ମୟୂରଝାଲିଆ ଖଣି ଦୁର୍ନୀତି ପ୍ରସଙ୍ଗ: ରାଜସ୍ବ ବିଭାଗର ୬ କର୍ମଚାରୀ ନିଲମ୍ବିତ

ଏନ୍‌ଜିଟି ସଭିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ, ଜାମିନ୍‌ରେ ଆସିଥିଲେ, କାର୍ଯ୍ୟରେ ଯୋଗ ଦେଉଥିଲେ

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଧୀନ ମୟୂରଝାଲିଆ ଖଣି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ୬ ଜଣ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ଆଜି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ନିଲମ୍ବିତ କରିଛନ୍ତି।

ନିଲମ୍ବିତ କର୍ମଚାରୀମାନେ ହେଲେ, ରଣପୁର ତହସିଲ ଅଧୀନରେ ଆର୍‌ଆଇ ଥିବା ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ସୁପରଭାଇଜର ପ୍ରମୋଦ କୁମାର ବେହେରା, ଚନ୍ଦ୍ରଶେଖର ନନ୍ଦ, ବର୍ତ୍ତମାନ ଭାପୁରରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ ଅରୁଣ କୁମାର ସେଠୀ ଓ ଖଣ୍ଡପଡ଼ାରେ କାର୍ଯ୍ୟରତ ସେକ୍ସନ ଅଫିସର ମହମ୍ମଦ ସୁଲତାନ ହକ୍‌। ଏହି କର୍ମଚାରୀମାନଙ୍କ ନାମରେ ଚାନ୍ଦପୁର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହାପରେ ସେମାନେ ଛୁଟିରେ ଚାଲିଯାଇଥିଲେ। ବର୍ତ୍ତମାନ ଜାମିନ୍‌ରେ ଆସି ପୁନର୍ବାର ଅଫିସ କାର୍ଯ୍ୟରେ ଯୋଗ ଦେବାକୁ ଉଦ୍ୟମ କରୁଥିଲେ। ତେବେ, କାର୍ଯ୍ୟାଳୟ ଆସିଲେ ବିଭିନ୍ନ ତଥ୍ୟ ଏପାଖସେପାଖ କରିବାର ଆଶଙ୍କା ଥିବାରୁ ସଭିଙ୍କୁ ନିଲମ୍ବିତ କରିଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସାହୁଙ୍କଠାରୁ ସୂଚନା ମିଳିଛି। ଏଥିସହିତ, ଏହି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ କିଛି କର୍ମଚାରୀ ଜିଲ୍ଲା ବାହାରେ ବର୍ତ୍ତମାନ ଚାକିରି କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ଗତ ଏପ୍ରିଲ ମାସରେ ୧୧ ଜଣଙ୍କୁ ଏନ୍‌ଜିଟି ଦୋଷୀ ସାବ୍ୟସ୍ତ କରିଥିଲେ। ଏମାନଙ୍କ ନାମରେ ଫୌଜଦାରୀ ମାମଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ସଭିଙ୍କ ନାମରେ ଚାନ୍ଦପୁର ଥାନାରେ ମାମଲା ରୁଜୁ ହୋଇଛି। ଖଣି ଲିଜ୍‌ଧାରୀ ସୁଶାନ୍ତ କୁମାର ବରାଡ଼, ଅଗ୍ରୱାଲ ଇନ୍‌ଫ୍ରାବିଲ୍ଡର ନିର୍ଦ୍ଦେଶକ ଶଶାଙ୍କ ଅଗ୍ରୱାଲଙ୍କ ଭଳି ୨ ଜଣ ବେସରକାରୀଙ୍କ ଲୋକଙ୍କ ସମେତ ବର୍ତ୍ତମାନ ନିଲମ୍ବିତ ହୋଇଥିବା ୬ କର୍ମଚାରୀ, ରଣପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଯୁଗଳ କିଶୋର ମିଶ୍ର, ସେତେବେଳର ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ଭାରାପ୍ରାପ୍ତ ତହସିଲଦାର ଅଶୋକ କୁମାର ପଟ୍ଟନାୟକଙ୍କ ନାମରେ ମାମଲା ରୁଜୁ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ , ରଣପୁରର ଦିଲୀପ ସାମନ୍ତରାୟ ଖଣି ଦୁର୍ନୀତି ନେଇ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ (ଏନ୍‌ଜିଟି), କୋଲକାତାଙ୍କ ଦ୍ବାରସ୍ଥ ହୋଇଥିଲେ। ରାଜ୍ୟ ଖଣି ନିଗମ କର୍ତ୍ତୃପକ୍ଷ, ବିଭାଗୀୟ ବୈଜ୍ଞାନିକ, ଜିଲ୍ଲାପାଳ ପ୍ରମୁଖ ଗସ୍ତ କରି ଏହି ଖଣି ଦୁର୍ନୀତିର ତଦନ୍ତ କରିଥିଲେ। ମୟୂରଝାଲିଆ ମୌଜାର ୧୬୮୯ ପ୍ଲଟ୍‌ରୁ ଏ.୪.୦୦ ମାଙ୍କଡ଼ା ପଥର ଖଣି ପାଇଁ ସୁଶାନ୍ତ କୁମାର ବରାଡ଼ଙ୍କୁ ୫ ବର୍ଷିଆ ଲିଜ୍ ସୂତ୍ରରେ ଦିଆଯାଇଥିଲା। ହେଲେ, ସେ ଅନୁମତିଠାରୁ ଅଧିକ ଖଣି ଖନନ କରିଛନ୍ତି। ସେହିଭଳି ଅଗ୍ରୱାଲ୍‌ ଇନଫ୍ରାବିଲ୍‌ଡ ପ୍ରାଇଭେଟ୍ ଲିମିଟେଡ୍‌କୁ ସାଧାରଣ ମାଟି ଖନନ ଓ ପରିବହନ ନିମନ୍ତେ ଉକ୍ତ ପ୍ଲଟ୍‌ରୁ ଏ.୨.୦୦ ସାମୟିକ ପର୍‌ମିଟ୍ ଦିଆଯାଇଥିଲା। ସେମାନେ ଉକ୍ତ ପ୍ଲଟ୍‌ର ଅନ୍ୟାନ୍ୟ ଜାଗାରୁ ବେଆଇନ ଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରିବା ସହ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରିଥିବା ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା। ଏନେଇ ଖଣି ଲିଜ୍‌ଧାରୀ ସୁଶାନ୍ତ କୁମାର ବରାଡ଼ଙ୍କୁ ଗତ ଜାନୁଆରି ୧୦ ତାରିଖରେ ୨ କୋଟି ୮୧ ଲକ୍ଷ ୫୯ ହଜାର ୯୪୫ ଟଙ୍କା ମଧ୍ୟ ଜରିମାନା କରାଯାଇଛି। ତେବେ ଏଥିରେ ବହୁ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ଥିବାରୁ ଜରିମାନା ଆଦାୟ ହୋଇପାରୁନଥିବା କିମ୍ବା ଶ୍ରୀ ବରାଡ଼ଙ୍କୁ ଗିରଫ ମଧ୍ୟ କରାଯାଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର