ନୀଳଗିରି: ସୃଷ୍ଟି ହେଲାଣି ଜଳ ସଂକଟ। ଶୁଖିଯାଉଛି ପ୍ରାକୃତିକ ଜଳଉତ୍ସ। ଏପରି କି ଝରଣାଗୁଡ଼ିକ ମଧ୍ୟ ଶୁଖିଗଲାଣି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ। ୨୭୨.୮ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ କୁଲଡ଼ିହା ଅଭୟାରଣ୍ୟ ଏହାର ପ୍ରାକୃତିକ ପରିବେଶ, ଝରଣା ଏବଂ ବିଭିନ୍ନ ପଶୁପକ୍ଷୀଙ୍କୁ ନେଇ ଅନନ୍ୟ ପରିଚୟର ଅଧିକାରୀ। ଏଠାରେ ହାରାହାରି ତାପମାତ୍ରା ୨୩ ଡିଗ୍ରି ରହୁଥିବା ବେଳେ ଖରାଦିନେ ୪୪ ଡିଗ୍ରି ପହଞ୍ଚିଯାଏ। ତେବେ ଜଳବାୟୁ ପରିବର୍ତ୍ତନର ଗଭୀର ପ୍ରଭାବ କୁଲଡ଼ିହା ଅଭୟାରଣ୍ୟରେ ପଡ଼ିଛି। ଏହାର ପ୍ରଭାବରେ କିଛିବର୍ଷ ହେଲା ଗଡ଼ସିମୁଳିଆ ଓ ମେଛକୁଣ୍ଡ ଭଳି ମୁଖ୍ୟ ଝରଣା ସହ ଅନ୍ୟ ୧୦ରୁ ଅଧିକ ଛୋଟ ଝରଣାର ପାଣି କମିଛି। ତେବେ ଚଳିତବର୍ଷ ସ୍ଥିତି ଅଧିକ ବିଗିଡ଼ିଛି। ଗଡ଼ସିମୁଳିଆ ଓ ମେଛକୁଣ୍ଡ ଝରଣା ସଂପୂର୍ଣ୍ଣ ଶୁଖିଯାଇଥିବା ବେଳେ ଅନ୍ୟ ଛୋଟ ଝରଣାଗୁଡ଼ିକ ମଧ୍ୟ ମୃତପ୍ରାୟ।

Advertisment

ଅନ୍ୟପଟେ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟ ଭିତରେ ଖୋଳା ଯାଇଥିବା ଜଳାଶୟଗୁଡ଼ିକରେ ମଧ୍ୟ ପାଣି ନାହିଁ। ବିଭାଗ ପକ୍ଷରୁ ୬୦ଟି ଜଳାଶୟ ଖୋଳା ଯାଇଥିବା ବେଳେ ଦେଖାରେଖା ଅଭାବରୁ ୩୦ଟି ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ସେହିପରି ୧୦ଟି ପ୍ରାୟ ପୋତି ହେବା ଅବସ୍ଥାକୁ ଚାଲିଆସିଛି। ଏପରି ସମୟରେ ପଶୁପକ୍ଷୀମାନେ ପିଇବାକୁ ପାଣି ପାଉ ନାହାନ୍ତି। ଯାହା ପରିବେଶବିତ୍‌ ଓ ପ୍ରକୃତିପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ସରକାର ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନୀଳଗିରି ରାଜା ତଥା ପ୍ରକୃତିପ୍ରେମୀ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ମତ ରଖିଛନ୍ତି। ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ ଭୂଗୋଳ ବିଭାଗ ମୁଖ୍ୟ ତଥା ବିଶିଷ୍ଟ ଭୂତତ୍ତ୍ବବିତ୍‌ ପ୍ରଫେସର ମନୋରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ବର୍ଷା କମୁଛି। ଫଳରେ ଜଳସ୍ତରରେ ଅସ୍ବାଭାବିକ ପରିବର୍ତ୍ତନ ହେଉଛି। ବିଭିନ୍ନ ଜଳଉତ୍ସ ଉପରେ ପ୍ରଭାବ ପଡ଼ୁଛି। ଏପରି କି ଝରଣା ମଧ୍ୟ ଶୁଖିଯାଉଛି। ଏହାର ପ୍ରତିକାର କରିବାକୁ ହେଲେ ସାମୂହିକ ଚିନ୍ତନର ଆବଶ୍ୟକତା ଅଛି।