ପୁରୀ: କରୋନା ସଂକ୍ରମଣରେ ୬ ମୃତ

ଦୁଇ ଜଣ ଯୁବକଙ୍କ ପ୍ରାଣଗଲା

ପୁରୀ : କରୋନା ସଂକ୍ରମଣ ପୁରୀରେ ବଢ଼ିବଢ଼ି ଚାଲିଛି। ରୋକିବାର ନା ଗନ୍ଧ ନେଉନାହିଁ। ଫଳରେ ପୁରୀରେ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହେଲାଣି। ତଥାପି କେତେକ କୋଭିଡ଼ କଟକଣା ମାନୁନଥିବାରୁ ପୁରୀ ପାଇଁ ଚିନ୍ତାର ବିଷୟ ହୋଇଛି।

ଗତ କିଛି ଦିନ ପୂର୍ବେ ଗୋଟିଏ ଦିନରେ ପୁରୀରେ ଛଅ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଥିବା ବେଳେ ଶୁକ୍ରବାର ମଧ୍ୟ ସେହି ଏକା ପରିସ୍ଥିତି ଦେଖାଦେଇଛି। ପୁରୀ କୋଭିଡ଼ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଥିବା ୪ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଥିବା ବେଳେ ଭୁବନେଶ୍ବରରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି। ଚୁଡ଼ଙ୍ଗ ସାହି ମଧୁବନ ଲେନ୍‌ର ଜନୈକା ମହିଳା ଗତ କିଛି ଦିନ ହେବ କରୋନା ସଂକ୍ରମିତ ହୋଇ ଇ-୨୪ ହସପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଏଠାରେ ତାଙ୍କର ଶ୍ବାସଜନିତ ସମସ୍ୟା ଦେଖାଯିବାରୁ ତାଙ୍କୁ
ଭୁବନେଶ୍ବରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଯାଇଛି। ସେହିପରି ଶ୍ୟାମକୁଞ୍ଜ ଗଳିର ଜନୈକ ୪୨ ବର୍ଷିୟ ଯୁବକ ଗତ ୨୦ ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ କଟକସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଯାଇଛି। ତେଣୁ ଏହି ଦୁଇ ଜଣଙ୍କର ଶବକୁ କଟକ ଓ ଭୁବନେଶ୍ବର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।

ସେହିପରି ପୁରୀ ଦଇତାପଡ଼ା ସାହିର ଜଣେ ୮୫ ବର୍ଷିୟ ମହିଳା କରୋନା ସଂକ୍ରମିତଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଯାଇଛି। ତାଙ୍କୁ ସଂକଟାପନ୍ନ ଅବସ୍ଥାରେ କୋଭିଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ସେହିପରି ନିମାପଡ଼ାର ଜଣେ ୯୫ ବର୍ଷ ବୟସ୍କ ବୃଦ୍ଧା କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ କୋଭିଡ଼ ହସପିଟାଲକୁ ନେବାରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଇଛନ୍ତି। ଅନ୍ୟ ଜଣେ ଗୋପ ବ୍ଲକର କୋଣାର୍କ ଥାନା ଅନ୍ତର୍ଗତ ମହାଳପଡ଼ା ଗ୍ରାମପଞ୍ଚାୟତ ଅଞ୍ଚଳର ଜଣେ ୨୧ ବର୍ଷିୟ ଯୁବକ କରୋନା ସଂକ୍ରମିତ ହୋଇ ଗତ କାଲି କୋଭିଡ଼ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କର ଆଜି ଦେହାନ୍ତ ହୋଇଯାଇଛି। ତେବେ ଗତ କାଲି ତାଳବଣିଆ ଥାନା ଅନ୍ତର୍ଗତ ଭାରତୀପୁରର ଜଣେ ୩୦ ବର୍ଷିୟ ଯୁବକ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର