ବଙ୍ଗାଳୀ ମିସ୍ତ୍ରି ହତ୍ୟା ମାମଲାର ପର୍ଦ୍ଦାଫାସ, ୬ ଗିରଫ

ମଦ ଓ ଭୋଜିଭାତକୁ ନେଇ ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ବଲାଙ୍ଗୀର : ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଧୁବାପଡ଼ାରେ ଜଣେ ବଙ୍ଗାଳୀ ମିସ୍ତ୍ରି ବାନି ଶେଖଙ୍କୁ ପିଟିପିଟି ହତ୍ୟା କରିବା ପରେ ନାଳକୁ ଫିଙ୍ଗି ଦିଆଯାଇଥିଲା। ଶୁକ୍ରବାର ନାଳରୁ ତାଙ୍କ ଶବ ଉଦ୍ଧାର କରାଯାଇଥିଲା। ସେହି ଘଟଣାର ତଦନ୍ତ କରି ପୁଲିସ ପର୍ଦ୍ଦାଫାସ କରିଛି ଓ ୬ଜଣ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ହାଇଦର ଅଲ୍ଲୀ(୩୬), ସାମୁଆଲ ଶେଖ୍‌ (୩୦), ୱାସିମ ‌ଶେଖ୍‌(୩୨), ନାଜୁ ଶେଖ୍‌ (୨୧), ନବାବ ସରିଫ(୨୦), ୱାହିଦୁଲ ଶେଖ୍‌(୩୩)। ଏମାନେ ସମସ୍ତେ ପଶ୍ଚିମବଙ୍ଗ ମୁର୍ସିଦାବାଦର ବୋଲି ଜଣାପଡ଼ିଛି। ଶନିବାର ସ୍ଥାନୀୟ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି ଯେ, ଧୁବାପଡ଼ାରେ ବଙ୍ଗାଳୀ ମିସ୍ତ୍ରିମାନେ ଭଡ଼ାଘରେ ରହୁଥିଲେ। ସେମାନେ ଘଟଣା ଦିନ ରାତିରେ ଭୋଜିଭାତ କରି ମଦ ପିଇଥିଲେ ଓ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ। ସେହି ଗଣ୍ଡଗୋଳ ବେଳେ ବାନିଙ୍କୁ ତାଙ୍କ ସହଯୋଗୀ ହାଇଦର ଅଲ୍ଲୀ କାଠଫାଳିଆରେ ଆକ୍ରମଣ କରିଥିଲା। ସେଥିରେ ବାନିଙ୍କ ମୃତ୍ୟ ହୋଇଯାଇଥିଲା। ପରେ ଅନ୍ୟ ୫ଜଣ ମିଶି ମୃତଦେହକୁ ନାଳକୁ ଫିଙ୍ଗିଦେଇ ମୃତ୍ୟୁକୁ ଭିନ୍ନରୂପ ଦେବାକୁ ଚେଷ୍ଟା କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର