ସୁଧୁରୁଛି ବାତ୍ୟା ପରବର୍ତୀ ସ୍ଥିତି, ପୁରୀରେ ସ୍ଥିତି ସ୍ବାଭାବିକ ହେବାକୁ ସମୟ ଲାଗିବ

ଜିଲ୍ଲାର ୧୯ ହଜାର ଉପ‌େଭାକ୍ତା ପାଇ‌େଲଣି ବିଜୁଳି, ୫ଟି ଜିଲ୍ଲାରେ ଶତ ପ୍ରତିଶତ ଏଟିଏମ୍‌ ସେବା ମିଳୁନାହିଁ, ବନ ନିଗମ କାଟିଲାଣି ୩୭ ହଜାର ଗଛ

ଭୁବନେଶ୍ବର : ଅତି ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଓ ଖୋର୍ଧା ଜିଲ୍ଲା। ବିଶେଷ କରି ଏସବୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଇତି ମଧ୍ୟରେ ଅବଶିଷ୍ଟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପାଖାପାଖି ବାତ୍ୟା ପୂର୍ବ ସ୍ଥିତି ଫେରି ଆସିଲାଣି। ପୁରୀକୁ ଛାଡ଼ିଦେଲେ ବାତ୍ୟା କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲାରେ ବିଦ୍ୟୁତ୍‌ ଭିତ୍ତିଭୂମିକୁ ସଜଡ଼ା ଯାଇ ପ୍ରାୟ ୯୦%ରୁ ଅଧିକ ଉପଭୋକ୍ତାଙ୍କୁ ପୁନଃବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ତେବେ ପୁରୀ ଜିଲ୍ଲାରେ ସ୍ବାଭାବିକ ଅବସ୍ଥା ଫେରିବାକୁ ଆଉ ବେଶ୍‌ କିଛି ଦିନ ସମୟ ଲାଗିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବାତ୍ୟା ପରବର୍ତୀ ପୁନରୁଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟଗୁଡ଼ିକର ଅଗ୍ରଗତିରୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି।

ଆଜି ବାତ୍ୟା ପରବର୍ତୀ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ତରଫରୁ ବିସ୍ତୃତ ସୂଚନା ଦିଆଯାଇଛି। ଏହି ସୂଚନା ଅନୁଯାୟୀ ପୁରୀ ସହରର ପିଇଡି ଡିଭିଜନ ଅନ୍ତର୍ଗତ ୫୬ଟି ଫିଡରରୁ ୧୨ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ଏନ୍‌ଇଡି ଡିଭିଜନରେ ୨୮ଟି ଫିଡରରୁ ୫ଟି କାର୍ଯ୍ୟକ୍ଷମ ହୋଇଛି। ଆଜି ସୁଦ୍ଧା ପୁରୀ ଜିଲ୍ଲାର ୧୯ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଦିଆଯାଇଛି ବିଦ୍ୟୁତ୍‌ ସଂଯୋଗ। ସେହିପରି କଟକ ସିଡିଡି-୧ ଡିଭିଜନରେ ଥିବା ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି। ସିଡିଡି-୨ରେ ପ୍ରାୟ ୬୯ ହଜାର ୩୧ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୬୪ ହଜାର ୧୯୬ ଉପଭୋକ୍ତାଙ୍କୁ ମିଳିଛି ବିଦ୍ୟୁତ୍‌ ସଂଯୋଗ। ସେହିପରି କଟକ ସିଇଡି ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୯୫ ହଜାର ୫୯୯ ଉପଭୋକ୍ତାଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୭୧ ହଜାର ୨୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।

ଭୁବନେଶ୍ୱରରେ ବିସିଡିଡି-୧ ଅନ୍ତର୍ଗତ ସମସ୍ତ ୧ ଲକ୍ଷ ୪୭ ହଜାର ୫୩୧ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ସେହିପରି ବିଇଡି ଅଞ୍ଚଳର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ୧ ଲକ୍ଷ ୯ ହଜାର ୯୮୪ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୧ ଲକ୍ଷ ୮ ହଜାର ୫୦ଜଣ ପାଇଛନ୍ତି ବିଦ୍ୟୁତ୍‌ ସଂଯୋଗ। ଖୋର୍ଧା ଜିଲ୍ଲାରେ ଆଜି ସୁଦ୍ଧା ୯୪% ବିଦ୍ୟୁତ୍‌ ଯୋଗାଣ ସ୍ୱାଭାବିକ ହୋଇଛି। ଜଗତ୍‌ସିଂହପୁର ଅଞ୍ଚଳର ଜେଇଡି ଡିଭିଜନ୍‌ ଅନ୍ତର୍ଗତ ୧ ଲକ୍ଷ ୧୬ ହଜାର ୨୧୫ ଉପଭୋକ୍ତାଙ୍କ ମଧ୍ୟରୁ ୯୯ ହଜାର ୮୮୨ଜଣଙ୍କୁ ମିଳିଛି ବିଦ୍ୟୁତ୍‌ ସଂଯୋଗ। ପାରାଦୀପ ଅଞ୍ଚଳର ପିଇଡି ଡିଭିଜନ ଅନ୍ତର୍ଭୁକ୍ତ ୧ ଲକ୍ଷ ୧ ହଜାର ୨୨୮ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୯୩ ହଜାର ୩୯୪ ଜଣ ପାଇଛନ୍ତି ବିଦ୍ୟୁତ୍‌ ସଂଯୋଗ।

ଟେଲି ଯୋଗାଯୋଗ ଓ ମୋବାଇଲ୍‌ ସେବା କ୍ଷେତ୍ରର ଅଗ୍ରଗତି ଅନୁଯାୟୀ ପୁରୀ ସହରରେ ପ୍ରାୟ ୯୦ ପ୍ରତିଶତ ସେବା ଉପଲବ୍ଧ ହେଉଛି। ଖୋର୍ଧା ଜିଲ୍ଲାରେ ୮୭ ପ୍ରତିଶତ ମୋବାଇଲ୍‌ ଟାୱାର କାର୍ଯ୍ୟକ୍ଷମ କରାଯାଇଥିବାବେଳେ ପୁରୀ ଜିଲ୍ଲାରେ ଏହା ୬୪ ପ୍ରତିଶତ ଓ କଟକ ଜିଲ୍ଲାର ୯୬ ପ୍ରତିଶତରେ ପହଞ୍ଚିଛି। ସେହିପରି ଭୁବନେଶ୍ୱର ସହରରେ ୮୮%, ପୁରୀ ସହରରେ ୫୯% ଓ କଟକ ସହରରେ ୯୬% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି। ଖୋର୍ଧା ଓ କଟକରେ ବିଏସ୍‌ଏନ୍‌ଏଲ୍‌ ଫିକ୍ସଡ୍‌ ଲ୍ୟାଣ୍ଡଲାଇନ୍‌ ଏକ୍ସଚେଞ୍ଜ ଶତ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଥିବାବେଳେ ପୁରୀରେ ୪୧ରୁ ୩୮ଟି କାର୍ଯ୍ୟ କରୁଛି। ସେହିପରି ବ୍ୟାଙ୍କିଙ୍ଗ ସେବା ଯୋଗାଉଥିବା ପୁରୀର ୯୪.୧୪ ପ୍ରତିଶତ ବ୍ୟାଙ୍କ ଶାଖା କାର୍ଯ୍ୟ କରୁଥିବା ବେଳେ ଖୋର୍ଧା କଟକ, ଜଗତ୍‌ସିଂହପୁର ଓ ଗଞ୍ଜାମରେ ପାଖାପାଖି ଶତ ପ୍ରତିଶତ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇସାରିଛି। ପୁରୀ, ଖୋର୍ଧା, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ ଯଥାକ୍ରମେ ୩୭.୪୫, ୭୭.୨୮, ୮୦.୮୪, ୮୧.୪୮ ଓ ୮୪.୮୦ ପ୍ରତିଶତ ଏଟିଏମ୍‌ କାର୍ଯ୍ୟ କରୁଛି।

ବାତ୍ୟା ଯୋଗୁଁ ଅବରୋଧ ହୋଇଥିବା ପ୍ରାୟ ୧୯୭୭ ରାସ୍ତାକୁ ସଫା କରାଯିବା ଫଳରେ ଗମନାଗମନ ଓ ପରିବହନ ବ୍ୟବସ୍ଥା ସ୍ବାଭାବିକ ହୋଇଛି। ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଥିବା ପ୍ରାୟ ୧ ଲକ୍ଷ ୪୫ ହଜାର ଗଛକୁ ସ୍ଥାନାନ୍ତରିତ କରାଯାଇଛି। ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ଆଜି ସୁଦ୍ଧା ପୁରୀରେ ଉପୁଡ଼ି ପଡ଼ିଥିବା ୮୯୦୦ ଗଛ, ଭୁବନେଶ୍ୱରରେ ୨୭୯୦୦ ଗଛ ଏହି ରୂପେ ମୋଟ ୩୬୮୦୦ ଗଛ କଟା ଯାଇଛି। ରିଲିଫ ସହାୟତା ଯୋଗାଣରେ ମଧ୍ୟ ବେଶ୍‌ ଉନ୍ନତି ପରିଲକ୍ଷିତ ହୋଇଛି। ପୁରୀ ଜିଲ୍ଲାରେ ୯୪.୪, ଖୋର୍ଧା ଜିଲ୍ଲାରେ ୯୮.୭, ଜଗତ୍‌ସିଂହପୁର ଜିଲ୍ଲାରେ ୯୫, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୯.୩୧, କଟକ ଜିଲ୍ଲାରେ ୯୭.୭, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୮୭.୪ ପ୍ରତିଶତ ପରିବାରଙ୍କୁ ରିଲିଫ ଆକାରରେ ନଗଦ ଅର୍ଥ ଦିଆଯାଇଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ବିନା ବନ୍ଧକରେ ଋଣ ଦେବା ପାଇଁ ବ୍ୟାଙ୍କମାନଙ୍କୁ ପରାମର୍ଶ ଦିଆଯାଇଛି। ଏ ନେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ୧୪ଟି ବାତ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ ଯୋଗାଯୋଗ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାପାଳମାନେ ଆସନ୍ତା ୩୧ ତାରିଖ ପୂର୍ବରୁ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଡକାଇବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୫ ତାରିଖ ପୂର୍ବରୁ କ୍ଷତି ଆକଳନ ଫସଲକଟା କାର୍ଯ୍ୟ ସରିବା ପରେ ପରେ ବାତ୍ୟା ପ୍ରଭାବିତ ଚାଷୀମାନଙ୍କଠାରୁ ନୂତନ ଋଣ ପାଇଁ ଆବେଦନ ପତ୍ର ଗ୍ରହଣ କରିବା ସହିତ ପୁରୁଣା ଋଣର ପୁନର୍ବିନ୍ୟାସ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ଅତ୍ୟଧିକ ପ୍ରଭାବିତ ପୁରୀ ଓ ଖୋର୍ଧା ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତାର ସହିତ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ସଚେତନତା ପରିଚାଳନା କରୁଛନ୍ତି। ପୁରୀ ଜିଲ୍ଲାରେ ୪୬ଟି ମେଡିକାଲ ରିଲିଫ ସେଣ୍ଟର କାର୍ଯ୍ୟ କରୁଛି। ପୁରୀ ଓ ଖୋର୍ଧାର ପ୍ରଭାବିତ ପଞ୍ଚାୟତଗୁଡ଼ିକରେ ସ୍ୱାସ୍ଥ୍ୟସେବା ନିମନ୍ତେ ୨୦ଜଣ ଡାକ୍ତର ଓ ୨୦୦ଜଣ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ କାର୍ଯ୍ୟ କରୁଛନ୍ତି। ୧,୪୫,୬୯୯ରୁ ଅଧିକ ଖୋଲା ଜଳଉତ୍ସ ବିଶୋଧନ କରାଯାଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର