ମହାନଦୀ ପଛୁଆ ପାଣିରେ ସ୍ଥିତି ଅସମ୍ଭାଳ: ଆହୁରି ୫ ଦିନ ଦୁର୍ଦ୍ଦଶା

ଖୋର୍ଦ୍ଧା: ମହାନଦୀର ପଛୁଆ ପାଣି ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ, ଜଟଣୀ ସମେତ୫ଟି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ୪ ଦିନ ପରେ ଆଜି ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ଜମି, ଗାଁରେ ଜମି ରହିଥିବା ବନ୍ୟାଜଳ ସଂପୂର୍ଣ୍ଣ ଭାବେ ନିଷ୍କାସନ ହେବାକୁ ଆହୁରି ୪-୫ ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।

ଆଜି ଖୋର୍ଦ୍ଧା ବ୍ଲକର ବ୍ରଜମୋହନପୁର, ନରଣଗଡ଼ ଓ ଓରବରସିଂହ ପଂଚାୟତର ଶରଧାପୁର, ଓରମି, ମାନପୁର, ଧବଳପୁର, ବଳପୁର, ରାୟପୁର, କୃଷ୍ଣପୁର, ତିରିମୂଳ, ଢିହଖଳା, ଦୁର୍ଗାପୁର, କୁରୁମଗଡ଼, ବ୍ରଜମୋହନପୁର, ନରଣଗଡ଼ ଆଦି ୧୪ଟି ଗାଁ ପାଣିଘେରରେ ରହିଛି । ଆଜି ପରିସ୍ଥିତିରେ ସାମାନ୍ୟ ସୁଧାର ଆସି ବନ୍ୟାଜଳର ପତ୍ତନ ସ୍ଥିର ରହିଥିବା ବେଳେ ଏହା ସଂପୂର୍ଣ୍ଣ ଭାବେ ହ୍ରାସ ପାଇବାକୁ ଆହୁରି କିଛି ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ପ୍ରାଥମିକ ଆକଳନରେ ବାଲିଅନ୍ତା, ବାଲିପାଟଣା, ଖୋର୍ଦ୍ଧା, ବେଗୁନିଆ, ଜଟଣୀ ବ୍ଲକର ୨୨ଟି ପଂଚାୟତର ୭୩ଟି ଗାଁର ୩୯୮୨୩ଜଣ ପ୍ରଭାବିତ ହୋଇଛନ୍ତି । ୭୩ଟି ଗାଁ ମଧ୍ୟରୁ ୪୭ଟି ଗାଁ ଗତ ୩-୪ଦିନ ଧରି ପାଣିଘେରରେ ରହିଛି । ବଢ଼ି ଯୋଗୁଁ ବର୍ତମାନ ସୁଦ୍ଧା କୌଣସି ମୃତାହତର ସୂଚନା ଆସିନଥିବା ବେଳେ କୌଣସି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇନାହିଁ । ତେବେ ପ୍ରଭାବିତ ହୋଇଥିବା ୧୫ହଜହାର ୧୦୫ଟି ଛୋଟବଡ଼ ଗୃହପାଳିତ ପଶୁପକ୍ଷୀଙ୍କ ମଧ୍ୟରୁ ୩ଟି ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ୨୭୫୯ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ତେବେ କେତେ ପରିମାଣରେ ପ୍ରଭାବିତ ହୋଇଛି, ଏହା ମଧ୍ୟରୁ ବୁଣା ହୋଇଥିବା ଚାଷଜମି, ରୁଆ ହୋଇଥିବା ଚାଷ ଜମି କେତେ ପାଣି କମିବା ପରେ ହିଁ ଜଣାପଡ଼ିବ ବୋଲି କୃଷି ବିଭାଗ ସ୍ପଷ୍ଟ କରିଛି ।

ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୨୩ଟି ସ୍ଥାନରେ ୯୮୫୫ଜଣଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ବର୍ତମାନ ସୁଦ୍ଧା ବନ୍ୟା ପ୍ରଭାବିତ ଅଂଚଳରେ, ୨.୫୨ କ୍ୱିଂଟାଲ୍ ଚାଉଳ, ୧୧୬.୬ କ୍ୱିଂଟାଲ୍ ଚୁଡ଼ା, ୧୯.୫୩ କ୍ୱିଂଟାଲ୍ ଗୁଡ଼, ମହମବତୀ, ଦିଆସିଲି, ବିସ୍କୁଟ୍, ପାଣି ପାଉଚ ଆଦି ବଂଟନ କରାଯାଇଛି । ବନ୍ୟା ପ୍ରଭାବିତ ଅଂଚଳରେ ମୁତୟନ ଥିବା ୯ଟି ସ୍ୱାସ୍ଥ୍ୟସେବା ଟିମ ପକ୍ଷରୁ ୬୩୧ଜଣଙ୍କୁ ଆଶୁ ଚିକିତ୍ସା ଯୋଗାଇଦିଆଯାଇଛି । ୧୪୫୦ଜଣଙ୍କୁ ଟିକା ମଧ୍ୟ ପ୍ରଦାନ କରାଯାଇଛି ।

ଗତ ଦୁଇ ଦିନ ଧରି ବନ୍ୟା ପ୍ରଭାବିତ ଅଂଚଳକୁ ବିଭିନ୍ନ ରାଜନୈତିକ ନେତା ଓ ନେତ୍ରୀଙ୍କ ଗସ୍ତ ହୋଇଛି । ୧୮ ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗସ୍ତ କରିଥିବା ବେଳେ ଗତକାଲି ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଗସ୍ତ କରିଥିଲେ । ସେହିଭଳି ବିଜେପି ପକ୍ଷରୁ ରାଜ୍ୟ ପରିଷଦ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରିଥିବା ବେଳେ ଆଜି ରାଜ୍ୟ ବିଜେଡି ଉପ ସଭାନେତ୍ରୀ ତଥା ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ବାସନ୍ତି ମହାପାତ୍ର ତାଙ୍କ ସହଯୋଗୀଙ୍କୁ ନେଇ ଖୋର୍ଦ୍ଧା ବ୍ଲକ ଓ ଟାଙ୍ଗୀ ବ୍ଲକ୍ର ବାଲିପାଟପୁର ପଂଚାୟତର ସରସ୍ୱତୀ ନଗର ସମେତ ଅନ୍ୟାନ୍ୟ ପ୍ରଭାବିତ ଅଂଚଳକୁ ଯାଇ  ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ମହବତୀ, ଦିଆସିଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଂଟନ କରିଛନ୍ତି ।

ସମ୍ବନ୍ଧିତ ଖବର