ଯୌତୁକ ଜୁଇରେ ଜଳିଗଲେ ଶିବାନୀ, ମନ୍ଦାକିନୀ

ହତ୍ୟା ଅଭିଯୋଗ ଆଣିଲେ ବାପା

ସିମୁଳିଆ: ଯୌତୁକ ପାଇଁ ଜଣେ ମହିଳାଙ୍କ ଜୀବନ ଯାଇଛି। ଶାଶୂଘର ଲୋକ ତାଙ୍କୁ ମାରିଦେଇଥିବ‌ା ଅଭିଯୋଗ ହୋଇଛି। ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତ ଅନନ୍ତପୁର ଗ୍ରାମର ଅନାଦି ଚରଣ ଯେନାଙ୍କ ଝିଅ ଶିବାନୀ ଓରଫ୍‌ କାଦମ୍ବିନୀ ଯେନା ୧୩.୬.୨୨ରେ ସିମୁଳିଆ ଥାନା ଅଧୀନ କାଞ୍ଚପଡ଼ା ପଞ୍ଚାୟତ ଗୋପୀବିନ୍ଦା ଗ୍ରାମର ରମାକାନ୍ତ ଯେନାଙ୍କ ପୁଅ ମାନଗୋବିନ୍ଦ ଯେନାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଶାଶୂଘର ଦାବି ମୁତାବକ ଯୌତୁକ ସହ ସୁନାଗହଣା ଓ ଆସବାବପତ୍ର ଦିଆଯାଇଥିଲା। ବିବାହର କିଛି ଦିନ ପରେ ଜ୍ୱାଇଁ ମାନଗୋବିନ୍ଦ ଚାକିରିକ୍ଷେତ୍ର ବମ୍ବେ ଚାଲିଯାଇଥିଲେ। ଘରେ ଶାଶୂ ଓ ଶ୍ବଶୁର ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଆଣିବା ପ‌ାଇଁ ଶିବାନୀଙ୍କୁ ବାଧ୍ୟ କରୁଥିଲେ।

ଏମିତି କି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି। ଏପରି ସମୟରେ ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଶ୍ବଶୁର ରମାକାନ୍ତ ଯେନା ଫୋନ୍‌ କରି ସମୁଦି ଅନାଦିଙ୍କୁ ଡାକିଥିଲେ। ଅନାଦି କାଞ୍ଚପଡ଼ାରେ ପହଞ୍ଚି ଘରେ କାହାକୁ ପାଇ ନଥିଲେ। ପରେ ସମସ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜାଣି ‌ସେଠାରେ ପହଞ୍ଚିଥିଲେ। ଡାକ୍ତରଖାନାରେ ଝିଅ ମରିଯାଇଥିବା ଜାଣିବାକୁ ପାଇଥିଲେ। ଯୌତୁକ ପାଇଁ ଶ୍ବଶୁର ରମାକାନ୍ତ, ଶାଶୂ ବାସନ୍ତୀ ଓ ଜ୍ୱାଇଁ ମାନଗୋବିନ୍ଦ ତାଙ୍କ ଝିଅକୁ ମାରିଦେଇଥିବା ନେଇ ଅନାଦି ସିମୁଳିଆ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଶାଶୂଘର ଲୋକଙ୍କୁ ପଚରାଯିବାରୁ ଶିବାନୀଙ୍କ ପେଟ ଫୁଲିଯିବାରୁ ତାଙ୍କୁ ଡାକ୍ତରଖାନା ଆଣିଥିବା ସେମାନେ କହିଥିଲେ।

ମାରିଦେବା ପରେ ଆତ୍ମହତ୍ୟା ରୂପ!

ଗାନ୍ଧିଛକ/ଦରଡ଼ା: ଜଣେ ମହିଳାଙ୍କ ସଂଦେହଜନକ ଅବସ୍ଥାରେ  ମୃତ୍ୟୁ ଘଟିଛି। ଶାଶୂଘର ଲୋକ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।

ବାଲିଆପାଳ ଥାନା ଅନ୍ତର୍ଗତ ମହାବଳା ଗ୍ରାମର ଧନଞ୍ଜୟ ପାତ୍ରଙ୍କ ଝିଅ ମନ୍ଦାକିନୀ ଏବଂ ସିଂଲା ଥାନା ଅଧୀନ ବଢ଼ାଣ ଗ୍ରାମର ଚିନ୍ମୟ ପାତ୍ରଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ଶାଶୂଘର ଲୋକଙ୍କ ଦାବି ମୁତାବକ ସମସ୍ତ ଯୌତୁକ ଦେଇଥିଲେ ଧନଞ୍ଜୟ। ମାତ୍ର ବିବାହ ପରେ ଅଧିକ ଯୌତୁକ ଦାବି କରି ଶାଶୂଘର ଲୋକ ମନ୍ଦାକିନୀଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏମିତିକି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ସେହିପରି ଚିନ୍ମୟଙ୍କର ଅନ୍ୟ ଜଣେ ଝିଅ ସହ ଅନୈତିକ ସମ୍ପର୍କ ଥିବା ନେଇ ଧନଞ୍ଜୟ ଅଭିଯୋଗ କରିଛନ୍ତି। ଗତକାଲି ଶାଶୂଘର ଲୋକ ମନ୍ଦାକିନୀ ବିଷ ପିଇ ଆତ୍ମହତ୍ୟ‌ା କରିଥିବା ଧନଞ୍ଜୟଙ୍କୁ ଫୋନ୍‌ କରି ଜଣାଇଥିଲେ। ଝିଅ ମନ୍ଦାକିନୀଙ୍କୁ ଶାଶୂଘର ଲୋକ ହତ୍ୟା କରିଥିବା ନେଇ ଧନଞ୍ଜୟ ସିଂଲା ଥାନାରେ ଏତଲା ଦେଇଛନ୍ତି। ଏ ସଂକ୍ରାନ୍ତରେ ପୁଲିସ ୧୯୦/୨୨ରେ ଏକ ମାମ‌ଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଚଳାଇଛି। ସୂଚନାଥାଉକି, ମନ୍ଦାକିନୀଙ୍କର ଜଣେ ଶିଶୁପୁତ୍ର ଅଛନ୍ତି।

ସମ୍ବନ୍ଧିତ ଖବର