ପୁରୀ ଜିଲ୍ଲା ଛାତ୍ର ବିଜେଡିରେ ଫାଟ : ନୂଆ କର୍ମକର୍ତ୍ତା ଚୟନକୁ ନେଇ ଅସନ୍ତୋଷ, ୬ଜଣ ଛାତ୍ର ନେତାଙ୍କ ଇସ୍ତଫା

ପୁରୀ : ନୂଆ କର୍ମକର୍ତ୍ତା ଚୟନକୁ କେନ୍ଦ୍ରକରି ପୁରୀ ଜିଲ୍ଲା ବିଜୁ ଛାତ୍ର ଜନତା ଦଳରେ ଫାଟ ସୃଷ୍ଟି ହୋଇଛି। କର୍ମକର୍ତ୍ତା ଚୟନକୁ ନେଇ ଅସନ୍ତୋଷ ଥିବା ଛାତ୍ର ବିଜେଡିର ୬ଜଣ ନେତା ଆଜି ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଛାତ୍ର ନେତାମାନେ ଇସ୍ତଫା ପତ୍ର ପୁରୀ ଜିଲ୍ଲା ସଭାପତି ମହେଶ୍ବର ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି। ଏହି ଘଟଣା ଏବେ ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଜି ସଂଧ୍ୟାରେ ହୋଟେଲ ଜୟ ହୋ’ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ପୂର୍ବତନ କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ସୁଆର ଇସ୍ତଫା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ‘ବିଜୁ ଛାତ୍ର ଜନତା ଦଳ ପାଇଁ ନିଃସ୍ବାର୍ଥପର ଭାବେ ଆମେ ଅନେକ ବର୍ଷ ଧରି କାମ କରି ଆସୁଛୁ। ମୁଁ ବି ୨୦୧୧ ମସିହାରୁ ସଂଗଠନ ପାଇଁ କାମ କରି ଆସିଛି ଓ ଦଳୀୟ ସଂଗଠନକୁ ସୁଦୃଢ଼ କରିଛି। ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ତୁଲାଇ ଆସୁଥିଲି।’ ମାତ୍ର, ଆଜି ବିଜୁ ଛାତ୍ର ଜନତା ଦଳର ନୂଆ ସଂଗଠନ ଗଠନ କରାଯାଇଛି, ଯେଉଁଥିରେ ଜଣେ ନୂଆ ଛାତ୍ରଙ୍କୁ ସଭାପତି ଦାୟିତ୍ବ ଦିଆଯାଇଛି। ଯାହାଙ୍କର ନିର୍ବାଚନ କ୍ଷେତ୍ର‌ରେ କୌଣସି ଅଭିଜ୍ଞତା ନାହିଁ। ଏଥିପାଇଁ ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ପଦପଦବୀରୁ ଆମେ ଇସ୍ତଫା ଦେଇଛୁ ବୋଲି ଶ୍ରୀ ସୁଆର କହିଛନ୍ତି।

ଶ୍ରୀ ସୁଆରଙ୍କ ସମେତ ପୁରୀ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଦୀପକ କୁମାର ପଣ୍ଡା, ଉପସଭାପତି ସାଗର ପାତ୍ର, ନଗର ଛାତ୍ର ବିଜେଡିର ସଭାପତି ରାଜେଶ କୁମାର ରଣା, ସାଧାରଣ ସଂପାଦକ ଶ୍ରୀନିବାସ ମିଶ୍ର, ଜୋନାଲ୍‌ ସଂପାଦକ ଭବାନୀ ଶଙ୍କର ମହାରଣା ଆଜି ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସୂଚନାଯୋଗ୍ୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଆଜି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର