ପୁରୀ : ତ୍ରିଲୋଚନ ସ୍କୁଲ ପାଖରେ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ହେଉଥିବା ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଛି। ମାତ୍ର ସୌଭାଗ୍ୟବଶତଃ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁର ଭୋଇ ସାହିର ବାଞ୍ଛାନିଧି ବିଶ୍ବାଳଙ୍କ ପୁଅ ଶମ୍ଭୁ ଓରଫ ସୋମନାଥ ବିଶ୍ବାଳ(୨୧) ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ସେ ଏବେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।
ଏ ସମ୍ପର୍କରେ ଶମ୍ଭୁଙ୍କ ଭଉଣୀ ସନ୍ଧ୍ୟାରାଣୀ ବିଶ୍ବାଳ (୨୪) ତାଳବଣିଆ ଥାନାରେ ଅଭିଯୋଗ କରିବାରୁ ପୁଲିସ ୯୯/୨୦ ନମ୍ବରରେ ଏକ ମାମଲା ରୁଜୁ କରି ୬ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ପୁଲିସ କହିଛି, ଏହି ମାମଲାର ଅପରାଧୀମାନଙ୍କ ସହିତ ଶମ୍ଭୁର ପୂର୍ବରୁ ବିବାଦ ରହିଥିଲା। ଶମ୍ଭୁ ଗତ ୨୦୧୮ ମସିହା ଡିସେମ୍ବର ୨୫ ତାରିଖ ଦିନ ଘଟିଥିବା ପାରା ହତ୍ୟାକାଣ୍ଡର ସାକ୍ଷୀ ରହିଥିବା ବେଳେ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଉଦ୍ୟମ ହୋଇଥିଲା। ଅପରାଧୀମାନେ ତାଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ଫେରାର ହେବା ବେଳେ ଅଭିଯୁକ୍ତମାନେ ଶମ୍ଭୁକୁ ପୁରୀ ଛାଡ଼ି ଚାଲିଯିବାକୁ ଧମକ ଦେଇଯାଇଥିଲେ।ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଗତରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଟକ ରହିଥିବା ଏହି ୬ ଜଣଙ୍କୁ ପୁଲିସ ଗୋପନୀୟ ସ୍ଥାନରେ ରଖି ପଚରାଉଚରା କରୁଛି। ଗୁଳିକାଣ୍ଡ ଘଟଣାର ପ୍ରଚ୍ଛଦପଟରେ କେଉଁମାନେ ସମ୍ପୃକ୍ତ ରହିଛନ୍ତି, ସେ ସମ୍ପର୍କରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/firing-kendrapara.jpg)