ହୋଲି ଅଘଟଣ: ଖେଳି ସାରି ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ

ନଦୀ‌ରେ ଭାସିଗ‌ଲେ ଦୁଇ ଯୁବକ, ପାଣିରେ ବୁଡ଼ି ଦୁଇ ରଙ୍ଗ ମିସ୍ତ୍ରିଙ୍କ ମୃତ୍ୟୁ

କେନ୍ଦୁଝର : ହୋଲି ଖେଳ ସରିବା ପରେ ପୋଖରୀରେ ଗାଧୋଉଥିଲେ। ପାଣିରେ ବୁଡ଼ି ଯିବାରୁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ସହର ଉପକଣ୍ଠ ମଣ୍ଡୁଆ ଏବଂ ହରିଡ଼ାଗୋଠରେ। ଏହି ଘଟଣା ପରେ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

କେନ୍ଦୁଝର ହରିଡ଼ାଗୋଠ ଗ୍ରାମର ଶତ୍ରୁଘ୍ନ ବେହେରା (୩୨) ହୋଲି ଖେଳି ସାରିବା ପରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ପହଞ୍ଚିବାର ବିଳମ୍ବ ହେବାରୁ ତାଙ୍କୁ ଏକ ‌ଅଟୋ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିଲା। ଅଧା ରାସ୍ତାରେ ଅଟୋର ତେଲ ସରିଯିବାରୁ ତାଙ୍କୁ ଏକ ବାଇକ୍‌‌ରେ ହସ୍ପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।

ସେହିପରି ହୋଲି ପର୍ବରେ ସାଙ୍ଗମାନଙ୍କ ସହିତ ହୋଲି ଖେଳିବା ପରେ ମଣ୍ଡୁଆ ଗାଁର ଧନେଶ୍ବର ନାଏକ ଅପରାହ୍ନରେ ଗାଁ ‌ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ଆଜି ସକାଳେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ନଦୀ‌ରେ ଭାସିଗ‌ଲେ ଦୁଇ ଯୁବକ

କୋଟପାଡ଼ : ସାଙ୍ଗସାଥୀଙ୍କ‌ ମେଳରେ ମନଭରି ହୋଲି ଖେଳିଲେ। ଏହାପରେ ନଦୀକୁ ଗାଧୋଇବାକୁ ଗଲେ। କିନ୍ତୁ ଆଉ ଘରକୁ ଫେରିଲେ ନାହିଁ। ଇନ୍ଦ୍ରାବତୀର ପ୍ରଖର ସ୍ରୋତ ଦୁଇ ଯୁବକ ଭସାଇ ନେଲା। ଅଗ୍ନିଶମ ବିଭାଗ ଖୋଜାଖୋଜି ଉଭୟଙ୍କ ଶବ ଉଦ୍ଧାର କରିଛି। କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ଗତକାଲି ଏଭଳି ଦୁଃଖଦ ଘଟଣା ଘଟିଛି। ହୋଲି ପାଇଁ ଗତକାଲି କୋଟପାଡ଼ ସହର ଚଳଚଞ୍ଚଳ ହୋଇ ଉଠିଥିଲା। ବିଭିନ୍ନ ବର୍ଗର ଲୋକେ ପରସ୍ପରକୁ ରଙ୍ଗ ବୋଳି ହୋଲିର ଶୁଭକାମନା ଜଣାଉଥିଲେ।

କୋଟପାଡ଼ ମହାନ୍ତି ସାହିର ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ବଡ଼ପୁଅ ଜଗନ୍ନାଥ ମହାପାତ୍ର(୧୮) ଓ ବେଲମା ସାହିର ସ୍ବର୍ଗତ ନିର୍ମଳ ନାୟକଙ୍କ ଏକମାତ୍ର ପୁଅ ଅଙ୍କୁଶ ନାୟକ(୧୯) ମଧ୍ୟ ହୋଲି ଖେଳିବାକୁ ଘରୁ ବାହାରିଥିଲେ। ହସଖୁସିରେ ‌ହୋଲି ଖେଳିବା ପରେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଉଭୟେ କୋଟପାଡ଼ ସହର ଠାରୁ ୩ କିଲୋମିଟର ଦୂର ବଣିଆ ଗ୍ରାମ ନିକଟରେ ପ୍ରବାହିତ ଇନ୍ଦ୍ରାବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ମୃତ୍ୟୁ ଉଭୟଙ୍କୁ ଅପେକ୍ଷା କରି ରହିଥିଲା। ଗାଧୋଇବା ସମୟରେ ଭାରସାମ୍ୟ ହରାଇଥିବାବେଳେ ନଦୀର ପ୍ରଖର ସ୍ରୋତ ସେମାନଙ୍କୁ କୂଳରୁ ବହୁଦୂରକୁ ଭିଡ଼ି ନେଇଥିଲା। ବହୁ ଚେଷ୍ଟା କରିଥିଲେ ସୁଦ୍ଧା ସ୍ରୋତରୁ ବାହାରି ପାରି ନଥିଲେ। ଆଖପାଖରେ ଗାଧୋଉଥିବା କିଛି ଲୋକ ଏହି ଦୃଶ୍ୟ ଦେଖିବା ପରେ ତୁରନ୍ତ ତୁରନ୍ତ କୋଟପାଡ଼ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଗୋଟିଏ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ନଦୀରୁ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ଉଭୟଙ୍କୁ ମୃତ‌ ଘୋଷଣା କରିଥିଲେ।

ପାଣିରେ ବୁଡ଼ି ଦୁଇ ରଙ୍ଗ ମିସ୍ତ୍ରିଙ୍କ ମୃତ୍ୟୁ

କୁଚିଣ୍ଡା : ଶନିବାର ସମଗ୍ର ଦେଶରେ ହୋଲି ପାଳନ କରୁଥିବା ସମୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟରେ ଥିବା ଭେଡ଼େନ ନଦୀ ଉପର ନୂଆ ବାଇପାସ ରାସ୍ତା ପୋଲ ତଳେ ଦୁଇ ଶ୍ରମିକଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ମୃତକ ଦ୍ବୟ ହେଲେ ଉତ୍ତରପ୍ରଦେଶ ଅଞ୍ଚଳର ମୁକେଶ୍ ଯାଦବ (୨୦) ଓ କୈଳାସ ପାସୀ (୧୯)। ଉଭୟ ଗାଧୋଇବା ପାଇଁ  ଯାଇଥିବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ କୁଚିଣ୍ଡା ଅଗ୍ନିଶମ ବିଭାଗ ପକ୍ଷରୁ ଶବ ଉଦ୍ଧାର କରାଯାଇ କୁଚିଣ୍ଡା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ଏହି ଦୁଇ ଯୁବକ ଜଣେ ବଙ୍ଗାଳୀ ଠିକାଦାରଙ୍କ ଅଧୀନରେ ରହି ରଙ୍ଗ କାମ କରୁଥିଲେ।

ସମ୍ବନ୍ଧିତ ଖବର