉଠିଲାଣି।