ରାଉରକେଲା: ଏମିତି ଚାଲିଛି ରାଜ୍ୟରେ ସରକାରୀ ଶିକ୍ଷା ବ୍ୟବସ୍ଥା। ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶନାମା ଓ ନିର୍ଦ୍ଦେଶକଙ୍କ ବାରମ୍ବାର ତାଗିଦକୁ ବି ଖାତିର କରୁନାହାନ୍ତି ଜିଲ୍ଲା ଓ ଗୋ‌ଷ୍ଠୀ ଶିକ୍ଷାଧିକାରୀ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ।

Advertisment

ଜିଲ୍ଲାରେ ଏକାଧିକ ନକଲି ସରକାରୀ ଶିକ୍ଷକ ବର୍ତ୍ତମାନ କାର୍ଯ୍ୟରତ। ବର୍ଷ ବର୍ଷ ହେଲା ଏମାନେ ନକଲି ସାର୍ଟିଫିକେଟ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଏବେ ୬ ଜଣ ନକଲି ସରକାରୀ ଶିକ୍ଷକ ହରଡ଼ଘଣାରେ ପଡ଼ିଛନ୍ତି। ବିଡ଼ମ୍ବନା, ସମସ୍ତ ୬ ଜଣ ନକଲି ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କେବଳ ଜଣେ ଶିକ୍ଷକଙ୍କ ନାଁକୁ ଲୋକଲୋଚନକୁ ଅଣାଯାଇଛି। ଯେଉଁ ଜଣେ ଶିକ୍ଷକଙ୍କ ନାଁ ଲୋକଲୋଚନକୁ ଅଣାଯାଇଛି, ତାଙ୍କ କ୍ଷେତ୍ରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନି।

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗତ୨୯.୧୦.୨୦୨୦ରେ ରାଜ୍ୟର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଉଦ୍ଦେଶ୍ୟରେ ଏକ ନୋଟିସ୍‌ ଜାରି କରାଯାଇଥିଲା। ଆଉ ଚିଠିର ସାରାଂଶ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରାୟ ବର୍ଷକ ପୂର୍ବେ ଅର୍ଥାତ, ଗତ ୦୩.୧୨.୨୦୧୯ରେ (ଚିଠି ସଂଖ୍ୟା-୩୦୪୫୯) ଏବଂ ୨୦.୧୨.୨୦୧୯ରେ (ଚିଠି ସଂଖ୍ୟା ୨୦୮୪) ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ଦାଖଲ କରି ଶିକ୍ଷକତା କରୁଥିବା ଜାଲ ଶିକ୍ଷକଙ୍କ ତାଲିକା ଦିଆଯାଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା। ଏପରିକି ଯେଉଁମାନଙ୍କ ନାଁ ରେ ଅଭିଯୋଗ ରହିଛି, ଆବଶ୍ୟକ ତଦାରଖ ଓ ତର୍ଜମା ପରେ ସେମାନଙ୍କୁ ଓସିଏସ୍‌(ସିଏସ୍‌ଏ) ୧୯୬୨ ନିୟମାବଳୀର ଅନୁଚ୍ଛେଦ ୧୫ ଅନୁଯାୟୀ ତୁରନ୍ତ ବହିଷ୍କାର କରିବା ସହ ସମ୍ପୃକ୍ତ ଅଞ୍ଚଳର ଥାନା ମାନଙ୍କରେ ଏତଲା ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ସେତିକି ନୁହେଁ, କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ତଥ୍ୟ ୧୦.୧୧.୨୦୨୦ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଥିଲା। ହେଲେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଫୁ' କରିଦେଲେ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଯେଉଁମାନଙ୍କ ନାଁରେ ଅଭିଯୋଗ ଆସିଲା, ସେମାନଙ୍କୁ ଘଣ୍ଟ ଘୋଡ଼ାଇ ରଖାଗଲା। ସଂପ୍ରତି ବିଭାଗ ପକ୍ଷରୁ ଜାରି ତାଲିକାରେ ସ୍ଥାନ ପାଇଛନ୍ତି ଲହୁଣୀପଡା ବ୍ଲକର ୬ ଜଣ ଶିକ୍ଷକ। ତେବେ ସେଥିମଧ୍ୟରୁ ଜଣଙ୍କ ନାଁ ବ୍ୟତୀତ ଅନ୍ୟ ୫ ଜଣଙ୍କ ପରିଚୟକୁ ଚତୁରତାର ସହ ଗୋପନ ରଖାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଏମାନଙ୍କ ମଧ୍ୟରୁ ଅନେକ ଅବସର ନେବା ସହ ସମସ୍ତ ପାଉଣା ମଧ୍ୟ ନେଇସାରିଲେଣି। ଘଟଣା ବିଷୟରେ ଅବଗତ ଥିବା ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ଧାର୍ଯ୍ୟ ତାରିଖ ପାର ହୋଇସାରିଥିଲେ ସୁଦ୍ଧା ଏଯାଏଁ ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ନ ହେବା; ଭିତିରିଆ ସଲାସୁତରା ସ୍ପଷ୍ଟ ବାରି ହୋଇପଡ଼େ। ପ୍ରଶ୍ନ ଉଠୁଛି ଯଦି ବ୍ୟବସ୍ଥା ଏମିତି ଚାଲେ ଆଉ ସରକାରୀ ଅଧିକାରୀ ଏଭଳି ଆଭିମୁଖ୍ୟ ଗ୍ରହଣ କରନ୍ତି ତେବେ, ପ୍ରଚାର କରାଯାଉଥିବା ଗୁଣାତ୍ମକ ଶିକ୍ଷାଦାନର ପ୍ରାସଙ୍ଗିକତା ରହିଲା କେଉଁଠି ?