କାଳବୈଶାଖୀ, ବଜ୍ରପାତରେ ୬ ମୃତ, ମୃତକଙ୍କ ମଧ୍ୟରେ ୩ ପିଲା

ଶେରଗଡ଼/ କଟକ-ମହାନଦୀବିହାର/ ନବରଙ୍ଗପୁର/କୋଷାଗୁମୁଡା : ଅଦିନ କାଳବୈଶାଖୀ ଓ ବଜ୍ରପାତ ଅଚାନକ ଯେମିତି ଆସେ, କେଉଁ ଛଟକ‌େର ସେମିତି ପ୍ରାଣ ବି ନେଇଯାଏ! ରାଜ୍ୟର କେତେକ ସ୍ଥାନରେ ଏହିଭଳି ବିପର୍ଯ୍ୟୟ ଆଜି ୬ ଜଣଙ୍କ ପ୍ରାଣ ନେଇଛି। ୬ ଜଣଙ୍କ ମଧ୍ୟରେ ୩ ଜଣ ହେଉଛନ୍ତି ନାବାଳକ/ନାବାଳିକା ।

ଗୋଟିଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ଗ୍ରାମରେ। ଆଜି ଅପରାହ୍‌ଣ ସାଢ଼େ ୪ଟାରେ କାଳବୈଶାଖୀ ତାଣ୍ଡବ ରଚାଇଥିଲା। ଘଡ଼ଘଡ଼ି ସହ ବର୍ଷା ଓ ପବନ ବି ବୋହିଥିଲା। ଏହି ସମୟରେ ଏକ ବିରାଟ ଗଛ ପଡ଼ିଯାଇ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, କାହ୍ନା ପ୍ରଧାନ (୧୦) ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୭୦)।

କଟକ ଅନ୍ତର୍ଗତ ତିନିଘରିଆ ଗ୍ରାମ ଆମ୍ବତୋଟାରେ ଆମ୍ବ ଗୋଟାଇବା ସମୟରେ ବି ସେହିଭଳି ଏକ ଅଘଟଣ ଘଟିଛି। ବଜ୍ରପାତ ହେବାରୁ ୨ ଜଣଙ୍କର ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୪ଟା ବେଳେ ଜୋର୍‌ରେ ପବନ ଓ ବର୍ଷା ହେବାରୁ ତିନିଘରିଆ ଆମ୍ବତୋଟାକୁ ବହୁ ଲୋକ ଆମ୍ବ ଗୋଟାଇବାକୁ ଯାଇଥିଲେ। ଠିକ୍‌ ୫ଟା ସମୟରେ ପ୍ରଚଣ୍ଡ ଶବ୍ଦ ସହ ବଜ୍ରପାତ ହେବାରୁ ସେଠାରେ ଥିବା ଟିଟୁଆ ସାମଲ ଟଳିପଡ଼ିଥିଲେ। ଅନ୍ୟଜ‌ଣେ ମହିଳା ଗୁରୁତର ଆହତ ହୋଇଥିଲାବେଳେ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସେହିଭଳି, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଟେମରା ଗାଁରେ ଆଜି ଦିନ ପ୍ରାୟ ୪ଟା ୩୦ ମିନଟ୍‌ ସମୟରେ ବଜ୍ରପାତରେ ଦୁଇଜଣ ନାବାଳିକା ମୃତ୍ୟୁବରଣ କରିଛନ୍ତି ଏବଂ ଜଣେ ଗୁରୁତର ଅବସ୍ଥାରେ କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମୃତ ନାବାଳିକା ହେଲେ, ହୀରାଦେଇ ଭତ୍ରା (୧୨), ଊର୍ମିଳା ଭତ୍ରା (୧୩)। ଏହି ତିନୋଟି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

ସମ୍ବନ୍ଧିତ ଖବର