ବ୍ୟାସନଗର : କାଳବୈଶାଖୀ ପ୍ରଭାବରେ ବୁଧବାର ଅପରାହ୍ଣରେ ହଠାତ୍ ଆରମ୍ଭ ହୋଇଗଲା ଘୂର୍ଣ୍ଣିଝଡ଼। ଯାଜପୁରରୋଡ ଷ୍ଟେସନ୍ ନିକଟରେ ଇଞ୍ଜିନ୍ ବିହୀନ ମାଲବାହୀ ଟ୍ରେନ୍ର ୱାଗନ୍ ଗଡ଼ି ଚାଲିଲା। ବର୍ଷା ପବନରୁ ବର୍ତ୍ତିବା ପାଇଁ ଏହି ୱାଗନ୍ ତଳେ ଆଶ୍ରୟ ନେଇଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୨ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ବାହାନଗା ଟ୍ରେନ୍ ଦୁର୍ଘଟଣାର ଦୁଃଖଦ ସ୍ଥିତିକୁ ତାଜା କରିଦେଇଛି।
ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ହଠାତ୍ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସହ ବର୍ଷା ହୋଇଥିଲା। ଏହି ସମୟରେ ଯାଜପୁରରୋଡ ରେଳ ଷ୍ଟେସନ ଦକ୍ଷିଣ କ୍ୟାବିନ୍ ନିକଟ ସତ୍ୟସାଇ ସଂଘ କାର୍ଯ୍ୟାଳୟ ପାଖରେ ଥିବା ରେଳଧାରଣାରେ କେତେକ ଶ୍ରମିକ କାମ କରୁଥିଲେ। ଖୁବ୍ ଜୋରରେ ବର୍ଷାପବନ ଆସିବାରୁ ଶ୍ରମିକମାନେ ପାଖରେ ଅନ୍ୟ ଏକ ଧାରଣାରେ ଛିଡ଼ା ହୋଇଥିବା ରେଳୱାଗନ୍ ତଳେ ଆଶ୍ରୟ ନେଇଥିଲେ। ଇଂଜିନ ନଥିବା ପ୍ରାୟ ୩୨ଟି ୱାଗନ୍ ବହୁଦିନ ହେଲା ଏଠାରେ ପଡ଼ି ରହିଥିଲା। ଝଡ଼ବର୍ଷା ସମୟରେ ସେଥିରୁ ୧୮ଟି ୱାଗନ୍ ଅଲଗା ହୋଇଯାଇ ଗଡ଼ିବାକୁ ଲାଗିଥିଲା। ୱାଗନ୍ ଗୁଡ଼ିକ ପ୍ରାୟ ୫ଶହ ମିଟର ଗଡ଼ିଯାଇ ଆଗରେ ଥିବା ବ୍ରେକରକୁ ଭାଙ୍ଗି ଦେଇଥିଲା। ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ୱାଗନ୍ ତଳୁ ବାହାରି ଆସିବାକୁ ଉଦ୍ୟମ କରିଥିଲେ। କିଛି ଶ୍ରମିକ ବାହାରି ଆସିଥିଲେ ମଧ୍ୟ ଅନ୍ୟ କେତେକ ବାହାରି ପାରିନଥିଲେ। ୱାଗନ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ
ହୋଇଥିଲା। ଗୁରୁତର ୫ ଜଣ ଶ୍ରମିକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସଂକଟାପନ୍ନ ଅବସ୍ଥାରେ ଅନ୍ୟ ଦୁଇ ଶ୍ରମିକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ଶ୍ରମିକ ଜଣକ ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ ନିକଟସ୍ଥ ବଳିପୁର ଗ୍ରାମର ଅମର ସାହୁ(୩୨) ଓ ନବଘନ ସାହୁ।
/sambad/media/post_attachments/wp-content/uploads/2023/06/jaj-train-750x430.jpg)
ମୃତକମାନେ ହେଲେ କୋରେଇ ଥାନା ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତ ବାଲିଆପାଳ ଗ୍ରାମର ସୁଶାନ୍ତ କୁମାର ଜେନା(୫୬), ପ୍ରଶାନ୍ତ କୁମାର ଜେନା(୫୨), ଭୀମସେନ ଜେନା, ଗହ୍ମାରିଆ ଗ୍ରାମର ମାନସ ସାମଲ(୩୬), ଗୌତମ ସାମଲ(୫୬) ଏବଂ ମୁକୁନ୍ଦପୁର ପଞ୍ଚାୟତ ଓଷଳା ଗ୍ରାମର ଦୋଳଗୋବିନ୍ଦ ଜେନା(୫୫)। ଖବରପାଇ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାଜପୁରରୋଡ ପୁଲିସ, ଆରପିଏଫ ଓ ଜିଆରପି କର୍ମଚାରୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଏହି ସମୟରେ ଅନ୍ୟ ଧାରଣାରେ ଯିବାକୁ ଥିବା ଟ୍ରେନ୍ ଗୁଡ଼ିକର ଚଳାଚଳ ସ୍ବାଭାବିକ କରିଥିଲେ। ଦୁର୍ଘଟଣା ସ୍ଥଳରୁ ଦୁଇଟି ମୃତଦେହକୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଅପରାହ୍ଣ ପ୍ରାୟ ୪ଟା ବେଳେ ଏଠାରେ ୧୮ରୁ ଅଧିକ ଶ୍ରମିକ ରେଳଧାରଣା ମରାମତି କାର୍ଯ୍ୟ କରୁଥିଲେ। ବର୍ଷା ପବନ ଆସିବାରୁ ଶ୍ରମିକମାନେ କାମ ଛାଡ଼ି ନିକଟରେ ଛିଡ଼ା ହୋଇଥିବା ୱାଗନ୍ ତଳେ ଆଶ୍ରୟ ନେଇଥିଲେ। ୱାଗନ୍ ଗୁଡ଼ିକ ହଠାତ୍ ଗଡ଼ିବାରୁ ଦୁର୍ଘଟଣା ହୋଇଥିଲା। ଏହା ପରେ କାମ କରାଉଥିବା ଠିକାଦାରଙ୍କ ପତ୍ତା ମିଳିନଥିଲା। ବାଲିଆପାଳ ଗ୍ରାମର ଦୟାନିଧି ଜେନା ଓ ବିଶ୍ବନାଥ ଜେନାଙ୍କ ବୟାନ ଅନୁଯାୟୀ ବାଲିଆପାଳ ଗ୍ରାମର ମୃତ ପ୍ରଶାନ୍ତ ଜେନା ଶ୍ରମିକମାନଙ୍କୁ ଆଣି କାମ କରାଉଥିଲେ। ଠିକାଦାର କେନ୍ଦୁଆପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ରବି ଦାସ।
/sambad/media/post_attachments/wp-content/uploads/2023/06/jaj-tra-acc33-750x430.jpg)
ଖବର ପାଇ କୋରେଇ ବିଧାୟକ ଅଶୋକ କୁମାର ବଳ ଘଟଣାସ୍ଥଳ ଓ ଯାଜପୁରରୋଡ ଡାକ୍ତରଖାନାରେ ପହଞ୍ଚିଥିଲେ। ମୃତକଙ୍କ ସମ୍ପର୍କୀୟମାନଙ୍କୁ ସମବେଦନା ଜଣାଇବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସେହିପରି ମୋ କଲେଜ୍ ଅଧ୍ୟକ୍ଷ ତଥା ପ୍ରାକ୍ତନ ବିଧାୟକ ଆକାଶ ଦାସନାୟକ ମଧ୍ୟ ଯାଜପୁରରୋଡ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ପରେ ସନ୍ଧ୍ୟାରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଏସ୍ପି ଭିନୀତ ଅଗ୍ରୱାଲ୍, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣା, ଏଡିଏମ୍ଓ ସୁଧାଂଶୁ ଶେଖର ବଳ, ଯାଜପୁରର ପ୍ରାକ୍ତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ପ୍ରମୁଖ ଯାଜପୁରରୋଡ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/jaj-t-accc.jpg)