ରାଜନଗର/ମହାକାଳପଡ଼ା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ସାହୁପଡାଠାରେ କଙ୍ଗାରୁ କୋର୍ଟରେ ନିର୍ଯାତିତ ବାପ, ପୁଅଙ୍କୁ ନ୍ୟାୟ ଦେବା ଦାବିରେ ସ୍ଥାନୀୟ ଲୋକେ ବୁଧବାର ଦିନ ରାସ୍ତାକୁ ଓହ୍ଲାଇଛନ୍ତି। ବଡ଼ପଡା-ସାହୁପଡା ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ଢେଲା ମାଡ଼ କରିବା ସହ ସିସି କ୍ୟାମେରା ଭାଙ୍ଗି ଦେଇଛନ୍ତି। ପେଟ୍ରୋଲ ପମ୍ପ ମାଲିକ ଅଶୋକ ପତିଙ୍କ ଘର ଉପରକୁ ଢେଲା ମାଡ଼ କରିଥିବା ବେଳେ କାର୍ କାଚ ଭାଙ୍ଗି ଦେଇଛନ୍ତି। ବୁଧବାର ଦିନତମାମ କଙ୍ଗାରୁ କୋର୍ଟ ବସିଥିବା ସ୍ଥାନରେ ଉତ୍ତେଜନା ଲାଗି ରହିଛି। ପୁଲିସ ଫୋର୍ସ ଓ ଅଫିସରମାନେ ଘଟଣାସ୍ଥଳରେ ଜଗି ରହିଛନ୍ତି। ପୁଲିସ ଦୁଇ ସରପଞ୍ଚଙ୍କ ସହ ୬ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
କଙ୍ଗାରୁ କୋର୍ଟ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଡ଼ପଡା ସାହୁପଡା ରାସ୍ତାରେ ଥିବା ମହାଦେବ ଫିଲିଂ ଷ୍ଟେସନ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୯୭ ହଜାର ଟଙ୍କା ଚୋରି ଘଟଣାକୁ ନେଇ ପେଟ୍ରୋଲ ପମ୍ପର ମାଲିକ ଅଶୋକ ପତିଙ୍କ ଘରେ ଗତ ୧୧ ତାରିଖ ଦିନ ଏହି କଙ୍ଗାରୁ କୋର୍ଟ ବସିଥିଲା। କଙ୍ଗାରୁ କୋର୍ଟରେ ବଡ଼ମୋହନପୁର ସରପଞ୍ଚ ରବୀନ୍ଦ୍ର ବେହେରା, ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ, ବିଜୟନଗର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ସମିତି ସଭ୍ୟାଙ୍କ ସ୍ୱାମୀ ତାପସ କୁମାର ପ୍ରଧାନଙ୍କ ସହିତ ପେଟ୍ରୋଲ ପମ୍ପର ଦୁଇ ମାଲିକ, କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟ ଉପସ୍ଥିତ ରହି ବିଜୟନଗର ଗାଁର ଗଙ୍ଗାଧର ନାଥ ଓ ତାଙ୍କ ପୁଅକୁ ନିସ୍ତୁକ ମାଡ଼ ମାରିଥିଲେ।
ବୁଧବାର ଦିନ ସାହୁପଡା, ବଡ଼ପଡା, କାଠିଆପଡା, ତିଗିରିଆ, ଅରଡ଼ପଲ୍ଲୀ ଆଦି ଗାଁର ଶତାଧିକ ଲୋକ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚି ହୋହଲ୍ଲା କରିଥିଲେ। ପେଟ୍ରୋଲ ପମ୍ପ ଉପରକୁ ଢେଲା ମାଡ଼ କରିବା ସହ ସିସି କ୍ୟାମେରା ଭାଙ୍ଗି ଦେଇଥିଲେ।
ଅପରପକ୍ଷରେ ଏହି ଘଟଣାର ଭିଡିଓ ଦେଖିବା ପରେ ପଟ୍ଟାମୁଣ୍ଡାଇ ପୁଲିସ କଙ୍ଗାରୁ କୋର୍ଟରେ ମାଡ଼ ଖାଇଥିବା ବିଜୟନଗର ଗାଁର ଗଙ୍ଗାଧର ନାଥଙ୍କ ଘରେ ପହଞ୍ଚିଥିଲା। ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ଗଙ୍ଗାଧର କିମ୍ବା ତାଙ୍କ ପୁଅକୁ ପାଇ ନଥିଲା। ଭିଡିଓ ଭାଇରାଲ ପରେ ସରପଞ୍ଚମାନେ ଗଙ୍ଗାଧରକୁ କେଉଁଠାକୁ ନେଇ ମାମଲାର ରଫାଦଫା ପାଇଁ ଉଦ୍ୟମ କରିଥିଲେ। ବୁଧବାର ସକାଳ ପର୍ଯ୍ୟନ୍ତ ଗଙ୍ଗାଧର ଘରକୁ ଫେରି ନ ଥିଲେ। ସରପଞ୍ଚମାନଙ୍କ ପାଇଁ କଙ୍ଗାରୁ କୋର୍ଟରୁ ମୁକୁଳି ଆସିଲି ବୋଲି ଗଙ୍ଗାଧରକୁ ଏତଲା ଲେଖାଇ ଥିଲେ। ସେପଟେ ଲୋକେ ରାସ୍ତାକୁ ଓହ୍ଲାଇବା ପରେ ଗଙ୍ଗାଧର ପଟ୍ଟାମୁଣ୍ଡାଇ ଥାନାରେ ପହଞ୍ଚିଥିଲେ।
ରାଜନଗର,ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ପୁଲିସ ସହିତ ସ୍ପେଶାଲ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଧରିବା ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ସୁଧା ପେଟ୍ରୋଲ ପମ୍ପରୁ ଉଠାଇ ନେଇଥିବା କର୍ମଚାରୀ ବିଜୟନଗର ଗାଁର ସୁଜିତ ବିଶ୍ୱାଳ, ପେଟ୍ରୋଲ ପମ୍ପ ମାଲିକ ଅଶୋକ ପତିଙ୍କ ପୁଅ ଅରୁଣ ଓ ଅନିରୁଦ୍ଧଙ୍କ ସହିତ ବିଜୟନଗର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ, ବଳିପାଳ ସମିତି ସଭ୍ୟାଙ୍କ ସ୍ୱାମୀ ତାପସ କୁମାର ପ୍ରଧାନଙ୍କୁ ପଟାମୁଣ୍ଡାଇ ଥାନାରେ ଅଟକ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/rajnagar.jpg)