ନଗର ପରିକ୍ରମା ଶୋଭାଯାତ୍ରାରେ ଦୁଲୁକୁଛି ସମ୍ବଲପୁର : ଯୁଗଳ ଦର୍ଶନ ଦେଲେ ଦେବଦମ୍ପତି

ସମ୍ବଲପୁର : ଦେବ, ମାନବ, କିନ୍ନର, ଯକ୍ଷ, ଗ୍ରହ, ନକ୍ଷତ୍ର, ଋଷି ମୁନିଙ୍କ ଉପସ୍ଥିତିରେ ସାକ୍ଷୀ ଗୋପୀନାଥ ଓ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଧରା ପୃଷ୍ଠରେ ସଂପୂର୍ଣ୍ଣ ମାନବୀୟ ରୀତିନୀତିରେ ଦେବଦେବ ମହାଦେବ ଜଗତ୍‌ଜନନୀ ପାର୍ବତୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରବିବାର ରାତି ଓ ସୋମବାର ପାହାନ୍ତି ପ୍ରହରର ମାହେନ୍ଦ୍ର ବେଳାରେ ଶୀତଳଷଷ୍ଠୀର ସହର ସମ୍ବଲପୁରରେ ଶିବ-ପାର୍ବତୀଙ୍କ ହାତ ଗଣ୍ଠି ପଡ଼ିଛି। ବିବାହ ପରେ ମାତା ପାର୍ବତୀଙ୍କୁ ସାଥୀରେ ନେଇ ପ୍ରଭୁ ଭୋଳା ଶଂକର ନିଜ ପାଟ ପଟୁଆର ସହ ସୋମବାର ସଂଧ୍ୟାରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ନବ ବିବାହିତ ଦେବଦମ୍ପତ୍ତିଙ୍କ ଉପରେ ସ୍ୱର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କରିଥିଲେ। କନ୍ୟାଘର ତରଫରୁ ଝିଅଜ୍ୱାଇଁଙ୍କୁ ପରଂପରା ଅନୁଯାୟୀ ବିଭିନ୍ନ ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାର, ବସ୍ତ୍ର, ପାଟ, ପୀତାମ୍ବରି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖଜା, ଲଡ଼ୁ ଆଦି ଭାର ଓ ଉପହାର ଦିଆ ଯାଇଥିଲା। ଏହା ପରେ ସୋମବାର ରାତିରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତୀ ପରେ ମଧ୍ୟରାତ୍ରୀରେ ନବ ବିବାହିତ ଦେବଦମ୍ପତି ବାହାରିଛନ୍ତି ନଗର ପରିକ୍ରମାରେ। ମାତା ପାର୍ବତୀଙ୍କ ସହ ନନ୍ଦପଡ଼ାର ବଂ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା ଏବଂ ଠାକୁରପଡ଼ାର ଗୁପ୍ତେଶ୍ୱର ବାବାଙ୍କର ଭବ୍ୟ ଶୋଭାଯାତ୍ରା ବାହାରିଛି। ଏହି ୫ଟି ବିଶାଳ ଶୋଭାଯାତ୍ରା ବ୍ୟତୀତ ଆହୁରି ଅନେକ ପଡ଼ାର ଶୀତଳଷଷ୍ଠୀ ଯାତ୍ରାରେ ସମଗ୍ର ସହର ଉତ୍ସବ ମୁଖର ହୋଇ ଉଠିଛି।

ନବଯୌବନରେ ସୁଶୋଭିତ ମହାରୁଦ୍ର ଏବଂ ମହାମାୟାଙ୍କ ଯୁଗଳ ମୂର୍ତ୍ତି ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ଭକ୍ତଙ୍କୁ ଦର୍ଶନ ଦେବାକୁ। ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦେବଦମ୍ପତିଙ୍କ ଆଶୀର୍ବାଦ ପାଇବା ପାଇଁ ସମ୍ବଲପୁର ସହରକୁ ଛୁଟିଛି ଲୋକଙ୍କ ସୂଅ। ମଙ୍ଗଳବାର ମଧ୍ୟରାତ୍ରି ସୁଦ୍ଧା ସମ୍ବଲପୁର ସହର ହୋଇ ଉଠିଛି ଲୋକାରଣ୍ୟ। ଲକ୍ଷାଧିକ ଲୋକଙ୍କ ଭିଡ଼ରେ ସମ୍ବଲପୁରର ଅଣଓସାରିଆ ନିର୍ମାଣାଧୀନ ରାସ୍ତା ଗୁଡ଼ିକ ଖୁନ୍ଦି ହୋଇଯାଇଛି। ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରାରେ ଲକ୍ଷଲକ୍ଷ ଲୋକଙ୍କ ସହ ସାମିଲ ହୋଇଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦଶ ହଜାର କଳାକାର। ସେମାନଙ୍କ ଦ୍ଵାରା ପରିବେଷିତ ବାଦ୍ୟ, ନୃତ୍ୟ, ନାଟ୍ୟରୂପ, ମେଲୋଡ଼ି ଓ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମରେ ଝୁମୁଛନ୍ତି ଦର୍ଶକ। ନାନା ପ୍ରକାରର ମୂର୍ତ୍ତି, ପ୍ରଜ୍ଞାପନ ମେଢ଼ ଓ କଳାକୃତି ଶୋଭାଯାତ୍ରାଗୁଡ଼ିକୁ ଅଧିକ ଆକର୍ଷଣୀୟ କରିଛି। ଏହାବ୍ୟତୀତ ସହରରେ ଲାଗିଥିବା ମିନାବଜାର, ହସ୍ତଶିଳ୍ପ ମେଳା ଆଦି ଲୋକଙ୍କ ପାଇଁ ମନୋରଂଜନ ଓ କିଣାବିକାର ସୁଯୋଗ ସୃଷ୍ଟି କରିଛି। ଯାତ୍ରା ଦେଖିବାକୁ ଆସିଥିବା ଲକ୍ଷାଧିକ ଲୋକ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ ହାତ ଖୋଲି ଖର୍ଚ୍ଚ କରୁଥିବାରୁ ବେପାରୀମାନେ ବିଶେଷ କରି ରାସ୍ତାକଡ଼ ବିକାଳିମାନେ ବେଶ ଦୁଇପଇସା ଲାଭ କରୁଛନ୍ତି। ରବିବାର ମଧ୍ୟ ରାତ୍ରିରେ ବାହାରିଥିବା ଯୁଗଳ ଦର୍ଶନ ଶୋଭାଯାତ୍ରା ସୋମବାର ଭୋର ପର୍ଯ୍ୟନ୍ତ ଚାଲିବ। ୪ ଘଣ୍ଟାର ବିଶ୍ରାମ ପରେ ମଙ୍ଗଳବାର ସକାଳ ୯ଟାରେ ପୁଣି ଆରମ୍ଭ ହୋଇ ଦିନସାରା ଚାଲିବ। ମଙ୍ଗଳବାର ସଂଧ୍ୟାରେ ମହାଆଳତି ଓ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ଶେଷ ହେବ।

ସମ୍ବନ୍ଧିତ ଖବର