୬ ନକଲି ନକ୍ସଲ ଗିରଫ, ରାତି ଅଧରେ ଲୋକଙ୍କ ଘରେ ପଶି ଲୁଟପାଟ କରୁଥିଲେ

ମାଲକାନଗିରି: ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ୬ ଜଣ ନକଲି ନକ୍ସଲକୁ ଗିରଫ କରିଛି ପୁଲିସ। ଜିଲ୍ଲାର ବିଭିନ୍ନ ନକ୍ସଲ ପ୍ରବଣ ଗ୍ରାମଗୁଡିକରେ କିଛି ସଶସ୍ତ୍ର ନକ୍ସଲ ଘରେ ଘରେ ପଶି ଲୁଟପାଟ କରୁଥିବା ନେଇ ଥାନାରେ ଏତଲା ଦାୟର କରାଯାଇଥିଲା। ଏତଲାକୁ ଭିତ୍ତି କରି ପୁଲିସ ଖୋଳତାଡ ଆରମ୍ଭ କରିଥିଲା। ତେବେ କିଛି ସୁରାକ ପୁଲିସ ପାଇପାରିନଥିଲା। ବଚେଲି ଠାରେ ହୋଇଥିବା ଲୁଟପାଟରେ ପୁଲିସ ଭୁଷଣ ନାମକ ଜଣେ ଯୁବକକୁ ଗିରଫ କରି ପଚରାଉଚରା କରିବା ପରେ ସେ ସ୍ବୀକାର କରିଥିଲା ଯେ ବିଭିନ୍ନ ଗ୍ରାମରେ ହେଉଥିବା ଲୁଟପାଟରେ ସେ ସାମିଲ ଥିଲା। ତାର ଖବରର ଆଧାରରେ ୬ ଜଣ ନକଲି ନକ୍ସଲକୁ ଗିରଫ କରାଯାଇଥିଲା। ସମସ୍ତେ ବଜାରରେ ମିଳୁଥିବା ଅତ୍ୟାଧୁନକ ନକଲି ବନ୍ଧୁକ, ନକ୍ସଲ ଟି ସାର୍ଟ ଇତ୍ୟାଦି ଧରି ରାତି ଅଧରେ ଗାଁ ଗାଁରେ ବୁଲି ଲୋକଙ୍କ ଘରୁ ଲୁଟପାଟ କରୁଥିଲେ। ଏମାନେ ହେଲେ ଭୁଷଣ ମାଡକାମ, ଲଖନ ନାଥ, ଅନନ୍ତ ନାଗ, ବିଶାଲ, ଦୀପକ ଠାକୁର, ଗୋରୀ ଶଂକର ନାଥ ପ୍ରମୁଖ ରହିଥିଲେ। ପୁଲିସ ଏମାନଙ୍କୁ ଧରି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା କହିଛି।

ସମ୍ବନ୍ଧିତ ଖବର