ବାଲେଶ୍ବର: ସବୁ ଘରକୁ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି। ପାଣି ପାଇଁ କେହି ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଅସଜଡ଼ା ନଳକୂଅ ସବୁ ସଜଡ଼ା ଯିବ। ପିଇବା ପାଣି ନାଁରେ ପୂର୍ବ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏମିତି ଡିଣ୍ଡିମ ପିଟିଥିଲେ। ହେଲେ ଆଜିଯାଏଁ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ମିଳିବା ସ୍ବପ୍ନ ହୋଇଛି। ବର୍ଷ ବର୍ଷ ଧରି ବାଲେଶ୍ବର ସହରବାସୀ ଗୋଳିଆ, ଲୁହାଗୁଣ୍ଡ, ପଙ୍କୁଆ, ଅଳିଆ ଆବର୍ଜନା ଭାସୁଥିବା ପାଣି ପିଉଛନ୍ତି। ଯାହା ଆଜି ବିଭିନ୍ନ ରୋଗର କାରଣ ପାଲଟିଛି। ସରକାର ଓ ପ୍ରଶାସନ ଉପରେ ଭରସା ଛାଡ଼ି ଏବେ ସହରବାସୀ କିଣା ପାଣିରେ ଶୋଷ ମେଣ୍ଟାଉଛନ୍ତି।
ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଡହଳବିକଳ
ସରକାରଙ୍କ ସବୁ ପ୍ରକଳ୍ପ ବିଫଳ
ବାଲେଶ୍ବର ସହରର ଜନସଂଖ୍ୟା ୪ ଲକ୍ଷରୁ ଊର୍ଦ୍ଧ୍ବ। ସବୁ ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ‘ଅମୃତ’ ଯୋଜନାରେ ୧୦ ବର୍ଷ ତଳେ ୧୦୦ କୋଟି ଟଙ୍କା ବ୍ୟୟରେ ପାଇପ୍ ସଂଯୋଗ ହେଲା। ହେଲେ ଦୂରଦୃଷ୍ଟି ଅଭାବରୁ ଏହି ଯୋଜନା ସଂପୂର୍ଣ୍ଣ ବିଫଳ ହେଲା। ଏଯାଏଁ ସହରବାସୀ ଏହାର ଉପକାର ପାଇପାରିଲେ ନାହିଁ। ସେମିତି ସହରର ବିଭିନ୍ନ ୱାର୍ଡରେ ବୋରିଂ କରାଯାଇ ପାଣିର ବ୍ୟବସ୍ଥା କରାଯାଇଥିଲେ ବି ଏହି ଯୋଜନାରେ ଲୋକଙ୍କୁ ପାଣି ମୁନ୍ଦାଏ ମିଳିପାରୁନାହିଁ। ବହୁବର୍ଷର ବ୍ୟବଧାନ ପରେ ସହରବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରେମୁଣା ବ୍ଲକ୍ ବାଙ୍କତିରାଠାରେ ୨ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ବୁଢ଼ାବଳଙ୍ଗ ନଦୀ ପାଣିକୁ ବିଶୋଧନ କରାଯାଇ ସହରବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବା ନେଇ ବୃହତ୍ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଛି। ହେଲେ, ଏହି ପ୍ରକଳ୍ପ କେବେ ଶେଷ ହେବ ତାହା ଜଣାନାହିଁ। କାରଣ ଏହି ପ୍ରକଳ୍ପ କାମ ଏବେ ହିଁ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ବାଲେଶ୍ବର ସହରବାସୀଙ୍କୁ ପାଇପ୍ ଯୋଗେ ଯେଉଁ ପାଣି ମିଳୁଛି ତାହା ପିଇବା ଯୋଗ୍ୟ ନୁହେଁ। ଅଧିକାଂଶ ସମୟରେ ଗୋଳିଆ ପାଣି ଆସୁଛି। ପାଣି ପଙ୍କୁଆ ଗନ୍ଧାଉଥିବା ବେଳେ ପିଇବା ତ ଦୂରର କଥା, ପାଟିରେ ଦେଇ ହେଉନାହିଁ। ଏମିତିକି ପାଣିରେ ଲୁହାଗୁଣ୍ଡ ସହିତ ପୁଳାପୁଳା ଅଳିଆ ଆବର୍ଜନା ଭାସୁଛି। ଲୋକେ ଟ୍ୟାପ୍ରେ ଲୁଗା ବାନ୍ଧି ପାଣି ନେଲେ ବି କିଛି ସମୟ ପରେ ଏହା ନାଲି ପଡ଼ିଯାଉଛି। ଆକ୍ବାଗାର୍ଡ କିଛି ଦିନ ପରେ ଅଚଳ ହୋଇଯାଉଛି। ଫଳରେ ଏହାକୁ ଲୋକେ ଗାଧୋଇବା ପାଇଁ ବ୍ୟବହାର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଯେଉଁ ପାଣି ଦିଆଯାଉଛି, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି।
ପୌରାଞ୍ଚଳରେ ପ୍ରାୟ ସବୁ ୱାର୍ଡରେ ସହରବାସୀ ପାଣି ସମସ୍ୟା ସହିତ ଯୁଝି ହେଉଛନ୍ତି। ୱାର୍ଡ ନଂ ୧, ୨, ୩, ୪, ୫, ୬, ୭, ୧୦, ୧୪, ୨୭, ୨୪, ୧୨ ଆଦି ସହିତ ପ୍ରାୟ ସବୁ ୱାର୍ଡରେ ପିଇବା ପାଣିକୁ ନେଇ ସ୍ଥିତି ସଂଗିନ। ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକେ ପ୍ରତିଦିନ ପାଣି କିଣି ପିଉଛନ୍ତି। ଭାତହାଣ୍ଡିରୁ ଗୋଟିଏ ପରି ୪ ନମ୍ବର ୱାର୍ଡରେ ୧ ହଜାରରୁ ଅଧିକ ପରିବାର ରହୁଥିବା ବେଳେ ଏଥିରୁ ୮୦ ପ୍ରତିଶତ ପରିବାର ପାଣି କିଣି ପିଉଛନ୍ତି। ଗୋଟିଏ ପାଣି କ୍ୟାନ୍କୁ ୪୦ ଟଙ୍କା ପଡ଼ୁଥିବା ବେଳେ ୱାର୍ଡରେ ପ୍ରତି ପରିବାର ମାସକୁ ପାଖାପାଖି ୧୫ ଶହ ଟଙ୍କା ପିଇବା ପାଣିରେ ଖର୍ଚ୍ଚ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/24/uJ2VVHEiPVZSbUXjYwDE.jpg)