ଭୁବନେଶ୍ବର : ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ପାଇଁ ‘ଅବଢ଼ା’ ଯୋଜନାରେ ବିଭିନ୍ନ ପ୍ରକଳ୍ପ ସରକାର ହାତକୁ ନେଇଛନ୍ତି। ଶ୍ରୀମନ୍ଦିର ସମେତ ବିଭିନ୍ନ ସ୍ଥାନରେ କାରୁକାର୍ଯ୍ୟ ନିର୍ମାଣ କରାଯିବ। ଏଥିପାଇଁ ନିରବଚ୍ଛିନ୍ନ ଭାବେ ଆବଶ୍ୟକ ଲଘୁ ଖଣିଜ ଯୋଗାଣ ପାଇଁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୬ଟି ଖଣ୍ଡୋଲାଇଟ୍ ଖଣି ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଖଣି ନିଗମ ଖଣିଗୁଡ଼ିକରୁ ଖଣ୍ଡୋଲାଇଟ୍ ପଥର ଉତ୍ତୋଳନ କରି ପୂର୍ତ୍ତ ବିଭାଗ କିମ୍ବା ଅନ୍ୟ ପ୍ରାଧିକୃତ ଏଜେନ୍ସିକୁ ଯୋଗାଇବ। ବଳକା ଲଘୁ ଖଣିଜକୁ ଓଏମ୍ସି ଆଇନ ଅନୁଯାୟୀ ବାହାରେ ବିକ୍ରି କରିପାରିବ। ବିଜ୍ଞପ୍ତି ଅନୁଯାୟୀ, ଯାଜପୁର ଜିଲ୍ଲାରେ ୪ ହେକ୍ଟର ପରିମିତ ଚାନ୍ଦିଆ ଖଣ୍ଡୋଲାଇଟ୍ ବ୍ଲକ୍, ୭୮.୩ ହେକ୍ଟର ପରିମିତ ଶୁଖୁଆପଡ଼ା ବ୍ଲକ୍, ୨୭.୫ ହେକ୍ଟରର ତେଲିଗଡ଼ ବ୍ଲକ୍, କଟକ ଜିଲ୍ଲାରେ ଥିବା ୨୦.୩ ହେକ୍ଟର ପରିମିତ ଗୋବିନ୍ଦପୁର ବ୍ଲକ୍, ଖୋର୍ଦ୍ଧା ଜିଲ୍ଲାରେ ଥିବା ୧.୬୭ ହେକ୍ଟରର କୁରୁମପଦା ରଙ୍ଗିନ ପଥର ବ୍ଲକ୍ ଏବଂ ୪.୬୭୨ ହେକ୍ଟର ପରିମିତ ନାରାଣଗଡ଼ର କୁନ୍ଦାକୁନ୍ଦି କୁଣ୍ଡ ପଥର ଖଣିକୁ ସଂରକ୍ଷିତ ରଖାଯାଇଛି। କେବଳ ଖୋର୍ଦ୍ଧା ନାରାଣଗଡ଼ କୁନ୍ଦାକୁନ୍ଦି କୁନ୍ଦ ପଥର ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ହୋଇଥିବାରୁ ଖଣିଜ ଉତ୍ତୋଳନ ବେଳେ ସର୍ତ୍ତମୂଳକ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓଏମସିକୁ କ୍ଷମତା ପ୍ରଦାନ କରିବ।
ଲଘୁ ଖଣିଜ ପଥର ବ୍ୟବହାର ପାଇଁ ଖଣି ବିଭାଗ ଦୁଇଟି ସର୍ତ୍ତ ରଖିଛି। ଏସବୁ ଖଣିରୁ ଉତ୍ତୋଳିତ ଖଣ୍ଡୋଲାଇଟ୍ ପଥର ପୂର୍ତ୍ତ ବିଭାଗ କିମ୍ବା ପୂର୍ତ୍ତ ବିଭାଗ ଦ୍ବାରା ପ୍ରାଧିକୃତ ହୋଇଥିବା କୌଣସି ସଂସ୍ଥାକୁ ଯୋଗାଇ ଦିଆଯିବ। ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଅବଢ଼ା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଖଣ୍ଡୋଲାଇଟ୍ ପଥର ବ୍ୟବହାର କରାଯିବ। ଏ ନେଇ ପୂର୍ତ୍ତ ବିଭାଗ, ଶ୍ରୀଜଗନ୍ନାଥ ମିନ୍ଦିର ପ୍ରଶାସନ ଓ ଓଏମସି ମଧ୍ୟରେ ପାରସ୍ପରିକ ବୁଝାମଣା ହୋଇଛି। ପୂର୍ତ୍ତ ବିଭାଗ ଆବଶ୍ୟକ କରୁନଥିବା ଲଘୁ ଖଣିଜକୁ ବାହାରେ ଓଏମ୍ସି ଆଇନ ଅନୁଯାୟୀ ବିକ୍ରି କରିପାରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Srikhetra_Thumb.jpg)