କେନ୍ଦ୍ରାପଡ଼ା, ନିମାପଡ଼ାରେ ବଜ୍ରପାତ : ଚାଷଜମିରେ ଟଳି ପଡ଼ିଲେ ୬

କେନ୍ଦ୍ରାପଡ଼ା/ ମାର୍ଶାଘାଇ/ଗରଦପୁର/ମହାକାଳପଡ଼ା/ନିମାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ଘଟି ୫ଜଣ ଚାଷୀଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଗରଦପୁରର ଦୁଇ ଜଣ ହୋଇଥିବାବେଳେ ମହାକାଳପଡ଼ାର ୨ ଜଣ ଓ ମାର୍ଶାଘାଇ ଅଞ୍ଚଳର ଜଣେ ଚାଷୀ। ଏମାନେ ସମସ୍ତେ ବିଲରେ କାମ କରୁଥିବାବେଳେ ଏଭଳି ଅଘଟଣ ଘଟିଛି। ସେହିଭଳି, ବିଲରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ ନିମାପଡ଼ା ଥାନା ବନ୍ତୁ ଗ୍ରାମର ଜଣେ ମହିଳା ପ୍ରାଣ ହରାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ୍‌ ଅନ୍ତର୍ଗତ ମଣିକୁଣ୍ତା ପଞ୍ଚାୟତ ବାଲିକସୋଟି (ଡିହସାହି) ଗ୍ରାମର ବିଜୟ ନାୟକ(୬୭) ଆଜି ଅପରାହ୍ନରେ ବିଲରେ ଚାଷକାମ ଦେଖିବାକୁ ଯାଉଥିବା ସମୟରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଦିନ ପ୍ରାୟ ଗୋଟାଏ ବେଳେ ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅଧୀନ ଗୋତ୍ରବିଲ ଗ୍ରାମର ଅଜୟ କୁମାର ନାୟକ(୪୫) ଘର ପାଖ ଜମିରେ ଧାନ ତଳି ଉପାଡୁଥିବାବେଳେ ବଜ୍ରପାତ ଘଟିଥିଲା। ଅଜୟ ସେଠାରେ ଅଚେତ ହୋଇ ପଡିଯିବାରୁ ତାଙ୍କୁ ପାଟକୁରା ମେଡିକାଲକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ। ତିକନପୁର ପଞ୍ଚାୟତ ଅନ୍ତର୍ଗତ ମରିଲୋ ଗ୍ରାମର ଦିଲ୍ଲୀପ କୁମାର ମଳିକ (୪୦) ମଧ୍ୟ ବଜ୍ରପାତର ଶିକାର ହୋଇଥିଲେ। ବିଲରେ କାମ କରୁଥିବାବେଳେ ତାଙ୍କ ଉପ‌ରେ ବଜ୍ରପାତ ହୋଇଥିଲା। ପାଖ ଜମିରେ କାମ କରୁଥିବା ଦିଲ୍ଲୀପଙ୍କ ପତ୍ନୀ ମିନାକ୍ଷୀ ଏବଂ ସମ୍ପର୍କୀୟମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟକୁରା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ମହାକାଳପଡ଼ା ବ୍ଲକ୍ କରଂଜ ଗ୍ରାମର ଦୁଇ ଜଣ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଦୁହେଁ ହେଲେ, ପପୁ କୁମାର ଦାସ(ପପୁନି) ଓ ରଂଗାଧର ବେହେରା(ରଙ୍ଗଣି)। ସୂଚନା ଅନୁସାରେ ପପୁ ଓ ରଂଗାଧର ବିଲ ଭିତରେ ଥିବା ବେଳେ ବଜ୍ରପାତ ହୋଇଥିଲା। ଦୁହେଁ ଗୁରୁତର ହୋଇପଡ଼ିଥିଲେ। ପାଖରେ କାମ କରୁଥିବା ଚାଷୀମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ମର୍ଶାଘାଇ ମେଡିକାଲ ନେଇଥିଲେ। ସେଠାରୁ ସେମାନଙ୍କୁ କେନ୍ଦ୍ରାପଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ତେରଗାଁ ପଞ୍ଚାୟତ ଓସ୍ତର ଗ୍ରାମର ନରୋତ୍ତମ ସ୍ୱାଇଁଙ୍କ ପତ୍ନୀ ତଅପୋଇ (୫୫) ବଜ୍ରପାତରେ ଆହତ ହୋଇଛନ୍ତି। ବିଲରେ କାମ କରୁଥିବା ଲୋକଙ୍କ ପାଇଁ ଖାଦ୍ୟ ନେଇ ଯାଉଥିବା ବେଳେ ସେ ବଜ୍ରପାତର ଶିକାର ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷରେ, ନିମାପଡ଼ା ଥାନା ବନ୍ତୁ ଗ୍ରାମରେ ଆଜି ବଜ୍ରପାତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗୀତାରାଣୀ ଭୋଇ (୪୫)। ସେହିପରି ଅନ୍ୟ ଜଣେ ମହିଳା ଓ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ହେଲେ ବିଜୟ ଭୋଇ (୬୦) ଏବଂ ଚଞ୍ଚଳ ଭୋଇ (୫୦)। ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଏମାନେ ବିଲରେ ତଳି ରୋଉଥିବା ବେଳେ ବଜ୍ରପାତ ହୋଇଥିଲା। ଗୀତାରାଣୀ ବିଲରେ ଟଳି ପଡ଼ିଥିବାବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର