ଭୁବନେଶ୍ୱର : ‘ମୋ ସ୍କୁଲ’ ଅଭିଯାନରେ ଷ୍ଟୁଡେଣ୍ଟ ଆଡ୍‌ପସନ (ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଗ୍ରହଣ) କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। କାର୍ଯ୍ୟକ୍ରମ ଆରମ୍ଭ ହେବାର ଦୁଇ ଦିନ ଭିତରେ ୬ଜଣ ପ୍ରଶାସନିକ ଅଧିକାରୀ ଏକାଧିକ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏମିତିକି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। କେନ୍ଦୁଝରରେ ଥିବା ଡି.ଏନ୍ ହାଇସ୍କୁଲରେ ଶ୍ରୀ ମହାପାତ୍ର ୩ ବର୍ଷ ପଢ଼ିଥିବାରୁ ତାହାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହି ସ୍କୁଲର ଭିତ୍ତିଭୂମି ବିକାଶ, ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ସେମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ସେ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି।

Advertisment

ଅନ୍ୟପକ୍ଷ‌ରେ ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଢେଙ୍କାନାଳର ବିବି ହାଇସ୍କୁଲକୁ ଏବଂ ଶକ୍ତି ସଚିବ ନିକୁଞ୍ଜ ଧଳ ଯାଜପୁର ଜିଲ୍ଲା ସୟଦପୁରର ବିଏସ ହାଇସ୍କୁଲକୁ ପୋଷ୍ୟ ଭାବେ ଆପଣାଇଛନ୍ତି। ଏହି ସ୍କୁଲରେ ଶ୍ରୀ ଧଳ ୫ ବର୍ଷ ଧରି ଶିକ୍ଷା ଗ୍ରହଣ କରିଥିବାରୁ ସେଠାରେ ଜଡ଼ିତ ହେବାକୁ ଚାହିଛନ୍ତି। ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଅରିନ୍ଦମ ଡାକୁଆ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଗଜପତି ଜିଲ୍ଲାପାଳ ଅନୁପମ ଶାହା କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବିଦ୍ୟାପୀଠକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଶ୍ରୀ ଶାହା ସେଠାରେ ୮ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ।

ସବୁଠାରୁ ବଡ଼ କଥା ହେଉଛି ଯେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ୍‌ କୁମାର ଆଉ ପାଦେ ଆଗକୁ ବଢ଼ି ଯାଇଛନ୍ତି। ଗୋଟିଏ ବଦଳରେ ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗଜପତି ଜିଲ୍ଲାର ଏମଆର୍‌ ବାଳକ ଉଚ୍ଚ ବିଦ୍ୟାଳୟ ଓ ଏମଆର୍‌ ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଗୋଟିଏ ଦିନରେ ୬ ଜଣ ପ୍ରଶାସନିକ ଅଧିକାରୀ ସରକାରୀ ବିଦ୍ୟାଳୟର ଉନ୍ନତି ଲାଗି ଆଗ୍ରହ ଦେଖାଇଛନ୍ତି। ଯାହାକୁ ଆଧାର କରି ଆଗାମୀ ଦିଗରେ ଆହୁରି ପ୍ରଶାସନିକ ଅଧିକାରୀ ଆଗକୁ ଆସିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଶାବାଦୀ ଅଛି।

ସୂଚନାଯୋଗ୍ୟ ଯେ ଚଳିତବର୍ଷଠାରୁ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ଷ୍ଟୁଡେଣ୍ଟ ଆଡ୍‌ପସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଓ ଇଚ୍ଛୁକ ବ୍ୟକ୍ତିବିଶେଷ ୧୦୦ଟି ବିଦ୍ୟାଳୟର ଏକ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢ଼ାର ସମସ୍ତ ବିଷୟ ବୁଝିପାରିବେ। ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିବିଶେଷ ଓ କର୍ପୋରେଟ୍ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତଙ୍କୁ ଷ୍ଟୁଡେଣ୍ଟ ଆଡ୍‌ପସନ କାର୍ଯ୍ୟକ୍ରମରେ ସାମିଲ କରାଯାଇ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରାଯାଉଛି। ଏହାର ଲାଭ କିଭଳି ରାଜ୍ୟର ସମସ୍ତ ବିଦ୍ୟାଳୟରେ ପହଞ୍ଚିପାରିବ ଓ ଉପାନ୍ତ ଜିଲ୍ଲାର ଛାତ୍ରଛାତ୍ରୀ ଏହାଦ୍ୱାରା କିପରି ଉପକୃତ ହୋଇପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯିବ।