ଅଜଣା ରୋଗରେ ୧୦ ଦିନରେ ୬ ଜଣଙ୍କର ମୃତ୍ୟୁ; ଏବେ ବି ୧୦ ଜଣ ଆକ୍ରାନ୍ତ

ମେଡିକାଲ ଗଲେ ମୃତ୍ୟୁର ଭୟ ରହିଛି: ରୋଗୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗର ଶିକାର ହୋଇ ୧୦ ଦିନ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ଏବେ ବି ଆହୁରି ୧୦ ଜଣ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି ମାଥିଲି ବ୍ଲକର ସାଲିମି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ। ଏହି ଗ୍ରାମରେ ଗତ ୧୦ ଦିନ ହେଲା ଲୋକଙ୍କ ଗୋଡ ହାତ ଫୁଲିବା ସହ ପେଟ ଫୁଲି ମୃତ୍ୟୁବରଣ କରୁଛନ୍ତି। ଏହି ଅଜଣା ରୋଗ ଏବେ ଗ୍ରାମର ଅର୍ଦ୍ଧାଧିକ ଲୋକଙ୍କୁ ଗ୍ରାସ କରିସାରିଲାଣି। ଲୋକେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି।

ଖବର ପାଇ ମାଥିଲି ମେଡିକାଲ ଟିମ ହଳଦୀକୁଣ୍ଡ ଗ୍ରାମରେ ପହଞ୍ଚି ଲୋକଙ୍କୁ ସେବା ଯୋଗାଇବାକୁ ଚେଷ୍ଟା କରୁଛି। ତେବେ ଲୋକେ କିନ୍ତୁ ଆଶା ଦିଦି, ଅଂଗନବାଡି ଦିଦି ଏବଂ ଡାକ୍ତରଙ୍କର ସେବା ନେବାକୁ ସଫା ସଫା ମନା କରି ଦେଉଥିବା ଦେଖିବାକୁ ମିଳିଛି। ଲୋକେ କହୁଛନ୍ତି ଡାକ୍ତରି ଚିକିତ୍ସାରେ ହିଁ ଲୋକେ ମରୁଛନ୍ତି। ଆମେ ଡିସାରୀ ଗୁଣିଆ କରିବୁ ପଛେ ଡାକ୍ତରଖାନାକୁ ଯିବୁ ନାହିଁ ବୋଲି ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମାବସୀଙ୍କର ଏହି ଯୁକ୍ତି ଶୁଣି ଡାକ୍ତରୀ ଦଳକୁ ଏବେ ମୁଣ୍ଡ ବ୍ୟଥାର କାରଣ ହୋଇଛି।

ଆଜି ଜଣକୁ ମାଲକାନଗିରି ଡାକ୍ତରଖାନାକୁ ଆଣୁଥିବା ବେଳେ ମୃତ୍ୟୁ ଘଟିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗଲେ ମୃତ୍ୟୁ ସୁନିଶ୍ଚିତ ବୋଲି ମନରେ ଧରି ନେଇଛନ୍ତି। ତେଣୁ ଏମାନଙ୍କୁ ସଚେତନତା ଆବଶ୍ୟକ ପଡୁଛି।ତୁରନ୍ତ ଜିଲ୍ଲା ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ବୁଝାସୁଝା ନକଲେ ଆଗକୁ ଆହୁରି ଅନେକ ଲୋକ ମୃତ୍ୟୁବରଣ କରିବେ ବୋଲି ସଂଦେହ ପ୍ରକାଶ ପାଇଛି। ଏବେ ଯେଉଁମାନେ ରୋଗରେ ପଡି ଘରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସମସ୍ତଙ୍କୁ ଡାକ୍ତରୀ ଦଳ ତୁରନ୍ତ ମେଡିକାଲ ଯିବାକୁ ଅଡି ବସିଛନ୍ତି। ସମସ୍ତଙ୍କର ଗୋଡ ଫୁଲିଯାଉଥିବା ବେଳେ ଧିରେ ଧିରେ ଶରୀରର ଅନ୍ୟ ଅଂଶ ମଧ୍ୟ ଫୁଲିବାକୁ ଲାଗୁଛି। ଯାହାଫଳରେ ରୋଗୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମୃତ୍ୟୁବରଣ କରୁଛନ୍ତି। ଗତ ମାସରେ ମାଲକାନଗିରି ଜିଲ୍ଲାର କାଲିମେଳା ଅଂଚଳରେ ଅଜଣା ରୋଗରେ ବହୁ ଲୋକଙ୍କର ମୃତ୍ୟୁବରଣ ହୋଇଥିବା ବେଳେ ଏବେ ମାଥିଲି ଅଂଚଳକୁ ଏହା ଗ୍ରାସ କରିଛି। ତେବେ ଏମାନେ କେଉଁ ପାଣି ପିଉଛନ୍ତି ଏବଂ କଣ ଖାଦ୍ୟ ଖାଉଛନ୍ତି ତାହା ଉପରେ ଡାକ୍ତରୀ ଦଳ ତଦନ୍ତ କରୁଥିବା ଜଣାପଡିଛି। ତୁରନ୍ତ କୌଣସି ପଦକ୍ଷେପ ନନେଲେ ଆଗକୁ ବିପଦ ବଢିବ ସିନା କମିବ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର