ସୁନ୍ଦରଗଡ଼: କିଛି ଦିନ ତଳେ ଆମ୍ବୁଲାନ୍ସ ନ ପାଇ ସମ୍ପର୍କୀୟ ମୃତଦେହ ବୋହି ନେବା ଘଟଣାକୁ ନେଇ ଚର୍ଚ୍ଚାରେ ଥିଲା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା। ଏବେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ। ଦୁର୍ଘଟଣାରେ ଗୁରୁତର ଜଣେ ଯୁବକ ହସ୍ପିଟାଲ ଶଯ୍ୟାରେ ଦୁଇ ଦିନ ପଡ଼ି ରହିବା ପରେ ବି ଚିକିତ୍ସା ନମିଳିବାରୁ ତାଙ୍କୁ ପରିବାର ଲୋକେ ଘରକୁ ନେଇ ଯାଇଛନ୍ତି।
ଗୋପାଳପୁର କୋଇଲା ଖଣି ଅଂଚଳରେ ଟ୍ରକ ଡ୍ରାଇଭର ଭାବେ ନିୟୋଜିତ ଔରଙ୍ଗାବାଦର ମୁସ୍ତାକ ଅଂସାରୀ ଦୁଇଦିନ ତଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଖଣି ଅଞ୍ଚଳର ଅନ୍ୟ ସାଥୀମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଆସିଥିଲେ। ତାଙ୍କୁ ପୁରୁଷ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏକ୍ସରେ ପରେ ତାଙ୍କ ଗୋଡ଼ର ହାଡ଼ ୨ ଖଣ୍ଡ ହୋଇଯାଇଥିବା ଜଣାପଡ଼ିଥିଲା। କିନ୍ତୁ ତାଙ୍କୁ ଚିକିତ୍ସା କରାଗଲା ନାହିଁ, ଏପରିକି ବାରମ୍ବାର ଅନୁରୋଧ ପରେ ବି ତାଙ୍କ ଭଙ୍ଗା ଗୋଡ଼ର ପ୍ଲାଷ୍ଟର କରାଗଲା ନାହିଁ। ୨ ଦିନ ହସ୍ପିଟାଲ ଶଯ୍ୟାରେ ବିନା ଚିକିତ୍ସାରେ ପଡ଼ି ରହିବା ପରେ ପରିବାର ଲୋକେ ଆସି ଔରଙ୍ଗାବାଦ ନେଇ ଯାଇଥିବା ସୂଚନା ମିଳିଛି।
ସ୍ବାସ୍ଥ୍ୟ ସେବା ପାଇଁ ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଉଥିବା ବେଳେ ଶବକୁ ଆମ୍ବୁଲାନ୍ସ ନମିଳିବା, ଜଣେ ଗୁରୁତର ଚିକିତ୍ସା ନପାଇ ଫେରି ଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. କାହ୍ନୁଚରଣ ନାୟକଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ଏ ଘଟଣା ମୁଁ ଜାଣି ନାହିଁ, କିନ୍ତୁ ମେଡିକାଲ କଲେଜରୁ ଆସୁଥିବା କର୍ମଚାରୀ ରୋଗୀ ସେବା ପ୍ରତି ଧ୍ୟାନ ଦେଉ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଆସନ୍ତାକାଲି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।