ଇସ୍ପାତ ନଗରୀରେ ଶିବ-ଗଣେଶ ଲଢ଼େଇ

‌ଭୋଟ ପେଡ଼ିର ପୁରୁଣା କଥା / ସ୍ବରାଜ ମିଶ୍ର

ଶିବ-ଗଣେଶ ଲଢେ଼ଇ କଥା ଶୁଣିଲେ ମନରେ ଆସେ, ମାତା ପାର୍ବତୀ ଅନ୍ତଃପୁରରେ ଥାଇ ପୁତ୍ର ଗଣେଶଙ୍କୁ ଦ୍ବାରପାଳ ରୂପେ ଜଗାଇଥିବା ପ୍ରସଙ୍ଗ। ଶିବ ଏକ ଅସୁରକୁ ବଧ କରିବା ପାଇଁ ଅନ୍ୟତ୍ର ଯାଇଥିବା ଭିତରେ ଗଣେଶଙ୍କ ଜନ୍ମ ହୋଇଥିବାରୁ ସେ ତାଙ୍କୁ ଚିହ୍ନି ନଥିଲେ। ଗଣେଶ ତାଙ୍କୁ ଭିତରକୁ ଯିବାକୁ ନଦେବାରୁ ଉଭୟଙ୍କ ମଧୢରେ ଘମାଘୋଟ ଯୁଦ୍ଧ ହୋଇଥିଲା, ଯେଉଁଥିରେ ଶିବ ଗଣେଶଙ୍କର ଶିରଚ୍ଛେଦନ କରିଥିଲେ। ତା’ପରେ ପାର୍ବତୀଙ୍କଠାରୁ ମୃତ ବାଳକଟି ତାଙ୍କର ନିଜ ପୁଅ ବୋଲି ଜାଣି ଶିବ କିପରି ଏକ ହାତୀର ମୁଣ୍ତ ଯୋଡ଼ି ଗଣେଶଙ୍କୁ ଜୀବନ୍ୟାସ ଦେଇଥିଲେ ସେ କାହାଣୀ ପୁରାଣରେ ବର୍ଣ୍ଣିତ ଅଛି।

କିନ୍ତୁ ଇସ୍ପାତ ନଗରୀରେ ଶିବ ଗଣେଶ ଲଢେ଼ଇ କଥା କହିଲେ ୧୯୭୧ରେ ଅନୁଷ୍ଠିତ ହୋଇଥିବା ରାଉରକେଲା ବିଧାନସଭା ନିର୍ବାଚନ ମଣ୍ତଳୀର ଏକ ଉପନିର୍ବାଚନକୁ ବୁଝାଏ। ସେଥିରେ ସ୍ବାଧୀନ ପ୍ରାର୍ଥୀ ବିଶ୍ବନାଥ ଦାସ ଓ କ˚ଗ୍ରେସ ପ୍ରାର୍ଥୀ ବିନାୟକ ଆଚାର୍ଯ୍ୟଙ୍କ ମଧୢରେ ଘମାଘୋଟ ଲଢେ଼ଇ ହୋଇଥିଲା।

ଏହି ନିର୍ବାଚନଟି ଖୁବ୍‌ ପ୍ରତିଦ୍ବନ୍ଦ୍ବିତା ମୂଳକ ଓ ସ୍ମରଣୀୟ ହୋଇଥିଲା ଏଇଥିପାଇଁ ଯେ ୧୯୭୧ ନିର୍ବାଚନ ପରେ ଗଠିତ ସ୍ବତନ୍ତ୍ର, ଉତ୍କଳ କ˚ଗ୍ରେସ ଓ ଝାଡ଼ଖଣ୍ତ ଦଳର ମିଳିତ ମନ୍ତ୍ରିମଣ୍ତଳର ମୁଖ୍ୟମନ୍ତ୍ରୀ ପଦରେ ଥିବା ବିଶ୍ବନାଥ ଦାସ ବିଧାନସଭାର ସଦସ୍ୟ ନହୋଇଥିବାରୁ ତାଙ୍କୁ ୬ ମାସ ମଧୢରେ ଉପନିର୍ବାଚନ ଜିଣି ବିଧାନସଭାକୁ ଆସିବା ଜରୁରୀ ଥିଲା। ଏଥିପାଇଁ ସେ ରାଉରକେଲା ବିଧାନସଭା ଆସନକୁ ବାଛିଥିଲେ।

ସାଧାରଣତଃ ଏଭଳି ଉପନିର୍ବାଚନରେ ନେତାମାନେ ତାଙ୍କର ଜିଣିବା ସହଜ ହେବାଭଳି ନିଜ ଦଳର କୌଣସି ପ୍ରାର୍ଥୀ ଖାଲି କରିଥିବା ଏକ ଅପେକ୍ଷାକୃତ ସହଜ ଆସନ ବାଛନ୍ତି। ମାତ୍ର ନିର୍ଦ୍ଦଳୀୟ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଥିବା ଆଦର୍ଶବାଦୀ ନେତା ବିଶ୍ବନାଥ ଦାସ ସେଭଳି କରି ନଥିଲେ। ସେ ବିରୋଧୀ କ˚ଗ୍ରେସ ଦଳର ଶ୍ୟାମସୁନ୍ଦର ମହାପାତ୍ର ଖାଲି କରିଥିବା ରାଉରକେଲା ଆସନକୁ ହିଁ ବାଛିଲେ। ଶ୍ୟାମସୁନ୍ଦର ଏକ ସମୟରେ ବାଲେଶ୍ବର ଲୋକସଭା ଓ ରାଉରକେଲା ବିଧାନସଭା ଆସନରୁ ଜିତିଥିଲେ। କେନ୍ଦ୍ରରେ କ˚ଗ୍ରେସ ଦଳ ସରକାର ଗଢ଼ୁଥିବାରୁ ସେ ଲୋକସଭା ଆସନଟି ରଖି ରାଉରକେଲା ଆସନରୁ ଇସ୍ତଫା ଦେଇଥିଲେ।

ନିଜ ଦଳର ପ୍ରାର୍ଥୀ ଖାଲି କରିଥିବା ଏହି ଆସନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇ ନବଗଠିତ ସରକାରକୁ ଏକ ବଡ଼ ଧକ୍‌କା ଦେବା ପାଇଁ ବିରୋଧୀ କ˚ଗ୍ରେସ ଦଳ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଥିଲା। ଯେହେତୁ ବିଶ୍ବନାଥ ଦାସ ଦକ୍ଷିଣ ଓଡ଼ିଶାର ଜଣେ ଜନପ୍ରିୟ ନେତା, ତାଙ୍କୁ ଟକ୍‌କର ଦେବା ପାଇଁ କ˚ଗ୍ରେସ ଦଳ ସେହି ଅଞ୍ଚଳର ଅନ୍ୟତମ ତୁଙ୍ଗନେତା ବିନାୟକ ଆଚାର୍ଯ୍ୟଙ୍କୁ ବାଛିଲେ। ବିଶ୍ବନାଥ (ଶିବ) ଓ ବିନାୟକ (ଗଣେଶ)ଙ୍କ ମଧୢରେ ଇସ୍ପାତ ନଗରୀ ରାଉରକେଲାରେ ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ଲଢେ଼ଇ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଗଲା ଏବ˚ ଓଡ଼ିଶାବାସୀ ଅପେକ୍ଷା କରି ରହିଲେ ଦେଖିବା ପାଇଁ ଏହି ନିର୍ବାଚନରେ ଜିତୁଛି କିଏ?

ଉତ୍କଳ କ˚ଗ୍ରେସ, ସ୍ବତନ୍ତ୍ର ଓ ଝାଡ଼ଖଣ୍ତ ଦଳର ମିଳିତ ସମର୍ଥନରେ ଲଢ଼ୁଥିବା ନିର୍ଦ୍ଦଳୀୟ ନେତା ବିଶ୍ବନାଥ ଦାସ ହିଁ ଏହି ନିର୍ବାଚନରେ ବିଜୟୀ ହେଲେ। ଏହି ଆସନରେ ପୂର୍ବରୁ କ˚ଗ୍ରେସ ନେତା ଶ୍ୟାମସୁନ୍ଦର ମହାପାତ୍ର ଯେତିକି ଭୋଟ ପାଇଥିଲେ ବିନାୟକ ଆଚାର୍ଯ୍ୟ ତା’ଠାରୁ ଅଧିକ ଭୋଟ ପାଇଲେ ମଧୢ ବିଶ୍ବନାଥ ଦାସ ତାଙ୍କୁ ୧୮୫୨ ଖଣ୍ତ ଭୋଟ ବ୍ୟବଧାନରେ ପରାସ୍ତ କରି ଉପନିର୍ବାଚନ ଜିଣିଲେ। ଏହାଥିଲା ସେ ସମୟର ଏକ ଅତ୍ୟନ୍ତ ରୋମାଞ୍ଚକର ଓ ସ˚ଘର୍ଷପୂର୍ଣ୍ଣ ଲଢେ଼ଇ।

ଲୋକେ କୁହାକୁହି ହେଲେ- ଶିବ ଓ ଗଣେଶଙ୍କ ଲଢେ଼ଇରେ ଶିବ ବିଜୟୀ ନହୁଅନ୍ତେ ବା କିପରି?

ସମ୍ବନ୍ଧିତ ଖବର