ଅଗ୍ନିକାଣ୍ଡରେ ୬ ବଖରା ପାଉଁଶ

ବିଂଝାରପୁର : ବିଂଝାରପୁର ବ୍ଲକ ଉତ୍ତଙ୍ଗରା ପଞ୍ଚାୟତ ବିଶ୍ଵାଳସାହିରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଗଣେଶ ବିଶ୍ଵାଳ, ଅଲେଖ ବିଶ୍ଵାଳ, ଅଶୋକ ବିଶ୍ଵାଳଙ୍କ ୬ ବଖରା ଘର ସମେତ ବହୁ ମୂଲ୍ୟବାନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ସେହିପରି ନିଆଁ ସଂସ୍ପର୍ଶରେ ଆସି ପାଖରେ ଥିବା ଦୁର୍ଯ୍ୟୋଧନ ବିଶ୍ଵାଳଙ୍କ କୋଠାଘରର ଝରକା କବାଟ ଓ ଆସବାବପତ୍ର ସମେତ ବହୁ ସାମଗ୍ରୀ ପୋଡ଼ିଯାଇଛି। ଖବରପାଇ ପ୍ରଥମେ ବିଂଝାରପୁର ଓ ପରେ ଦଶରଥପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଏତେ କ୍ଷିପ୍ର ଥିଲାଯେ ଚାହୁଁଚାହୁଁ ସବୁ ପୋଡ଼ି ପାଉଁଶ ହୋଇଗଲା। ଘରେ ଥିବା ଧାନଚାଉଳ, ଆସବାବପତ୍ର, କାଠ ଉପକରଣ, ଫ୍ରିଜ୍, ଓ୍ଵାସିଂମେସିନ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ପୋଡ଼ିଯାଇଛି। ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରାକ୍ତନ ସରପଞ୍ଚ ସୁଶାନ୍ତ କୁମାର ରାଉତ ଓ ସାମାଜିକ କର୍ମୀ ବିଜୟ କୁମାର ବିଶ୍ଵାଳ ଦାବି କରିଛନ୍ତି।

ପୋଡ଼ିଗଲା ଘର, ଟଙ୍କା-ସୁନା ଜଳିଗଲା
ବାଲିଆ : ଭଉଣୀ ବାହାଘର ପାଇଁ ସାଇତିଥିବା ଟଙ୍କା ସୁନା ଓ ଆସବାସପତ୍ର ସହ ୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭୀରିଆପାଳ ଗ୍ରାମପଞ୍ଚାୟତର ୧୧ ନମ୍ବର ୱାର୍ଡର ମୁସଲମାନ ବସ୍ତିର ଆଲତାବ ଅଲ୍ଲୀଙ୍କ ଘରେ ନିଆଁ ଲାଗିଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକମାନେ ପ୍ରଥମେ ନିଆଁ ଲିଭାଇକୁ ଉଦ୍ୟମ କରିଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଲତାବଙ୍କ ଭଉଣୀ ବିଭାଘର ପାଇଁ ରଖିଥିବା ଟଙ୍କ‌ା ଓ ସୁନା ଜଳିଯାଇଥିଲା। ସଞ୍ଚିତ ସମ୍ପତ୍ତି ଆଖି ଆଗରେ ଜଳିଯାଇଥିବାର ଦେଖି ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ ଆଲତବ୍ ଅଲ୍ଲୀଙ୍କ ବାପା ଉମର ଅଲ୍ଲୀ। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ଚାରିବଖରା ପାଉଁଶ, ଗାଈବାଛୁରି ଜଳିଗଲେ
ଦଶରଥପୁର : ଦଶରଥପୁର ତହସିଲ ଅଧୀନ ଖଣ୍ଡରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଶମ୍ଭୁନାଥ ବେହେରାଙ୍କ ଚାରିବଖରା ବାସଗୃହ ପୋଡ଼ି ପାଉଁଶ ହୋଇଯାଇଛି। ଏହି ନିଆଁରେ ଗୋଟିଏ ଗାଈ ଓ ବାଛୁରି ଜିବନ୍ତଦଗ୍ଧ ହୋଇଯାଇଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ଆଜି ସନ୍ଧ୍ୟା ସମୟରେ ଶମ୍ଭୁନାଥଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ ଚାହୁଁ ଚାହୁଁ ଚାରି ବଖରା ଘରକୁ ଗିଳିପକାଇଥିଲା। ଘରେ ଥିବା କୌଣସି ସାମଗ୍ରୀ ବାହାର କରିବା ସମ୍ଭବ ହୋଇନଥିଲା। ସମସ୍ତ ଘରୋଇ ଆସବାବପତ୍ର, ଉପକରଣ ପୋଡି ପାଉଁଶ ହୋଇଯାଇଛି। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଯଥେଷ୍ଟ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଯାଜପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ସରିଯାଇଥିଲା। ଏ ଖବର ପାଇ ଯାଜପୁରର ପୂର୍ବତନ ପୌରପାଳ ଭବପ୍ରସାଦ ଦାସ ଅଗ୍ନିବିପନ୍ନଙ୍କୁ ଭେଟି ସମବେଦନା ଜଣାଇବା ସହିତ ଜରିପାଲ, ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରି ତୁରନ୍ତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର