ଗଣେଶ ଭସାଣିରେ ଗୋଷ୍ଠୀସଂଘର୍ଷ; ୬ ଗୁରୁତର

ବ୍ରହ୍ମବରଦା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରାଉତରାପୁର ପଞ୍ଚାୟତ କୁଣ୍ତପାଟଣା ଗ୍ରାମରେ ପୂର୍ବ ରାଜନୈତିକ ବିବାଦରୁ ଗୋଷ୍ଠୀସଂଘର୍ଷ ଘଟିଛି। ଗତକାଲି ଗଣେଶ ପୂଜା ଭସାଣି ଶୋଭାଯାତ୍ରାରେ ବାଣଫୁଟାକୁ କେନ୍ଦ୍ରକରି ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଶେଷରେ ପ୍ରବଳ ଢେଲାପଥର ମାଡ଼ ଓ ମାର୍‌ପିଟ୍‌ ହେବାରୁ ୧୪ ଜଣ ଆହତ ହୋଇଛନ୍ତି। ତନ୍ମଧ୍ୟରୁ ୬ ଜଣ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତମାନେ ହେଲେ ସରପଞ୍ଚଙ୍କ ସ୍ବାମୀ ପ୍ରତାପ ସାହୁ (୩୫), ଭାଗ୍ୟଧର ନାୟକ (୭୦), ପ୍ରକାଶ ନାୟକ (୩୪), ନରହରି ବେହେରା (୫୦), ଶ୍ରୀକାନ୍ତ ମହାଳିକ ଓ ଅନନ୍ତ ମହାଳିକ। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିଲେ ବି ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଧର୍ମଶାଳା ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ, ରାଉତରାପୁର ପଞ୍ଚାୟତରେ ବିଜୟୀ ହୋଇଥିବା ଗୋଷ୍ଠୀ ଓ ପରାଜିତ ଗୋଷ୍ଠୀ ମଧ୍ୟରେ ନିର୍ବାଚନ ପରଠାରୁ ଛକାପଞ୍ଝା ଲାଗି ରହିଛି। ଗତକାଲି ସନ୍ଧ୍ୟାରେ କୁଣ୍ତପାଟଣା ଗ୍ରାମ ୧ ନମ୍ବର ୱାର୍ଡର ଲୁଣିଆସାହି, ୨ ନମ୍ବର ୱାର୍ଡର ଅମ୍ବିକାସାହି ଓ ୩/୪/୫ ନମ୍ବର ୱାର୍ଡର ମଝିସାହି ଗଣେଶ ପୂଜା ଭସାଣି ହେଉଥିଲା। ଶେଷ ପର୍ଯ୍ୟାୟରେ ଲୁଣିଆସାହିରେ ବାଣ ଫୁଟାଇବାକୁ କେନ୍ଦ୍ରକରି ସରପଞ୍ଚଙ୍କ ସମର୍ଥକ ଓ ପରାଜିତ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ସରପଞ୍ଚଙ୍କ ସ୍ବାମୀ ପ୍ରତାପ ସାହୁ ଏହାର ଫଟୋ ଉଠାଉଥିଲେ। ଏହିସମୟରେ ବିପକ୍ଷ ଗୋଷ୍ଠୀ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଅମ୍ବିକା ସାହିର କିଛିଲୋକ ବିପକ୍ଷ ଗୋଷ୍ଠୀ ସହ ସାମିଲ୍‌ ହୋଇଯାଇ ଢେଲାପଥର ମାଡ଼ କରିଥିଲେ। ଖବରପାଇ ଧର୍ମଶାଳା ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏନେଇ ଧର୍ମଶାଳା ଥାନାରେ ଉଭୟ ପକ୍ଷରୁ ୩ଟି ଏତଲା ଦିଆଯାଇଛି।

ସମ୍ବନ୍ଧିତ ଖବର