ଆକାଉଣ୍ଟ୍‌ରୁ ୩୮ଲକ୍ଷ ଟଙ୍କା ଆତ୍ମସାତ ଘଟଣା: ବ୍ୟାଙ୍କର ୬ କର୍ମଚାରୀଙ୍କୁ ବାନ୍ଧିଲା ପୁଲିସ

ପିପିଲି : ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ବଜାରସ୍ଥିତ ୟୁନିୟନ୍‌ ବ୍ୟାଙ୍କ ଶାଖାରୁ ଏକ ପଞ୍ଚାୟତ ଆକାଉଣ୍ଟ୍‌ ସମେତ ଓଡ଼ିଶା ଜୀବିକା ମିସନର ୩ଟି ସଂଘର ଆକାଉଣ୍ଟ୍‌ରୁ ୩୮ ଲକ୍ଷ ଟଙ୍କା ଗାଏବ ହେବା ଘଟଣାରେ ପିପିଲି ପୁଲିସ ବ୍ୟାଙ୍କର ୬ଜଣ କର୍ମଚାରୀଙ୍କୁ ଗୁରୁବାର ଦିନ ଗିରଫ କରିଛି। ଏମାନେ ହେଲେ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ସନ୍ତୋଷ କୁମାର ନାୟକ (୫୧), ପୂର୍ବତନ ବ୍ୟାଙ୍କ ଅଫିସର ପଦ୍ମ ବେହେରା (୫୮), ଯୋଗେଶ ସାହୁ (୩୫), ପୂର୍ବତନ କିରାଣି ମନୋଜ କୁମାର ପାତ୍ର (୨୯), ପୂର୍ବତନ କିରାଣି ଅମିୟ କୁମାର ସାହୁ (୨୬) ଓ ପୂର୍ବତନ କିରାଣି ଭାଗ୍ୟଶ୍ରୀ ମହାପାତ୍ର (୨୭)। ପିପିଲି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ଗୁରୁବାର ପିପିଲି କୋର୍ଟଚାଲାଣ କରିଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡ଼ାସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କଠାରୁ ପୁଲିସ କେତେକ ଚେକ୍‌ ବହି, ଉଠାଣ ଫର୍ମ, ଡେବିଟ୍‌ ଭାଉଚର ଆଦିକୁ ଜବତ କରିଥିବା ପୁଲିସ ସୂଚନା ଦେଇଛି। ତେବେ ଏହି ଟଙ୍କା ହଡ଼ପ ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଖଳନାୟକ ରଥପୁରୁଷୋତ୍ତମପୁର ଅଞ୍ଚଳର ଜଣେ ଦଲାଲ ପାଖରେ ଅଦ୍ୟାବଧି ପୁଲିସ ପହଞ୍ଚିପାରିନାହିଁ।

ଅଭିଯୋଗ ଅନୁସାରେ; ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ ଥିବା ରଥପୁରୁଷୋତ୍ତମପୁର ପଞ୍ଚାୟତର ଏସ୍‌ଏଫ୍‌ସି ଆକାଉଣ୍ଟ୍‌ରୁ ୮ ଲକ୍ଷ ୧୫ ହଜାର ୪୦୪ ଟଙ୍କା, ଓଡ଼ିଶା ଜୀବିକା ମିସନର ସରସ୍ବତୀପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୧୫ଲକ୍ଷ ୩୬ ହଜାର ଟଙ୍କା, ଯଶୁଆପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୭ଲକ୍ଷ ୭୯ହଜାର ୫୩୪ ଟଙ୍କା, ରଥପୁରୁଷୋତ୍ତମପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୧ ଲକ୍ଷ ୯୫ ହଜାର ଟଙ୍କା ଓ ସିଆଇଏଫ ଆକାଉଣ୍ଟ୍‌ରୁ ୫ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ପିପିଲି ବିଡିଓ ରଶ୍ମିତା ନାଥଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ପୁଲିସ ଆଇପିସିର ଧାରା ୪୨୦, ୪୬୭, ୪୬୮, ୪୭୧, ୧୨୦ବି ଆଦି ଦଫାରେ୩୯୨/୨୧ ନମ୍ବର ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ ନିଜେ ଘଟଣାର ତଦନ୍ତ ଦାୟିତ୍ବ ନେଇ ବ୍ୟାଙ୍କର କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲେ। ଏହି ଘଟଣାରେ ଆଜି ଏହି ୬ଜଣଙ୍କୁ ଆଜି ଗିରଫ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ଏହି ଘଟଣାରେ ପୂର୍ବରୁ ବ୍ୟାଙ୍କ ପକ୍ଷରୁ ବିଭାଗୀୟ ତଦନ୍ତ କରାଯାଇ ପୂର୍ବତନ ଶାଖା ପରିଚାଳକ ସନ୍ତୋଷ କୁମାର ନାୟକଙ୍କ ସମେତ ଅନ୍ୟ ୩ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବ୍ୟାଙ୍କ ଉଚ୍ଚ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ଏହି ବ୍ୟାଙ୍କ ଠକେଇ ଘଟଣାରେ ସମ୍ପୃକ୍ତ ଥିବା ସ୍ଥାନୀୟ ଅଞ୍ଚଳର କେତେକ ଦଲାଲ ଏବେ ଫେରାର ହୋଇଗଲେଣି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର