କୃଷ୍ଣନଗର ଡକାୟତି ଘଟଣାରେ ୬ ଗିରଫ, ୪୦ ଭରି ସୁନା ସହ ୩ ବାଇକ୍ ଜବତ

ବରୀ : କୃଷ୍ଣନଗର ଗ୍ରାମର ସ୍ବର୍ଗତ ରାଧାଶ୍ୟାମ ଶୁକ୍ଳଙ୍କ ଘରୁ ଗତ ମାସ ୨୭ ତା‌ରିଖ ରାତିରେ ହୋଇଥିବା ଡକାୟତି ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି ବରୀ ପୁଲିସ। ଏହି ଡକାୟତିରେ ସଂପୃକ୍ତ ୪ଜଣ ଡକାୟତଙ୍କ ସହ ଚ‌ୋରି ସାମଗ୍ରୀ କିଣିଥିବା ଦୁଇଜଣ ବ୍ୟବସାୟୀଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣନଗର ଆରତ ମଳିକ(୩୪) ଓ ନାୟା ଓରଫ ସରୋଜ କୁମାର ମଳିକ (୩୧), ମୁଗୁବାଡ଼ି ଗ୍ରାମର ସନ୍ତୋଷ କୁମାର ମଳିକ ଓ ଡେରାବିଶ୍ ଥାନା ଡେରାଡିହି ଗ୍ରାମର ପାସା ଓରଫ ପ୍ରଶାନ୍ତ ସେଠୀ, ଡେରାବିଶ୍ ଥାନା ଅମ୍ବୁରା ଗ୍ରାମର ବ୍ୟବସାୟୀ ସୁର ଓରଫ ସୁରେଶ ସାହୁ(୫୫) ଓ ବାଲିଚନ୍ଦ୍ରପୁର ଥାନା ପଣସୁଆ ଗ୍ରାମର ପଦନ ଓରଫ ପ୍ରଦୀପ ସାହୁ (୫୧)। ସେମାନଙ୍କଠାରୁ ୪୦ ଭରି ସୁନା ଅଳଙ୍କାର, ହଳେ ରୁପା ପାଉଁଜି ଓ ନଗଦ ୯ ହଜାର ୧୦୦ ଟଙ୍କା ଉଦ୍ଧାର କରାଯାଇଛି। ଡକାୟତିରେ ବ୍ୟବହୃତ ଦୁଇଟି ଛୁରି, ତାଲା ଭାଙ୍ଗିବାରେ ବ୍ୟବହୃତ ଲୁହାଛଡ଼ ନିର୍ମିତ ଡାଇସ୍, ଗୋଟିଏ ମାଷ୍ଟର କି, ୬ଟି ମୋବାଇଲ ଫୋନ ଜବତ କରାଯାଇଛି। ସେମାନଙ୍କଠାରୁ ୩ଟି ବାଇକ୍ ମଧ୍ୟ ଜବତ ହୋଇଛି। ଏଗୁଡ଼ିକ ଚୋରା ବାଇକ୍ ବୋଲି ଜଣାପଡ଼ିଛି। ଜବତ ବାଇକ୍ ନମ୍ବର ଓଆର୦୫ଏଜି ୮୯୬୩ ସିଡି ଡିଲକ୍ସ, ଓଡି ୩୪ଏ ୬୨୩୧ ହଣ୍ଡା ୟୁନିକର୍ଣ୍ଣ ଓ ଓଡି୦୨ ଏଡି ୩୭୭୨ ହଣ୍ଡା ହରନେଟ।

ଏହି ଘଟଣାରେ ପୁଲିସ ପ୍ରଥମେ ଆରତ ଓ ସରୋଜଙ୍କୁ ଧରିଥିଲା। ସେମାନଙ୍କ ସୂଚନା ଆଧାରରେ ସନ୍ତୋଷ ଓ ପ୍ରଶାନ୍ତଙ୍କୁ ଗିରଫ କରିଥିଲା। ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ପରେ ବ୍ୟବସାୟୀ ସୁରେଶ ସାହୁ ଓ ପ୍ରଦୀପଙ୍କୁ ମଧ୍ୟ ଗିରଫ କରିଥିଲା। ସମସ୍ତ ୬ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ପୁଲିସ ସୂଚନା ଅନୁସାରେ କାଞ୍ଚନାବାଳା ଶୁକ୍ଲ ତାଙ୍କ ସ୍ବାମୀ ଓ ଏକମାତ୍ର ପୁଅଙ୍କୁ କରୋନାରେ ହରାଇଥିଲେ। ଏହାପରେ ତାଙ୍କ ଘର ପୁରୁଷଶୂନ୍ୟ ହୋଇଯାଇଥିଲା। ଏହାର ସୁଯୋଗ ନେଇ ସେହି ଗ୍ରାମର ଆରତ ମଳିକ ଓ ସରୋଜ ମଳିକ ଡକାୟତି କରିବାକୁ ଯୋଜନା କରିଥିଲେ। ସନ୍ତୋଷ, ପ୍ରଶାନ୍ତଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ଡକାଇ ଡକାୟତି କରାଇଥିଲେ। ଗତ ୨୭ ତାରିଖ ରାତିରେ ବାହାର ଗେଟ୍ ଭାଙ୍ଗି ଦୁର୍ବୃତ୍ତମାନେ ତାଙ୍କ ଘରେ ପଶିଥିଲେ। ଘରର ୩ ଜଣ ବିଧବା ମହିଳାଙ୍କୁ ମାଡ଼ ମାରି ଲକର ଖୋଲି ସୁନାଅଳଙ୍କାର ସହିତ ନଗଦ ୨ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ଏ ସଂକ୍ରାନ୍ତରେ କାଞ୍ଚନବାଳା ଶୁକ୍ଳ ୨୮ ତାରିଖ ଦିନ ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହାୟତାରେ ପ୍ରାଥମିକ ତଦନ୍ତ କରିଥିଲା। ଥାନା ଅଧିକାରୀ ଅଜୟ କୁମାର ଜେନା ଏକ ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲେ। ଏହି ଘଟଣାରେ ଆହୁରି ୩ଜଣ ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି। ମାତ୍ର ସେମାନେ ଫେରାର ଥିବା ଜଣାପଡ଼ିଛିତ। ଖୁବ୍ ଶୀଘ୍ର ସେମାନେ ଧରାପଡ଼ିବେ ବୋଲି ପୁଲିସ ସୂଚନା ଦେଇଛି।

ତଦନ୍ତ ବେଳେ ଜଣାପଡ଼ିଛି ଯେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ମଳିକ ନାମରେ ପୂର୍ବରୁ ଆଳି, ମାର୍ଶାଘାଇ, ନିକିରାଇ, କେନ୍ଦ୍ରାପଡ଼ା ସଦର, ବାଲିଚନ୍ଦ୍ରପୁର ଥାନାରେ ଡକାୟତି, ରାହାଜାନି ପରି ୮ଟି ମାମଲା ରହିଛି। ୪ଟି ମାମଲାରେ ସେ ପୁଲିସର ୱାରେଣ୍ଟି ତାଲିକାରେ ରହିଛି। ସେହପିରି ପ୍ରଶାନ୍ତ ସେଠୀ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୫ଟି ମାମଲା ରହିଛି। ବୁଧବାର ଏନେଇ ଯାଜପୁର ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ଓ ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର