ଶୀତରେ ଥରୁଛି ରାଜ୍ୟ

ଘୁ.ଉଦୟଗିରିରେ ବରଫ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ହାଡ଼ଭଙ୍ଗା ଥଣ୍ଡା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪° ଯାଏ ଖସିଛି। ଫୁଲବାଣୀ ଆଜି ରାଜ୍ୟର ଶୀତଳତମ ସ୍ଥାନ, ପାରଦ ୪.୫° ସେଲ୍‌ସିୟସ। ଗତକାଲି ସେଠାରେ ସର୍ବନିମ୍ନ ତାପମାତ୍ରା ଥିଲା ୯.୫°। ଫୁଲବାଣୀ ସମେତ ରାଜ୍ୟର ୧୦ଟି ସ୍ଥାନର ତାପମାତ୍ରା ୧୦° ତଳକୁ ଖସିଛି। ରାଜଧାନୀ ଭୁବନେଶ୍ୱରରେ ଗତକାଲି ତାପମାତ୍ରା ଥିଲା ୧୫.୩°। ଆଜି ଏଠାରେ ୧୧.୯° ରେକର୍ଡ ହୋଇଛି। ଦିନକ ଭିତରେ ପାରଦ ତୀବ୍ର ଗତିରେ ତଳକୁ ଖସିଥିବାରୁ ଲୋକଙ୍କ ପାଇଁ ଏହା ଅସହ୍ୟ ହୋଇଛି। ବିଶେଷ କରି ବୁଢ଼ାବୁଢ଼ୀଙ୍କ ପାଇଁ ଏଭଳି ଥଣ୍ଡା ସହିବାର ସୀମା ଟପିଯାଇଛି। ଏଭଳି ଜାଡ଼ ୨୩ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର।

ସୂଚନାନୁସାରେ ଗତକାଲି ଭଳି ଆଜି ଉତ୍ତର-ଉତ୍ତର-ପଶ୍ଚିମ ଦିଗରୁ କାଲୁଆ ପବନ ବହୁଛି। ଆଜି ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୨୦ କି.ମି. ରହିଛି। କେବଳ ରାତି ନୁହେଁ, ଦିନରେ ବି ଥଣ୍ଡା ଥିବାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଏହାର ପ୍ରଭାବରେ ଗତକାଲି ତୁଳନାରେ ଆଜି ଅନେକ ସ୍ଥାନରେ ୪.୫° ପର୍ଯ୍ୟନ୍ତ ତଳକୁ ଖସିଛି ପାରଦ। ଗତକାଲି ସୋନପୁରରେ ୧୩.୨° ଥିବା ବେଳେ ଆଜି ସେଠାରେ ୯.୬°, ୪.୮° ଖସିଛି ପାରଦ। ସେହିପରି ଅନୁଗୁଳରେ ୨.୬°, କଟକରେ ୨.୫°, ବଲାଙ୍ଗୀରରେ ୩.୭°, ଭବାନୀପାଟଣାରେ ୩.୫°, ଭୁବନେଶ୍ୱରରେ ୪° ପାରଦ ତଳକୁ ଖସିଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଗତକାଲିଠାରୁ ରାଜ୍ୟରେ ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହା ଶୀତ ଲହରୀ ନୁହେଁ। ରାଜ୍ୟରେ ଶୀତ ଲହରୀ ପ୍ରବାହିତ ନେଇ ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିବା ନିମନ୍ତେ ୪/୫ଟି ସ୍ଥାନର ବର୍ତମାନର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୪.୬° କମ୍‌ ରହିବା କଥା। ଆଜି କେବଳ ଅନୁଗୁଳରେ ସେଭଳି ପରିସ୍ଥିତି ରହିଥିବା କହିଛନ୍ତିି ଡ. ସାହୁ। ତେବେ ଏଭଳି ଥଣ୍ଡା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୨୩/୨୪ ବେଳକୁ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହିଲେ, ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନକୁ କେତେକାଂଶରେ ପ୍ରତିହତ କରିବାରେ ସକ୍ଷମ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮°, ହୀରାକୁଦରେ ୮.୧°, କେନ୍ଦୁଝରରେ ୮.୪°, ଭବାନୀପାଟଣାରେ ୯°, କୋରାପୁଟରେ ୯.୫°, ଅନୁଗୁଳ, ସୋନପୁରରେ ୯.୬°, ସମ୍ବଲପୁରରେ ୯.୭°, ଝାରସୁଗୁଡ଼ାରେ ୯.୮°, ସୁନ୍ଦରଗଡ଼ରେ ୧୦°, ବଲାଙ୍ଗୀରରେ ୧୦.୫°, ଟିଟିଲାଗଡ଼, କଟକରେ ୧୧.୫°, ବାଲେଶ୍ୱର, ବାରିପଦାରେ ୧୧.୬°, ଭୁବନେଶ୍ୱରରେ ୧୧.୯° ରେକର୍ଡ ହୋଇଛି। ସୋନପୁରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦° ତଳେ ରହିଛି।

ସମ୍ବନ୍ଧିତ ଖବର