ହୋଲି ଉତ୍ସବ ପରେ ଅଘଟଣ: ନଦୀରେ ବୁଡ଼ିଗଲେ ୭ ଜଣ, ୨ ଜଣଙ୍କ ମୃତଦେହ ଉଦ୍ଧାର, ୪ ନିଖୋଜ

ଯାଜପୁର: ହୋଲି ଉତ୍ସବ ପରେ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ୭ ଜଣ ଭାସିଯାଇଛନ୍ତି। ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ସୁଆଁର ଗାଁ ନିକଟ  ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଶୁକ୍ରବାର ଅପରାହ୍ନରେ ଏହି ଅଘଟଣ ଘଟିଛି। ତେବେ ସନ୍ଧ୍ୟା ସୁଦ୍ଧା ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ହୋଇଯାଇଛନ୍ତି। ସମସ୍ତଙ୍କର ବୟସ ୧୫ରୁ ୨୧ ବର୍ଷ ବୟସ ମଧ୍ୟରେ ହେବ।

ସୂଚନା ଅନୁସାରେ ବଡ଼ସୁଆଁର ଗାଁରେ ଶୁକ୍ରବାର ଦିନ ହୋଲି ଉତ୍ସବ ପାଳନ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ୭ ଜଣ ପିଲା ଗାଁ ନିକଟ ଦେଇ ପ୍ରବାହିତ ଖରସ୍ରୋତା ନଦୀରେ ଗାଧୋଇବାକୁ ଯାଇଥିଲେ। ଜଳର ସ୍ରୋତ ପ୍ରଖର ଥିବାରୁ ସମସ୍ତେ ଭାସିଯାଇଥିଲେ। ସୂଚନା ପାଇଁ ଓଡ୍ରାଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଛିଛି। ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ୨ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗୁରୁତର ବ୍ୟକ୍ତିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ୪ ଜଣଙ୍କର କୌଣସି ଖବର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର