ଗୁରୁଡ଼ିଝାଟିଆ ସେବା ସମବାୟ ସମିତି କୃଷି ଋଣ ଦୁର୍ନୀତି: ପ୍ୟାକ୍ସ ସଂପାଦକଙ୍କ ସମେତ ୬ କର୍ମଚାରୀ ଗିରଫ

ରାସ୍ତାରୋକ ଡାକରା ପରେ ପୁଲିସ ଚେଇଁ ଉଠିଲା

କଟକ : ଆଠଗଡ଼ ଗୁରୁଡିଝାଟିଆ ସେବା ସମବାୟ ସମିତିରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କୃଷି ଋଣ ଜାଲିଆତି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଗୁରୁଡ଼ିଝାଟିଆ ପ୍ୟାକ୍ସର ସମ୍ପାଦକ ବିଜୟ କୁମାର ଦାସ(୪୪), ସହ ସମ୍ପାଦକ ସଂଗ୍ରାମ କେଶରୀ ସାହୁ(୩୮), ପିଅନ ପ୍ରବୋଧ ରଞ୍ଜନ ପରିଡା(୨୮), ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର କୋଷାଧ୍ୟକ୍ଷ ବାବାଜୀ ଚରଣ ପ୍ରଧ‌ାନ(୬୧), ସୁପରଭାଇଜର ନିରଞ୍ଜନ ପରିଡା(୬୩) ଓ କାଉଣ୍ଟର କର୍ମଚାରୀ ଚିତ୍ରାନନ୍ଦ ଜେନା(୬୧)। ଏମାନଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର ସହ ଠକେଇ ଓ ସରକାରୀ କାଗଜପତ୍ର ଜାଲିଆତି କରିବା ଭଳି ଦଫାରେ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ଚୌଦ୍ବାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା‌। ଆଠଗଡ଼ ସମବାୟ କୃଷି ଋଣ ମହାଦୁର୍ନୀତିକୁ ନେଇ ଆସନ୍ତାକାଲି ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ବରେ ଚାଷୀ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିବେ ବୋଲି ଘୋଷଣା କରାଯାଇଥିବା ବେଳେ ଦୀର୍ଘ ୯ମାସ ଧରି ମାମଲା ରୁଜୁ କରି ହାତବାନ୍ଧି ବସିଥିବା ପୁଲିସର ଆଜି ଏଭଳି କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଆଠଗଡ଼ ନିର୍ବାଚନମଣ୍ଡଳୀରେ ଚାଷୀଙ୍କୁ ସମବାୟ ଋଣ ଯୋଗାଣ ନାଁରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଆସୁଛି। ଏପରିକି ମୃତ ଚାଷୀଙ୍କ ନାଁରେ କୃଷି ଋଣ ଉଠାଇ ନିଆଯାଇଛି। ଚାଷୀଙ୍କ ଅଜାଣ‌ତରେ ଋଣ ଉଠିଛି। ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ୧୨୬ଜଣ ଚାଷୀଙ୍କ ନାଁରେ ଏଭଳି କୃଷି ଋଣ ଜାଲିଆତି ହୋଇଥିବା ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ କେବଳ ଉକ୍ତ ସେବା ସମବାୟ ସମିତିରୁ ୧କୋଟି ୯ଲକ୍ଷ ୫୦ହଜାର ଟଙ୍କାର ଆତ୍ମସାତ ହୋଇଥିବା ଜଣାପଡିଥିଲା। ଏହାକୁ ନେଇ ଡିଆରସିଏସ୍‌ଙ୍କ ପକ୍ଷରୁ ୯ଜଣ ପ୍ୟାକ୍ସ ଓ ବ୍ୟାଙ୍କ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଏଥିସହ ୨୦୨୦, ଡିସେମ୍ବର ୧୮ରେ ଗୁରୁଡିଝାଟିଆ ଥାନାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ପୁଲିସ ମାମଲା ରୁଜୁ କରି ଦୀର୍ଘ ୯ମାସ ହେଲା କାହାକୁ ଗିରଫ କରିବା ତ ଦୂରର କଥା କେବଳ କାଗଜପତ୍ର ଯୋଗାଡ ନାଁରେ ଘଟଣାକୁ ଗଡାଇ ଚାଲିଥିଲା।ଏହି ଜାଲିଆତି ଘଟଣାକୁ ନେଇ ୧୮ତାରିଖରେ ଆଠଗଡ଼ର ଯୁବ ସଙ୍ଗଠକ ଅଭୟ ବାରିକ ୨୪ରେ ରାସ୍ତାରୋକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେବା ପରେ ତରବରିଆଭାବେ ପୁଲିସ ଶେଷ‌ରେ ଆଜି ୬ଜଣଙ୍କୁ ଗିରଫ କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଯଦି ସମବାୟ ଦୁର୍ନୀତି ଘଟଣାରେ କର୍ମଚାରୀମାନଙ୍କୁ ଗିରଫ କରାଯାଇ ପାରୁଛି, ଘଟଣାର ମୁଖ୍ୟ କୁହାଯାଉଥିବା ସମବାୟ ମନ୍ତ୍ରୀ ଓ ତାଙ୍କ ଭାଇ ତଥା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତିଙ୍କୁ ଏହି ଘଟଣାରୁ କଣ ପାଇଁ ବାଦ୍ ଦିଆଯାଉଛି, ସେମାନଙ୍କୁ କଣ ପାଇଁ ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ଶ୍ରୀ ବାରିକ ପ୍ରଶ୍ନ କରିଛନ୍ତି।

୪ ଅଭିଯୁକ୍ତ ବହିଷ୍କୃତ
ଭୁବନେଶ୍ବର : କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ କାରବାରରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ନିଲମ୍ବିତ ହୋଇଥିବା ସମିତିର ସମ୍ପାଦକ ବିଜୟ କୁମାର ଦାସ ଓ ନିଲମ୍ବିତ ପିଅନ ପ୍ରବୋଧ ରଞ୍ଜନ ପରିଡ଼ାଙ୍କୁ ସମିତିର ପରିଚାଳନା ପରିଷଦ ବହିଷ୍କାର କରିଛନ୍ତି। ସେହିପରି କଟକ ଜିଲ୍ଲାପାଳ ତଥା କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରଶାସକଙ୍କ ଅନୁମୋଦନକ୍ରମେ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପୂର୍ବତନ ଶାଖା ପରିଚାଳକ ପ୍ରମୋଦ କୁମାର ଦାସ ଓ ପୂର୍ବତନ ସହକାରୀ ପରିଚାଳକ ନଳିନୀକାନ୍ତ ଆଚାର୍ଯ୍ୟଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଏହା ବାଦ୍ ଚୌଦ୍ବାର କେନ୍ଦ୍ର ସମବାୟ ଶାଖାର ପୂର୍ବତନ ସହକାରୀ ପରିଚାଳକ ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ବ୍ୟାଙ୍କିଙ୍ଗ୍ ସହାୟକ ପଦକୁ ପଦାବନତ କରାଯାଇଛି। ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପୂର୍ବତନ ସହକାରୀ ପରିଚାଳକ ତଥା କୋଷାଧ୍ୟକ୍ଷ ବାବାଜୀ ଚରଣ ପ୍ରଧାନ ଓ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପୂର୍ବତନ ବ୍ୟାଙ୍କ ସହାୟକ ନିରଞ୍ଜନ ପରିଡ଼ା ତଦନ୍ତ ମଧ୍ୟରେ ଚାକିରିରୁ ଅବସର ନେଇଛନ୍ତି। ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଠାରୁ ଅନିୟମିତତା ଅର୍ଥ ଆଦାୟ କରିବା ପାଇଁ ଆଦେଶ ହୋଇଛି।

ସମ୍ବନ୍ଧିତ ଖବର