ବିମାନ ଚକା ଫାଟିଲା : ଅଳ୍ପକେ ବର୍ତ୍ତିଲେ ୧୫୦ ଯାତ୍ରୀ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ୧୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବେଙ୍ଗାଲୁରରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ରନେଓ୍ଵରେ ଅବତରଣ କରିବା ସମୟରେ ଏହାର ଚକା ଫାଟିଯିବାରୁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା। ବଡ଼ ଧରଣର ଦୁର୍ଘଟଣା ହେବା ପୂର୍ବରୁ ପାଇଲଟ୍‌ ରନେଓ୍ଵ ଉପରେ ବିମାନଟିକୁ ଅଟକାଇ ଦେବାରୁ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଥିଲା।

ଅପରାହ୍ନ ୧ଟା ୫୦ରେ ବିମାନଟି ଭୁବନେଶ୍ୱରରେ ଅବତରଣ କରିବା ପରେ ଏହି ଦୁର୍ଘଟଣା ଘଟିଥିଲା। ଯାତ୍ରୀମାନଙ୍କୁ ବସ୍‌ ମାଧ୍ୟମରେ ଟର୍ମିନାଲକୁ ଅଣାଯାଇଥିଲା। ବିମାନଟିକୁ ପାର୍କିଂସ୍ଥଳୀକୁ ଆଣି ମରାମତି କରାଯାଉଛି। ବିମାନର ଚକା ନୂଆଦିଲ୍ଲୀରୁ ମଗା ଯାଇଥିବାବେଳେ ଏହା ପହଞ୍ଚିବା ପରେ ମରାମତି ହୋଇ ବିମାନ ଉଡ଼ାଣ କରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଅପରପକ୍ଷେ ଏହି ବିମାନଟି ଅପରାହ୍ନ ୩ଟା ୪୫ରେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଅଭିମୁଖେ ଯିବାକୁ ଥିବାବେଳେ ମରାମତି ଶେଷ ହୋଇନଥିବାରୁ ବିମାନର ଉଡ଼ାଣ ବାତିଲ୍‌ ହେଲା ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଏହି ବିମାନରେ ଯିବାକୁ ଥିବା ପ୍ରାୟ ୧୬୦ଜଣ ଯାତ୍ରୀ ଚେକିଂ ଶେଷ କରିଥିବାରୁ ହୋହଲ୍ଲା କରିଥିଲେ। ଏହାପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଭୁବନେଶ୍ୱରରୁ ଅପରାହ୍ନ ୨ଟା ୫୫ରେ ଛାଡ଼ିବାକୁ ଥିବା ମୁମ୍ବାଇ ବିମାନର ଉଡ଼ାଣ ବାତିଲ୍‌ କରିଦେଇଥିଲେ। ଏହି ବିମାନଟି ଯାତ୍ରୀଙ୍କୁ ନେଇ ଧାର୍ଯ୍ୟ ସମୟରେ ବ୍ୟାଙ୍କକ୍‌ ଅଭିମୁଖେ ଉଡ଼ାଣ କରିଥିଲା। ଏହାପରେ ଅନ୍ୟ ବିମାନରେ ଯାତ୍ରୀମାନଙ୍କୁ ମୁମ୍ବାଇ ପଠାଯାଇଛି।

ଏନେଇ ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆର ଆଞ୍ଚଳିକ ମୁଖ୍ୟ ତାପସ ରାୟଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ମୁଁ ଆଜି ଛୁଟିରେ ଥିବାରୁ ଅଧିକ କିଛି କହିପାରିବିନି। ସେହିପରି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଅଭିମୁଖେ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ସୂଚନା ମିଳିଛି। ବିମାନଟି ମରାମତି ପାଇଁ ଏଠାରେ ରହିଛି। ଏନେଇ ଅଧିକ ସୂଚନା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଦେଇପାରିବେ।

୬ ବିମାନର ଜରୁରୀ ଅବତରଣ

ଆଜି ଅପରାହ୍ନରେ କୋଲକତା ବିମାନବନ୍ଦରରେ କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଛି। ଏପରିକି ପ୍ରାୟ ୧ଘଣ୍ଟା ଧରି ବିମାନବନ୍ଦରରେ କୌଣସି ବିମାନ ଅବତରଣ କରି ନପାରିବାରୁ ବିମାନଗୁଡ଼ିକୁ ନିକଟସ୍ଥ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ଏଥିରେ ୬ଟି ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବେଙ୍ଗାଲୁରରୁ କୋଲକତା ଅଭିମୁଖେ ଆସିଥିବା ୬ଇ୧୭୨ ବିମାନ, ଦିଲ୍ଲୀରୁ ଆସିଥିବା ୯ଡବ୍ଲ୍ୟୁ ୯୦୭ ବିମାନ, ପାଟଣାରୁ ଆସିଥିବା ୬ଇ ୭୦୮ବିମାନ, ଦିମାପୁରରୁ ଆସିଥିବା ଏଆଇ ୭୧୦ ବିମାନ, ବରୋଦାରୁ ଆସିଥିବା ଜି୮-୫୩୭, ପୋର୍ଟବ୍ଲେୟାରରୁ ଆସିଥିବା ୟୁକେ ୭୭୮ ବିମାନ ଆଜି ଅପରାହ୍ନରେ ଜରୁରୀକାଳୀନ ଅବତରଣ କରିଛି। ବିମାନଗୁଡ଼ିକ ଅପରାହ୍ନ ୪ଟା ୧୦ରୁ ୫ଟା ୧୦ ମଧ୍ୟରେ ଭୁବନେଶ୍ୱରରେ ଅବତରଣ କରିଥିଲା। ଏହାପରେ ପାଗ ସୁଧୁରିବାରୁ ବିମାନଗୁଡ଼ିକ ଅପରାହ୍ନ ୫ଟା ୬ରୁ ସଂଧ୍ୟା ୬ଟା ୩୨ ମଧ୍ୟରେ କୋଲକତା ଅଭିମୁଖେ ଉଡ଼ାଣ କରିଥିଲା।

ସମ୍ବନ୍ଧିତ ଖବର