ପ୍ରେମ ବ୍ୟାପାରକୁ ନେଇ ପ୍ରାଣାନ୍ତକ ଆକ୍ରମଣ: ଭୁଜାଲି ଓ ଟାଙ୍ଗିଆ ଚୋଟରେ ୬ ଗୁରୁତର, ସିଆଲିରେ ଉତ୍ତେଜନା

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ସିଆଲିରେ ସୋମବାର ଗୋଟିଏ ପରିବାରର ୬ ଜଣଙ୍କୁ ଭୁଜାଲି ଓ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସମସ୍ତ ଆହତଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ହିମାଦ୍ରି ନିଆଲି, ସତ ନିଆଲି ଓ ରୋହିତ ନିଆଲି ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଆହତ ସାଇ ନିଆଲି(୬୫), ଅଶ୍ବିନୀ ବାଘ(୪୦) ଓ ଅପସରା ଷାଣ୍ଢ(୫୫)ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଗଜିନ୍ଦ୍ର ଜାଲ, ରାଜେଶ ଜାଲ ଓ ଗୋବିନ୍ଦ ଜାଲ ଫେରାର୍‌ ହୋଇଛନ୍ତି। ଅନ୍ୟ ଅଭିଯୁକ୍ତ ରଙ୍କ ଜାଲ(୭୫)କୁ ଲଛିପୁର ପୁଲିସ ଅଟକ ରଖିଛି। ଏହାକୁ ନେଇ ସିଆଲି ଗାଁରେ ଉତ୍ତେଜନା ଲାଗି ରହିଛି। ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଏସ୍‌ଆଇ ସରୋଜ ପାଣିଗ୍ରାହୀ କହିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସିଆଲିର ଭାନୁମତୀ ଜାଲଙ୍କ ଝିଅ ବାହାଘର ଗତମାସ ୨୪ ତାରିଖ ଥିଲା। ଝିଅ ଘରର ପରିବାର ଲୋକେ ନିମନ୍ତ୍ରଣ ପତ୍ର ଛାପି ବନ୍ଧୁ ବାନ୍ଧବମାନଙ୍କୁ ଡାକିଥିଲେ। କିନ୍ତୁ ସତ ନିଆଲିଙ୍କ ପୁଅ ବିମ୍ବାଧର ମଙ୍ଗୁଳା ଝିଅକୁ ନେଇ ଫେରାର୍‌ ହୋଇଯାଇଥିଲେ। ବରପକ୍ଷ ଏଥିରେ ବିବ୍ରତ ନହୋଇ ୨ୟ ଝିଅ ସହ ବ‌ାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ସମୟାନୁସାରେ ବିବାହ ମଧ୍ୟ ସଂପନ୍ନ ହୋଇଥିଲା। ଉକ୍ତ ଘଟଣା ପରେ ଦୁଇ ପରିବାର ମଧ୍ୟରେ କୌଣସି ତିକ୍ତତା ମଧ୍ୟ ନଥିଲା। କିନ୍ତୁ ହଠାତ୍‌ ସୋମବାର ଝିଅଘର ଲୋକେ ଉତ୍ତ୍ୟକ୍ତ ହୋଇ ବିମ୍ବାଧରଙ୍କ ଘରକୁ ଯାଇ ସାଇ ନିଆଲି, ରୋହିତ ନିଆଲି, ସତ ନିଆଲି, ହିମାଦ୍ରି ନିଆଲି ଓ ଅପସରା ଷାଣ୍ଢଙ୍କୁ ଟାଙ୍ଗିଆ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ସାଇଙ୍କ ସାନ ଜ୍ବାଇଁ ଅନ୍ୟ ଏକ ଗାଁରୁ ଏମାନଙ୍କୁ ଦେଖିବା ପ‌ାଇଁ ଆସିବା ବେଳେ ତାଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର