ଝିଅକୁ ମିଠା ଦେଇ ଫେରିଲା ବେଳେ ପ୍ରାଣ ହରାଇଲେ ଦମ୍ପତି
ବ୍ରଜରାଜନଗର : ଖୁସିରେ ଦୀପାବଳି ପାଇଁ ଝିଅକୁ ମିଠା ଦେଇ ଫେରୁଥିଲେ। ବାଟରେ ଜାତୀୟ ରାଜପଥରେ ଏକ ଟ୍ରକ୍ ଧକ୍କାଦେବାରୁ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ତେଲେନପାଲି ପଞ୍ଚାୟତ ସାପାଲି ଗ୍ରାମର ରାମକୃଷ୍ଣ ସା(୪୫) ଓ ସବିତା ସା (୪୦)। ଦୁହିଁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଜାତୀୟ ରାଜପଥକୁ ୯ ଘଣ୍ଟା ଧରି ବନ୍ଦ କରିଥିଲେ। ଫଳରେ, ଏହି ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା।
ସୂଚନା ଅନୁଯାୟୀ ଦୀପାବଳି ପାଇଁ ରାମକୃଷ୍ଣ ଓ ତାଙ୍କ ପତ୍ନୀ ସବିତା ବାଇକ୍ (ଓଡି୨୩ ଏଲ୍-୪୭୨୩)ରେ କତରବଗା ସ୍କୁଲ୍କୁ ଯାଇଥିଲେ। ସେଠାରେ ହଷ୍ଟେଲ୍ରେ ରହି ପଢ଼ୁଥିବା ଝିଅକୁ ଦେଖା କରିବା ସହିତ ଦୀପାବଳି ଉପଲକ୍ଷେ ନେଇଥିବା ଡ୍ରେସ୍ ଓ ମିଠା ଦେଇଥିଲେ। ଗୁରୁବାର ଅପରାହ୍ଣ ପ୍ରାୟ ୩ଟିରେ ଫେରିବା ସମୟରେ ଜାତୀୟ ରାଜପଥ ଉପରେ ଝାରସୁଗୁଡ଼ା ପଟୁ ରାୟଗଡ଼ ଦିଗରେ ଯାଉଥିବା ଟ୍ରକ (ସିଜି-୧୩ ଏସି-୫୦୯୯) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।
ହାଇୱାକୁ ଧକ୍କା ଦେଇ ପ୍ରାଣ ହରାଇଲେ ୩
ରେଙ୍ଗାଲି : ଦୀପାବଳି ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଓ କତରବଗା ଥାନା ଅଞ୍ଚଳରେ ସଂଘଟିତ ଦୁଇଟି ପୃଥକ୍ ପୃଥକ୍ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରେଙ୍ଗାଲିରୁ ରାମଚନ୍ଦ୍ର ନଗର ରାସ୍ତାର ରେଙ୍ଗାଲି ଥାନା ଅନ୍ତର୍ଗତ ଗଣେଶନଗର ପେଟ୍ରୋଲ ପମ୍ପ ସମ୍ମୁଖରେ ବାଇକ ଓ ହାଇୱା ମାଧ୍ୟରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟ ହୋଇଛି।
ଗୁରୁବାର ଦିନ ଶ୍ୟାମ ମେଟାଲିକ୍ସରେ କାମ କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ମୁକେଶ ମାଝୀ, ଝାଡ଼ଖଣ୍ଡର ଶ୍ୟାମ ସୁନ୍ଦର ସିଂହ ଓ ବସନ୍ତ ବେଦିଆ ଏକ ବାଇକ (ଓଡି-୧୫-ଇ-୩୩୯୩)ରେ ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ହାଇୱା (ଓଡି-୧୫ଏଫ୍-୭୦୦୯)କୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟ ହୋଇଥିବାବେଳେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।
ମଦ ନିଶାରେ ଚଢ଼ାଇଦେଲା ଟ୍ରକ୍
ବୁଗୁଡ଼ା : ଜଣେ ନିଶାସକ୍ତ ଟ୍ରକ୍ ଡ୍ରାଇଭର୍ ବେପରୁଆ ଗାଡ଼ି ଚଳାଇ ପବିତ୍ର ଦୀପାବଳି ରାତିରେ ଜଣେ ଯୁବକଙ୍କ ଜୀବନ ନେଇଛନ୍ତି। କେବଳ ସେତିକି ନୁହେଁ, ନିୟନ୍ତ୍ରଣ ହରାଇ ରାସ୍ତାକଡ଼େ ଦୁଇଟି ସାଇକେଲ୍ ଚୁର୍ମାର୍ କରିଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବରିଡ଼ିପଲ୍ଲୀରେ ଏ ଅଘଟଣ ଘଟିଛି l
ମୃତକ ହେଲେ ବରିଡ଼ିପଲ୍ଲୀ ସ୍କୁଲ ନିକଟରେ ରହୁଥିବା ସ୍ବର୍ଗତ କେଶବ ନାୟକଙ୍କ ପୁଅ କାଳିଆ ନାୟକ। କାଳିଆ ଆଦିପୁର ଗ୍ରାମକୁ ଯାଇ ଦୀପଦାନ ସାରି ଘରକୁ ଫେରି ଘରେ ପାଇଖାନା ନଥିବାରୁ ରାତି ପ୍ରାୟ ୧୦ଟା ବେଳେ ଟର୍ଚ୍ଚ ଧରି ଶୌଚ ଯିବାକୁ ଘର ବାରଣ୍ଡାରେ ଠିଆ ହୋଇଥିଲେ। ଏତିକିବେଳେ ଆନ୍ଧ୍ର ଇଚ୍ଛାପୁରରେ ବାଲି ଅନ୍ଲୋଡ଼ କରି ନୟାଗଡ଼ ସିଦ୍ଧାମୂଳ ଫେରୁଥିବା ଏକ ଟ୍ରକ୍ ଘର ବାରଣ୍ଡ ଆଡ଼କୁ ଧସେଇ ଆସି କାଳିଆଙ୍କୁ ଧକ୍କା ଦେବା ସହ ଦୁଇଟି ସାଇକେଲ ଉପରେ ଚଢ଼ି ଯାଇଥିଲା l କାଳିଆ ଛିଟିକି ପଡ଼ି ପଡ଼ୋଶୀ ଘର କାନ୍ଥରେ ପିଟି ହୋଇ ଗୁରୁତର ଆହତ ହୋଇଥିବା ବେଳେ ସାଇକଲ ଦୁଇଟି ଚୁର୍ମାର୍ ହୋଇ ଯାଇଥିଲା। କାଳିଆଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ ନିଆ ଯାଇଥିଲେ ହେଁ ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଡ୍ରାଇଭର୍ ଓ ହେଲ୍ପର ପ୍ରବଳ ମଦ୍ୟପାନ କରି ଗାଡ଼ି ଚଳାଇବାରୁ ଏପରି ଘଟଣା ଘଟିଥିବା ପୁଲିସ କହିଛି।