ପରୀକ୍ଷାରୁ ବଞ୍ଚିତ ହେଲେ ୬ ଜୁଆଙ୍ଗ ଛାତ୍ରୀ; ୨୫ କିମି ଦୂରରେ ପରୀକ୍ଷାକେନ୍ଦ୍ର, ଗାଡ଼ିଭଡ଼ା ନଥିଲା

ଢେଙ୍କିକୋଟ : ୨୫ କିଲୋମିଟର ଦୂରତାରେ ପରୀକ୍ଷାକେନ୍ଦ୍ର ହେବା ଏବଂ ଏତେବାଟ ଯିବାପାଇଁ ପାଖରେ ଗାଡ଼ିଭଡ଼ା ବାବଦକୁ ଟଙ୍କା ନଥିବାରୁ ୬ଜଣ ଆଦିବାସୀ ଜୁଆଙ୍ଗ ଛାତ୍ରୀ ମାଟ୍ରିକ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏହି ଛାତ୍ରୀମାନେ ହେଲେ ଘଟଗାଁ ବ୍ଲକ୍‌ ସରାସପଶି ପଞ୍ଚାୟତ ଗୋବରବେଡ଼ା ଲକ୍ଷ୍ମୀନାରାୟଣ ଉଚ୍ଚବିଦ୍ୟାଳୟର ପାର୍ବତୀ ଜୁଆଙ୍ଗ, ସୁବାସିନୀ ଜୁଆଙ୍ଗ, ପଦ୍ମାବତୀ ଜୁଆଙ୍ଗ, ରଚନା ଜୁଆଙ୍ଗ, ସରୋଜିନୀ ନାଏକ ଓ ବୁନ୍ଦୁନୀ ମୁଣ୍ଡା।

ବୁଧବାରଠାରୁ ମାଟ୍ରିକ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହୋଇଛି। ସରକାରୀ ନିୟମ ଅନୁସାରେ ବିଦ୍ୟାଳୟଠାରୁ ୫ରୁ ୧୦ କିମି ଦୂରତା ମଧ୍ୟରେ ପରୀକ୍ଷାକେନ୍ଦ୍ର ହେବ। କିନ୍ତୁ ଗୋବରବେଡ଼ା ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରୀକ୍ଷାକେନ୍ଦ୍ର ୨୫ କିଲୋମିଟର ଦୂର ଢେଙ୍କିକୋଟ ବାଳିକା ଉଚ୍ଚବିଦ୍ୟାଳୟକୁ କରାଯାଇଛି। ଅଧିକ ଦୂରତା‌ ଯୋଗୁଁ ଅଭିଭାବକମାନେ ଟାଟାଏସି ଗାଡ଼ି ଭଡ଼ା କରି ନିଜ ପିଲାଙ୍କୁ ଢେଙ୍କିକୋଟ ପରୀକ୍ଷାକେନ୍ଦ୍ରକୁ ନେଇଥିଲେ। ହେଲେ ଗାଡ଼ିଭଡ଼ା ବାବାଦକୁ ଟଙ୍କା ନଥିବାରୁ ଏହି ୬ଜଣ ଛାତ୍ରୀ ପରୀକ୍ଷାକେନ୍ଦ୍ରକୁ ଆସିପାରି ନଥିଲେ। ଫଳରେ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ବୋର୍ଡ କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲି ମନୋଭାବ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର