ପୁରୀ : ହବିଷ୍ୟାଳିଙ୍କ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ୪ ଆଶ୍ରୟସ୍ଥଳୀ ମଧ୍ୟରୁ ରେଳବାଇ ଯାତ୍ରୀନିବାସ ଓ କଲ୍ୟାଣ ମଣ୍ଡପସ୍ଥିତ ଆଶ୍ରୟସ୍ଥଳୀରେ ଆଜି ୬ ଜଣ ହବିଷ୍ୟାଳି ଅସୁସ୍ଥ ହୋଇ ପଡ଼ିଛନ୍ତି। ସେଥିମଧ୍ୟରୁ ଜଗତସିଂହପୁରର ଜନୈକ ହବିଷ୍ୟାଳି ଆଶ୍ରୟସ୍ଥଳୀ ଛାଡ଼ି ପରିବାର ଲୋକଙ୍କ ସହ ଘରକୁ ଫେରି ଯାଇଛନ୍ତି। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେବେ ହବିଷ୍ୟାଳିଙ୍କ ଅସୁସ୍ଥତା ପାଇଁ ପରିବାର ଲୋକେ ଖାଦ୍ୟପେୟକୁ ଦାୟୀ କରିଛନ୍ତି। କାର୍ତିକରେ ଦିନକୁ ଓଳିଏ ଖାଉଥିବା ହବିଷ୍ୟାଳିଙ୍କୁ ଦ୍ବିପ୍ରହର ବଦଳରେ ସନ୍ଧ୍ୟାରେ ମହାପ୍ରସାଦ ସେବନ ପାଇଁ ଦିଆଯାଉଥିବାରୁ ଏପରି ପରିସ୍ଥିତି ଉପୁଜିଛି ବୋଲି ଅଭିଯୋଗ ହୋଇଛି। ଖାଇବାରେ ବିଳମ୍ବ ଯୋଗୁ ଝାଡ଼ାବାନ୍ତିଠାରୁ ଆରମ୍ଭ କରି ପେଟଜନିତ ରୋଗ ଦେଖାଯାଉଛି। ଏହାଛଡ଼ା କେତେକ ହବିଷ୍ୟାଳି ହୃଦ୍ଘାତ, ରକ୍ତଚାପ ଆଦି ରୋଗରେ ପୀଡ଼ିତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ପୁରୀ ଜିଲ୍ଲା ଗଡ଼ଖୋର୍ଧାର କୁନ୍ତଳା ସ୍ବାଇଁ (୭୨), ନୟାଗଡ଼ର କଲରା ମହାପାତ୍ର (୬୩), କଣାସର ଆଶାମଣି ବେହେରା, ବ୍ରହ୍ମଗିରିର ଶଶିମଣି ପ୍ରଧାନ (୫୬), ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ବାଲିତୁଠର ରେବତୀ ତ୍ରିପାଠୀ (୬୮), ବ୍ରହ୍ମଗିରି ଗୌଡ଼ବନ୍ଧର ରଙ୍ଗ ବେୱା ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତଙ୍କୁ ଆଶ୍ରୟସ୍ଥଳୀରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଆଶୁ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ହୃଦ୍ଘାତଜନିତ ରୋଗ କାରଣରୁ ବାଲିତୁଠର ରେବତୀ ତ୍ରିପାଠୀଙ୍କୁ ପରିବାର ଲୋକେ ଆଜି ଆଶ୍ରୟସ୍ଥଳୀରୁ ଘରକୁ ନେଇ ଯାଇଛନ୍ତି।
୬ ହବିଷ୍ୟାଳି ଅସୁସ୍ଥ, ଜଣେ ଘରକୁ ଫେରିଲେ
/sambad/media/post_attachments/wp-content/uploads/2018/10/asusta-habisiyali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)