ସୋରରେ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ଓଲଟିଲା ବସ୍‌, ୬ ମୃତ

ଦୁର୍ଘଟଣା ପରେ ଖାଲକୁ ଖସିଲା ବସ, ଟ୍ରକ୍

ବାଲେଶ୍ବର/ସୋର/ବାହାନାଗା, ୨୨/୧ (ଇମିସ): ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ବିଦୁ ଛକ ନିକଟରେ ଶନିବାର ମଧ୍ୟାହ୍ନରେ ଏକ କୋଇଲା ବୋଝେଇ ଟ୍ରକ୍‌ ଧକ୍କାରେ ୬ ଜଣ ବସ୍‌ଯାତ୍ରୀ ପ୍ରାଣ ହରାଇଛନ୍ତି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ୮ ଜଣଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନା ଏବଂ ୧୫ ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ମୟୂରଭଞ୍ଜ ଜିଲ୍ଲା ମାଣତ୍ରୀରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲା ଶାନ୍ତିଲତା ବସ୍‌ (ଓଆର୍‌-୦୪କେ-୨୨୨୫)। ଉଦଳା, ସଜନାଗଡ଼, ନୀଳଗିରି, ବାହାନଗା, ସୋର ହୋଇ ଭୁବନେଶ୍ବର ଯାଉଥିବା ଏହି ବସ୍‌ରେ ଆଜି ୫୦ ଜଣ ଯାତ୍ରୀ ଥିଲେ। ସୋର ଥାନା ବିଦୁ ଛକଠାରେ ଦୁଇଜଣ ଯାତ୍ରୀ ଓହ୍ଲାଇବା ପାଇଁ ବସ୍‌ଟି ଅଟକିଥିବା ସମୟରେ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍‌ (ଓଡି୨୧ଏଏଚ୍‌-୦୦୭୦) ଦ୍ରୁତଗତିରେ ଆସି ବସ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତାକଡ଼ ଖାଲକୁ ଉଭୟ ଟ୍ରକ୍‌ ଓ ବସ୍‌ ଓଲଟି ପଡ଼ିଥିଲେ। ଦୁର୍ଘଟଣା ପରେ ଉଦ୍ଧାର ପାଇଁ ବସଯାତ୍ରୀମାନେ ଆର୍ତ୍ତନାଦ କରୁଥିବା ବେଳେ ବସ୍‌ ଓ ଟ୍ରକ୍‌ ଡ୍ରାଇଭର ସେଠାରୁ ଫେରାର ହୋଇ ଯାଇଥିଲେ। ବସ୍‌ ହେଲପର ହାତୀବନ୍ଧ ଅଞ୍ଚଳର ଚନ୍ଦ୍ରାଇ ମୁର୍ମୁ (୩୭) ଦୁର୍ଘଟଣାରେ ଆଖି ବୁଜିଥିବା ବେଳେ କିଛି ଯାତ୍ରୀ ବସ୍‌ କାଚ ଭାଙ୍ଗି ବାହାରିଥିଲେ। ଖବର ପାଇ ଘଟଣାସ୍ଥଳରେ ସୋର, ଖନ୍ତାପଡ଼ା ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଂଜିତ ଦଳବେହେରା, ସୋର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସିଡିଏମ୍‌ଓ ଡାକ୍ତର ଦୁଲାଳସେନ୍‌ ଜଗଦେବ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ୩ ଜଣିଆ ଡାକ୍ତରୀ ବିଶେଷଜ୍ଞ ଟିମ୍‌କୁ ଦୁର୍ଘଟଣାସ୍ଥଳକୁ ପଠାଇବା ସହ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଗୁରୁତର ଆ‌ହତମାନଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌, ଅସ୍ଥିଶଲ୍ୟ ବିଭାଗ ଓ ଓଟିରେ ଚିକିତ୍ସା ବ୍ୟବସ୍ଥା କରିଥିଲେ। ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ ମଧ୍ୟ ବଡ଼ ଡାକ୍ତରଖାନାରେ ରହି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ।

ଦୁର୍ଘଟଣାରେ ଉଦଳା ଅଞ୍ଚଳର ବିଜୟଲଷ୍ମୀ ପ୍ରିୟଦର୍ଶିନୀ ଶିଅଳ (୧୦), ମୁଗୁନିପୁରର ସଙ୍ଗୀତା ମୁର୍ମୁ (୧୪), ବସ ହେଲପର୍‌ ହାତୀବନ୍ଧ ଅଞ୍ଚଳର ଚନ୍ଦ୍ରାଇ ମୁର୍ମୁ (୩୭) ଏବଂ ଖୁଣ୍ଟା କମଳି ଗ୍ରାମର ସନ୍ଦୀପ ବଗାଳ(୨୨)ଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କର ପରିଚୟ ମିଳିପାରିନାହିଁ। ତେବେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁ ଅଛନ୍ତି। ବାଲେଶ୍ବର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଗୁରୁତର ୮ ଜଣ ହେଲେ ଉଦଳା ଶାଳଘାଟୀ ଅଞ୍ଚଳର ପାନମଣି ହେମ୍ବ୍ରମ୍‌, ନୀଳଗିରି ଅଞ୍ଚଳର ସୁନି ମୁର୍ମୁ, ରାସଗୋବିନ୍ଦପୁର ଅଞ୍ଚଳର ଶମ୍ଭୁନାଥ ରାୟ, ସଜନାଗଡ଼ ଗୁଡ଼ିଶୂଳ ଅଞ୍ଚଳର ପ୍ରଦୀପ ସିଂ, ଯାଜପୁର ଜିଲ୍ଲା କୁଆଖିଆ ମଧୁବନ ଅଞ୍ଚଳର ସୂର୍ଯ୍ୟମଣି ବାରିକ, କପ୍ତିପଦା ଅଞ୍ଚଳର ଗୁରୁବାରୀ ବେହେରା, ମାର୍କୋଣା ମଇତାପୁର ଅଞ୍ଚଳର ଯଦୁନାଥ ସୋରେନ୍‌ ଓ ଉଦଳା ବେଗୁନିଆଡିହାର ରଜତ ବିନ୍ଧାଣୀ।

ସମ୍ବନ୍ଧିତ ଖବର