ପ୍ରମୋଦଙ୍କୁ ୬ କୋଟି ଓ ଗ୍ରୁପ ଏ’ ଚା‌କିରି

ଭୁବନେଶ୍ବର : ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ପାରାବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କୁ ରାଜ୍ୟ ସରକାର ୬ କୋଟି ଟଙ୍କାର ଆର୍ଥିକ ପୁରସ୍କାର ସହ ଗ୍ରୁପ୍ ଏ’ ଚା‌କିରି ଦେବେ। ବୁଧବାର ‌ପ୍ରକା‌ଶ କରିଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ତରଫରୁ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ ସଫଳତାର ଶିଖର ଛୁଇଁବା ଲାଗି ସାଧାରଣ ଓ ପାରା କ୍ରୀଡ଼ାବିତ୍‌ଙ୍କୁ ସବୁପ୍ରକାର ସମର୍ଥନ ଯୋଗା‌ଇ ଦେବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ମୁଖ୍ୟମନ୍ତ୍ରୀ ଜୁଲାଇ ୮ ତାରିଖରେ ଟୋକିଓ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଅଲିମ୍ପିଆନ୍ ଓ ପାରାଲିମ୍ପିଆନ୍‌ଙ୍କ ସହ କଥାବାର୍ତ୍ତା କରିବା ବେଳେ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ସେମାନଙ୍କ ମନୋବଳ ବଢ଼ାଇବା ଲାଗି ୬ କୋଟି (ସ୍ବର୍ଣ୍ଣ ପଦକ ପାଇଁ), ୪ କୋଟି (ରୌପ୍ୟ ପଦକ) ଓ ୨.୫ କୋଟି (କାଂସ୍ୟ ପଦକ ପାଇଁ) ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ। ଟୋକିଓ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବା ଲାଗି ପୂର୍ବରୁ ସେମାନଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୧୫ ଲକ୍ଷ ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରାଯାଇଥିଲା। ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ୬ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପାଇବାକୁ ‌ଯୋଗ୍ୟ। ସେ ଭୁବନେଶ୍ବରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହାର ଚେକ୍ ହସ୍ତାନ୍ତର କରିବେ। ପ୍ରମୋଦ ମଧ୍ୟ ଗ୍ରୁପ୍ ଏ’ ସ୍ତରୀୟ ସରକାରୀ ଚାକିରି ଲାଗି ଯୋଗ୍ୟ ବିବେଚିତ ହେବେ।

ସୂଚନାଯୋଗ୍ୟ ଯେ ଏହି ବିଷୟରେ ‘ସମ୍ବାଦ’ର ମଙ୍ଗଳବାର ସଂସ୍କରଣର ପ୍ରଥମ ପୃଷ୍ଠାରେ ‘ପ୍ରମୋଦଙ୍କୁ ପାସୋରି ଦେଲେ’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଏହାର ଦିନକ ପରେ ରାଜ୍ୟ ସରକାର ଆନୁଷ୍ଠାନିକ ଘୋଷଣା କରିବା ପରେ ପ୍ରମୋଦ ଆର୍ଥିକ ପୁରସ୍କାର ପାଇବା ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଦୂର ହୋଇଛି।

ସମ୍ବନ୍ଧିତ ଖବର