ଓଡ଼ିଶାରେ ଟମାଟୋର ତିରୋଟ ସ୍ଥିତି: ୫ରେ ବିକି କ୍ଷତିସହିଲା ଚାଷୀ, ୩୦ ବେଳକୁ ନାହିଁ

ଟମାଟୋ ଚାଷ, ମାର୍କେଟିଂ ଅଭାବନୀୟ ସ୍ଥିତି, ବାହାର ରାଜ୍ୟ ଭରସା

ଭୁବନେଶ୍ବର : ମାସକ ତଳେ ୫ରୁ ୧୦ ଟଙ୍କାରେ ବିକି ଚାଷୀ କ୍ଷତି ସହିଲା। ମାତ୍ର, ଏବେ ୩୦ ଟଙ୍କାରେ ବିକ୍ରି କରୁଥିଲେ ବି ତା’ପାଖରେ ମହଜୁଦ୍‌ ନାହିଁ। ସେପଟେ ଜ୍ୟରେ ଆବଶ୍ୟକତା ଅନୁସାରେ ଟମାଟୋ ଉତ୍ପାଦନ ନହେବା, ବେଙ୍ଗାଲୁରୁ ଏବଂ କୋଲାରରୁ ଟମାଟୋ ଆସି ପାରୁନଥିବାରୁ ଓଡ଼ିଶା‌ରେ ଟମାଟୋର ଏ ତିରୋଟ ସ୍ଥିତି ଦେଖାଦେଇଛି। ଫଳରେ, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଟମାଟୋ ଦର କେଜି ପିଛା ୫୦ରୁ ୮୦ ଟଙ୍କାରେ ପହଞ୍ଚିଛି। ଚାହିଦା ଅନୁସାରେ ଯୋଗାଣ ହୋଇ ପାରିନଥିବାରୁ ଦରବୃଦ୍ଧି ହୋଇଥିବା କହିଛନ୍ତି କଞ୍ଚା ପରିବା ସଂଘର ସଭାପତି କବିରାଜ ସ୍ବାଇଁ।

କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୭ ମସିହାରେ ରାଜ୍ୟରେ ୯୧ ହଜାର ୦୧୧ ହେକ୍ଟର ଜମିରେ ଚାଷ କରାଯାଇ ୧୩ ଲକ୍ଷ ୧୨ ହଜାର ୦୭୪ ମେଟ୍ରିକ ଟନ୍‌ର ଟମାଟୋ ଉତ୍ପାଦନ କରାଯାଇଥିଲା। ଅର୍ଥାତ ହେକ୍ଟର ପିଛା ଉତ୍ପାଦନ କ୍ଷମତା ୧୪.୪୨ମେଟ୍ରିକ ଟନ୍‌ ରହିଥିଲା। ୨୦୨୦ ମସିହା ବେଳକୁ ଚାଷ ପରିମାଣ ବୃଦ୍ଧି ପାଇ ୯୩ ହଜାର ୯୩୫ ହେକ୍ଟର ଜମିରେ ୧୪ ଲକ୍ଷ ୩୨ ହଜାର ୦୪୯ ମେଟ୍ରିକ ଟନ୍‌ ଟମାଟୋ ଚାଷ ହୋଇଥିଲା। ବର୍ତ୍ତମାନ ଉତ୍ପାଦନ ୧୫.୨୫ ମେଟ୍ରିକ ଟନ୍‌ ରହିଛି। ଟମାଟୋ ତିନିମାସିଆ ଫସଲ। ଅର୍ଥାତ ରାଜ୍ୟରେ ବର୍ଷକୁ ୩ରୁ ୪ଥର ଏହା ହେବା କଥା। କିନ୍ତୁ ରାଜ୍ୟରେ ୨ଥର ଅର୍ଥାତ ଜୁନ-ଜୁଲାଇ ଏବଂ ସେପ୍ଟେମ୍ବର-ଅକ୍ଟୋବର ମାସରେ ଗଛ ଲଗାଯାଏ। ସେପ୍ଟେମ୍ବର ଏବଂ ଜାନୁଆରିରେ ଫଳ ହେଉଛି। ସେହି ସମୟରେ ଉତ୍ପାଦନ ଏତେ ହୁଏ ଯେ ୨ଟଙ୍କାରୁ ୫ଟଙ୍କାରେ ମଧ୍ୟ ଗାଁ ଖଳାରେ ଟମାଟୋ ବିକ୍ରି ହୁଏ। ଅନ୍ୟ ସମୟର ଆବଶ୍ୟକତା ପୂରଣ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼େ। ଦ୍ବିତୀୟତଃ ଉଦ୍ୟାନ ବିଭାଗ ପକ୍ଷରୁ ଉତ୍ପାଦନ ଏବଂ ମାର୍କେଟିଂ ନେଇ ସମନ୍ବୟ ମଧ୍ୟ ରକ୍ଷା କରାଯାଇ ପାରୁନାହିଁ। ଏଥିଯୋଗୁଁ ଗ୍ରାହକ ଏବଂ ଚାଷୀ ଉଭୟ କ୍ଷତିଗ୍ରସ୍ତ ହେଉଛନ୍ତି।

ସମ୍ବଲପୁରର ଜଣେ ଚାଷୀ ମନବୋଧ ବାରିକ କହିଛନ୍ତି, ଶୀତଳଭଣ୍ଡାରରେ ୧୫ରୁ ୩୦ଦିନ ପର୍ଯ୍ୟନ୍ତ ଟମାଟୋ ସଂରକ୍ଷିତ ରଖାଯାଇପାରିବ। ଏଥିପାଇଁ ଦୈନିକ କ୍ବିଣ୍ଟାଲ ହିସାବରେ ୧୦୦ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। ଅଧିକାଂଶ ଚାଷୀ ଶୀତଳଭଣ୍ଡାରରେ ରଖନ୍ତି ନାହିଁ। ଗତବର୍ଷ କିଛି ଚାଷୀ ଅଧିକ ଦର ପାଇବା ଆଶାରେ ଶୀତଳଭଣ୍ଡାରରେ ରଖିଥିଲେ ମଧ୍ୟ ଦର ବଢ଼ିବା ବଦଳରେ ହ୍ରାସ ପାଇଥିଲା। ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ଚଳିତ ବର୍ଷ ଅଧିକାଂଶ ଶୀତଳଭଣ୍ଡାରରେ ରଖିନାହାନ୍ତି। ମାତ୍ରାଧିକ ଟମାଟୋ ଉତ୍ପାଦନ ହେଲେ ମଧ୍ୟ ଏହାର ଉପଯୋଗ ପାଇଁ ରାଜ୍ୟରେ ପ୍ରୋସେସିଂ ୟୁନିଟ୍‌ ନାହିଁ। ଚାଷୀ ନିଜେ ଚାଷ କରି ବଜାରରେ ବିକ୍ରି କରିବା ସହଜ ନୁହେଁ।

ରାଜଧାନୀର କଞ୍ଚା ପରିବା ସଂଘର କହିବାନୁସାରେ, ରାଜଧାନୀକୁ ଦୈନିକ ୧ହଜାର କ୍ବିଣ୍ଟାଲ ଟମାଟୋ ଆସିଥାଏ। ସେଥିରୁ ସ୍ଥାନୀୟ ଚାହିଦା ୨୦୦ ଟନ୍‌କୁ ଛାଡ଼ି ବାକି ଟମାଟୋ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାକୁ ଯାଇଥାଏ। ବର୍ତ୍ତମାନ ଓଡ଼ିଶା ଫସଲ ଆସିବା ବନ୍ଦ ହୋଇଯାଇଛି। ନାସିକ, ରାୟପୁର, ବେଙ୍ଗାଲୁରୁ, ଚିନ୍ତାମଣି, କୋଲାରରୁ ଆସୁଥିବା ଟମାଟୋ ମୁଖ୍ୟତଃ ଓଡ଼ିଶା ଚାହିଦା ପୂରଣ କରେ। ବର୍ତ୍ତମାନ କେବଳ ନାସିକ ଏବଂ ରାୟପୁର ଟମାଟୋ ହିଁ ଓଡ଼ିଶାକୁ ଆସିପାରୁଛି। ଆସନ୍ତା ସପ୍ତାହରେ ବେଙ୍ଗାଲୁରୁ, କୋଲାରରୁ ଟମାଟୋ ଆସିଯିବ ଏବଂ ଦର ୨୦ରୁ ୨୫ଟଙ୍କା ହୋଇଯିବ ବୋଲି ସେ ଆଶ୍ବସ୍ତ କରିଛନ୍ତି। ରାଜ୍ୟରେ ଟମାଟୋ ଉତ୍ପାଦନର ଭିତ୍ତିଭୂମି ରହିଛି। ଏଥିପ୍ରତି ସରକାର ଗୁରୁତ୍ବ ଦେଇ ଚାଷୀକୁ ଲାଭାନ୍ବିତ କଲେ, ଉଭୟ ଗ୍ରାହକ ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ହେବ ବୋଲି ଚାଷୀମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର