ବିଂଝାରପୁର : ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ମାଡ଼ ଖାଇଲା ପୁଲିସ। ଆକ୍ରମଣରେ ୫ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ବିଂଝାରପୁର ଥାନା ରଣପୁର ପଞ୍ଚାୟତ କଣ୍ଟିପୁର ଗ୍ରାମରେ ଗତକାଲି ରାତିରେ ଘଟିଛି ଏହି ଘଟଣା। ଏହି ଗାଁର ସୁବାସ ଚନ୍ଦ୍ର ମଲିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା। ବୁଧବାର ରାତିରେ ବିଂଝାରପୁର ପୁଲିସ କଣ୍ଟିପୁର ଗ୍ରାମରେ ଚଢ଼ଉକରି ୫ ଜଣ ଅଭିଯୁକ୍ତଙ୍କୁ ଧରିଥିଲା। ଏହି ସମୟରେ ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଥିଲେ ସେମାନଙ୍କ ସମ୍ପର୍କୀୟ। ପରେ ବିଂଝାରପୁର ପୁଲିସ ସମେତ ଜିଲ୍ଲା ମୁଖ୍ୟାଳୟ ପୁଲିସ, ମଙ୍ଗଳପୁର ପୁଲିସ, ଯାଜପୁର ଟାଉନ ଥାନା ପୁଲିସ ଓ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମର ୬ ଜଣଙ୍କୁ ଗିରଫ କରିଥିଲେ। ଡାକ୍ତରୀ ମାଇନା ପରେ ଗୁରୁବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ରୋହିତ ମଲିକ, ମନୁଆ ମଲିକ, ରାଜା ମଲିକ, ଧରମା ମଲିକ, ସମ୍ବିତ ମଲିକ ଓ ସଂଗ୍ରାମ ମଲିକ।

Advertisment

ପୂର୍ବଶତ୍ରୁତାକୁ କେନ୍ଦ୍ରକରି କଣ୍ଟିପୁର ଗ୍ରାମର ୨ ପରିବାର ମଧ୍ୟରେ ମାଡ଼ ମରାମରି ହୋଇଥିଲେ। ଉଭୟ ପକ୍ଷଙ୍କ ଅଭିଯୋଗକ୍ରମେ ବିଂଝାରପୁର ପୁଲିସ ୨୦୪ ଓ ୨୦୫ ନମ୍ଵରରେ ପୃଥକ ପୃଥକ ୨ଟି ମାମଲା ରୁଜୁ କରିଥିଲା। ଗିରଫ ଭୟରେ ଗ୍ରାମର ସୁବାସଚନ୍ଦ୍ର ମଲିକଙ୍କ ପରିବାର ଘର ଛାଡ଼ି ଏକମାସ ପର୍ଯ୍ୟନ୍ତ ବାହାରେ ଥିଲେ। ପରେ ଜାମିନଆଣି ଘରକୁ ଫେରିଥିଲେ। ସେତେବେ‌ଳକୁ ଘରେ ଥିବା ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଯାଇଥିବା ଦେଖିଥିଲେ। ଏ ସଂପର୍କରେ ସୁବାସଙ୍କ ପତ୍ନୀ ଲିପି ମଲିକ ଗତ ୨୬ ତାରିଖରେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଂଝାରପୁର ପୁଲିସ ୨୭୪/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା।

ଏହି ମାମଲାରେ ଅଭିଯୁକ୍ତ ଥିବା ନିରଂଜନ ମଲିକ, ଚିନ୍ମୟ ମଲିକ, ଚନ୍ଦନ ମଲିକ, ତପି ମଲିକ, ମନୋରଂଜନ ମଲିକଙ୍କୁ ଗତକାଲି ରାତିରେ ଏସଆଇ କଣ୍ଡୁରି ଚରଣ ଦାସଙ୍କ ସମେତ ୬ଜଣ ପୁଲିସ କର୍ମୀ ଧରିଥିଲେ। ଏହି ସମୟରେ ସଂପର୍କୀୟମାନେ ହଠାତ୍ ପୁଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତମାନଙ୍କୁ ଛଡ଼ାଇ ନେଇଥିଲେ। ଏହି ଖବର ପାଇ ଅତିରିକ୍ତ ଏସପି ବାଉରିବନ୍ଧୁ ବେହେରାଙ୍କ ନେତୃତ୍ଵରେ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ବିଂଝାରପୁର ପୁଲିସଙ୍କ ସମେତ ପୁଲିସ ଫୋର୍ସ କଣ୍ଟିପୁର ଗ୍ରାମରେ ପହଞ୍ଚି ୬ ଜଣଙ୍କୁ ଗିରଫ କରିଥିଲେ।